ପଡ଼ିଆରେ ହୃଦ୍‌ଘାତର ଶିକାର ହୋଇ ଯୁବ କ୍ରିକେଟର୍‌ଙ୍କ ମୃତ୍ୟୁ

କୋଲ୍‌କାତା: ପଡ଼ିଆ ଭିତରେ ଜଣେ ଯୁବ କ୍ରିକେଟର୍‌ଙ୍କ ମୃତ୍ୟୁ ଘଟିଛି। କୋଲ୍‌କାତାର ଏହି ଉଦୀୟମାନ ଯୁବ କ୍ରିକେଟର୍‌ ଅନିକେତ ଶର୍ମା ମଙ୍ଗଳବାର ପଡ଼ିଆ ଭିତରେ ଅଚାନକ ଅଚେତ୍‌ ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ହେଲେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଥିବା ହସ୍ପିଟାଲ ସୁତ୍ରରୁ ପ୍ରକାଶ।

୨୧ ବର୍ଷ ବୟସ୍କ ଅନି‌କେତ ପାଇକପଡ଼ା କ୍ଲବ୍‌ରେ କ୍ରିକେଟ୍‌ ଖେଳନ୍ତି। ଗତବର୍ଷ ସେ ଏହି କ୍ଲବ୍‌ରେ ଯୋଗ ଦେଇଥିଲେ। ସେ ଜଣେ ଡାହାଣ ହାତୀ ଅଫ୍‌ ସ୍ପିନର ସାଙ୍ଗକୁ ଦକ୍ଷ ବ୍ୟାଟ୍‌ସମ୍ୟାନ୍‌ ଏବଂ ସୁଦକ୍ଷ କ୍ଷେତ୍ରରକ୍ଷକ ବୋଲି ତାଙ୍କ ପ୍ରଶିକ୍ଷକ କହିଛନ୍ତି। ଆମେ ସମସ୍ତେ ପଡ଼ିଆରେ ରହି ଅଭ୍ୟାସ ଚଳାଇଥିଲୁ। ହେଲେ ଅନିକେତ କ୍ରିକେଟ୍‌ ଖେଳିବା ପୂର୍ବରୁ କିଛି ସମୟ ଫୁଟ୍‌ବଲ୍‌ ଖେଳିବାକୁ ଚାହିଁଥିଲେ। ତେବେ ଖେଳୁଥିଲା ବେଳେ ହଠାତ୍‌ ସେ ପଡ଼ିଆରେ ଅଚେତ ହୋଇ ପଡ଼ିଗଲେ। ଆମେ ତାଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲ ନେଇଗଲୁ। କିନ୍ତୁ ତାଙ୍କ ଜୀବନ ବଞ୍ଚାଇ ପାରିନଥିଲୁ ବୋଲି ପ୍ରଶିକ୍ଷକ କହିଛନ୍ତି।

ଏଭଳି ଦୁର୍ଭାଗ୍ୟଜନକ ଘଟଣାରେ ଆମେ ସମସ୍ତେ ହତବାକ୍‌ ହୋଇପଡ଼ିଛୁ। ସେଥିପାଇଁ ଆସନ୍ତାକାଲି ଖେଳିବାକୁ ଥିବା ବେଙ୍ଗଲ କ୍ରିକେଟ୍‌ ସଂଘର ପ୍ରଥମ ଡିଭିଜନ୍‌ ଲିଗ୍‌ ମ୍ୟାଚ୍‌ ସ୍ଥଗିତ ରଖାଯାଇଛି ବୋଲି ରାଜ୍ୟ ସଂଘର ଯୁଗ୍ମ ସଂପାଦକ ଅଭିଷେକ ଡାଲ୍‌ମିଆ କହିଛନ୍ତି। ସେହି କ୍ଲବ୍‌କୁ ପରିଚାଳନା କରୁଥିବା ପୂର୍ବତନ ବେଙ୍ଗଲ ଅଧିନାୟକ ସମ୍ବରଣ ବାନାର୍ଜୀ ମଧ୍ୟ ଅନିକେତଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏହା ଏତେ ଦୁଃଖଦାୟକ ଯେ ବର୍ଣ୍ଣନା କରିବାକୁ ମୋ ନିକଟରେ ଭାଷା ନାହିଁ ବୋଲି ବାନାର୍ଜୀ କହିଛନ୍ତି। ଏବେ ତାଙ୍କ ମୃତ୍ୟୁର କାରଣ ଜାଣିବା ଲାଗି ଅନିକେତଙ୍କ ମର ଶରୀରକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର