ନୂଆଦିଲ୍ଲୀ: ଚଳିତ ଏସୀୟ କ୍ରୀଡ଼ାରୁ ଶେଷ କ୍ଷଣରେ ଓହରି ଯାଇଥିବା ପୁରୁଖା ତାରକା ଲିଆଣ୍ଡର ପେସ୍ଙ୍କୁ ମୂଲ୍ୟ ଦେବାକୁ ପଡ଼ିଛି। ଆସନ୍ତାମାସ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ସର୍ବିଆ ବିପକ୍ଷ ଡେଭିସ୍ କପ୍ ବିଶ୍ୱ ଗ୍ରୁପ୍ ମୁକାବିଲା ପାଇଁ ମଙ୍ଗଳବାର ଘୋଷିତ ଦଳରୁ ତାଙ୍କୁ ବାଦ୍ ଦିଆଯାଇଛି। ଫଳରେ ଚଳିତ ବର୍ଷର ଏସୀୟ କ୍ରୀଡ଼ା ବିଜେତା ରୋହନ ବୋପାନ୍ନା ଓ ଦିବିଜ୍ ଶରନ୍ ଯୁଗଳରେ ଯୋଡ଼ି ହୋଇ ଖେଳିବା ସ୍ଥିର ହୋଇଥିଲା ବେଳେ ଏକକ ବର୍ଗରେ ୟୁକି ଭାମ୍ବ୍ରି, ରାମକୁମାର ରାମନାଥନ୍ ଏବଂ ପ୍ରଜ୍ଞେଶ ଗୁଣେଶ୍ୱରନ୍ ରହିଛନ୍ତି। ମନୋନୟନ ସମିତି ସଦସ୍ୟ ଏସ୍ପି ମିଶ୍ର (ଅଧ୍ୟକ୍ଷ), ବଳରାମ ସିଂହ, ନନ୍ଦନ ବଳ, ରୋହିତ ରାଜ୍ପାଲ୍ ଓ ପ୍ରଶିକ୍ଷକ ଜୀସାନ୍ ଅଲ୍ଲୀ ଟେଲି କନ୍ଫରେନ୍ସ ଜରିଆରେ ଏହି ଦଳ ବାଛିଛନ୍ତି। ମହେଶ ଭୂପତି ଓ ଜୀସାନ୍ ଅଲ୍ଲୀ ଅଣଖେଳାଳି ଅଧିନାୟକ ଓ ପ୍ରଶିକ୍ଷକ ରହିଛନ୍ତି। ଦଳରେ ଦୁଇ ଜଣ ଫିଜିଓ ମଧ୍ୟ ରହିବେ।