ଭୁବନେଶ୍ୱର: ମଧ୍ୟପ୍ରଦେଶର ଉଜ୍ଜୟିନୀଠାରେ ରବିବାର ଶେଷ ହୋଇଥିବା ତୃତୀୟ ଜାତୀୟ କନିଷ୍ଠ ଟେନିସ୍ କ୍ରିକେଟ୍ ପ୍ରତିଯୋଗିତାରେ ଓଡ଼ିଶା ବିଜେତା ହୋଇଛି। ଫାଇନାଲ୍ରେ ଓଡ଼ିଶା ୫୪ ରନ୍ରେ ଝାଡ଼ଖଣ୍ଡକୁ ପରାସ୍ତ କରିଥିଲା। ଓଡ଼ିଶା ୧୨ ଓଭରରେ ୯ ଓ୍ଵିକେଟ୍ ହରାଇ ୧୦୭ ରନ୍ କରିଥିଲା। ଜବାବରେ ଝାଡ଼ଖଣ୍ଡ ୮ ଓଭରରେ ସମସ୍ତ ଓ୍ଵିକେଟ୍ ହରାଇ ମାତ୍ର ୫୩ ରନ୍ କରିଥିଲା। ଗୌରବ ରାଉତ ୩ ଓଭରରେ ୭ ରନ୍ ବିନିମୟରେ ୪ ଓ୍ଵିକେଟ୍ ନେଇ ଫାଇନାଲ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଦୀପକ ପରିଡ଼ା ୫ ମ୍ୟାଚ୍ରୁ ମୋଟ ୨୭୦ ରନ୍ ସଂଗ୍ରହ କରି ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଦୀପକ ତେଲେଙ୍ଗାନା (୧୧୧, ୨୮ ବଲ୍) ଏବଂ ଉତ୍ତରପ୍ରଦେଶ (୧୦୧, ୩୩ ବଲ୍) ବିପକ୍ଷରେ ମଧ୍ୟ ୨ଟି ଶତକ ହାସଲ କରିଥିଲେ। ପୂର୍ବରୁ ଓଡ଼ିଶା ତେଲେଙ୍ଗାନାକୁ ୧୫୪ ରନ୍ରେ, ହିମାଚଳପ୍ରଦେଶକୁ ୯ ଓ୍ଵିକେଟ୍ରେ, କ୍ୱାର୍ଟରଫାଇନାଲ୍ରେ ମଧ୍ୟପ୍ରଦେଶକୁ ୮ ଓ୍ଵିକେଟ୍ରେ ଏବଂ ସେମିଫାଇନାଲ୍ରେ ଉତ୍ତରପ୍ରଦେଶକୁ ୧୫୩ ରନ୍ରେ ପରାସ୍ତ କରି ଫାଇନାଲ୍ରେ ପହଞ୍ଚିଥିଲା। ବିଜେତା ଓଡ଼ିଶା ଦଳକୁ ଟେନିସ୍ କ୍ରିକେଟ୍ ଇଣ୍ଡିଆର ବୈଷୟିକ ନିର୍ଦେଶକ ରିଣ୍ଟୁ ମିିତ୍ର, ପ୍ରଶିକ୍ଷକ ରଂଜିତ ସ୍ୱାଇଁ (ବୁଢ଼ା), ସହକାରୀ ପ୍ରଶିକ୍ଷକ ଦୀପକ କୁମାର ମଲ୍ଲିକ, ପ୍ରବଂଧକ ବାସୁଦେବ ଓଝା, ସଭାପତିର ଅବିନାଶ ସାହୁ, ଉପ ସଭାପତି ରାଜେନ୍ଦ୍ର ମହାରଣା ଏବଂ ଶୋଭେନ୍ଦ୍ର ମହାରଣା ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି।