ରିଓ ବଦଲା ଭୁବନେଶ୍ୱରରେ

ବେଲ୍‌ଜିୟମ୍‌କୁ ମାତ୍‌ ଦେଇ ସେମିରେ ଭାରତ

ଭୁବନେଶ୍ୱର: ଭାରତ, ଭାରତ ରଡ଼ିରେ କମ୍ପୁଥିଲା କଳିଙ୍ଗ । ଭରପୁର ଷ୍ଟାଡିୟମ୍‌ରେ ୮ ହଜାର ଦର୍ଶକ ଭାରତ ଜିତିବାର ଶୁଭ ମନାସୁଥିଲେ। ମନରେ କିନ୍ତୁ ଆଶା ଓ ଆଶଙ୍କା ଭରି ରହିଥିଲା। ଲିଗ୍‌ ପର୍ଯ୍ୟାୟରେ ତିନିଟି ଯାକ ମ୍ୟାଚ୍‌ ଜିତି କ୍ୱାର୍ଟରକୁ ଯାଇଥିବା ବେଲଜିୟମକୁ କିଭଳି ଓ କେମିତି ଭାରତ ହରାଇବ ସେ ଅଙ୍କକଶା ବି ଆରମ୍ଭ ହୋଇ ଯାଇଥିଲା। ଘରୋଇ ଦର୍ଶକଙ୍କ ଉତ୍ସାହ ଏବଂ ଉନ୍ମାଦନାରେ ଭାରତୀୟ ଖେଳାଳି ଯେମିତି ନୂଆ ଶକ୍ତି ଓ ସାହସ ପାଇଯାଇଥିଲେ। ସବୁ ଶକ୍ତି ଖଟାଇ ଶକ୍ତିଶାଳୀ ବେଲଜିୟମକୁ ପାଣି ପିଆଇ ଦେଇଥିଲେ। ୩୫ ମିନିଟ୍‌ ସୁଦ୍ଧା ୨-୦ରେ ଆଗୁଆ ହୋଇଯାଇଥିଲେ। ହେଲେ ବେଲଜିୟମ ବି କିଛି କମ୍‌ ନଥିଲା। ଭାରତ ବଳକା ୨୫ ମିନିଟ୍‌ରେ ଆଉ ମାତ୍ର ଗୋଟିଏ ଗୋଲ୍‌ କରିଥିଲା। ହେଲେ ବେଲଜିୟମ୍‌ ତିନିଟି ଗୋଲ୍‌ ଦେଇ ସ୍ଥିତି ୩-୩ କରି ନେଇଥିଲା। ନିର୍ଧାରିତ ସମୟ ମଧ୍ୟରେ ଫଳାଫଳ ନ ମିଳିବାରୁ ଏହି ନାଟକୀୟ ରୋମାଞ୍ଚଭରା ତଥା ଉତ୍କଣ୍ଠାପୂର୍ଣ୍ଣ ମୁକାବିଲାର ବିଜେତା ବାଛିବା ଲାଗି ପେନାଲ୍ଟି ସୁଟ୍‌୍‌ଆଉଟର ସହାୟତା ନିଆ ଯାଇଥିଲା। ଏଥିରେ ବି କିଛି କମ୍‌ ଉତ୍କଣ୍ଠା ନଥିଲା। ଭାରତ ଏକଦା ୨-୦ରେ ଆଗୁଆ ଥିଲା। ହେଲେ ବେଲଜିୟମ ପୁଣି ଥରେ ସ୍ଥିତି ସମାନ ସ୍ତର (୨-୨)କୁ ନେଇ ଆସିଥିଲା। ଶେଷରେ ଭାରତ ୩-୨ରେ ଜିତି ସେମିଫାଇନାଲରେ ସ୍ଥାନ ସୁରକ୍ଷିତ କରି ନେଇଥିଲା। ଏହି ନାଟକୀୟ ବିଜୟ କଳିଙ୍ଗ ହକି ଇତିହାସର ଅନ୍ୟତମ ମାଇଲଖୁଣ୍ଟ ହୋଇ ଯାଇଥିଲା। ଗ୍ରୁପ-ଏର ବିଜେତା ବେଲଜିୟମକୁ ଗ୍ରୁପ୍‌-ବିର ଶେଷ ସ୍ଥାନରେ ରହିଥିବା ଭାରତ ପରାସ୍ତ କରିବା ଭଳି ଜବରଦସ୍ତ ସଫଳତା ଏଠାରେ ଦେଖିବାକୁ ମିଳିଥିଲା। କଳିଙ୍ଗ ଦର୍ଶକଙ୍କ ଛାତି କୁଣ୍ଢେମୋଟ ବି ହୋଇ ଯାଇଥିଲା। ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତାକୁ ଠିକଣା ଜବାବ ଦେଇ ସ୍ମରଣୀୟ ବିଜୟ ସହ ଭାରତ ସେମିଫାଇନାଲରେ ପହଞ୍ଚି ଯାଇଥିଲା। ଭାରତ ଶେଷରେ ୬-୫ (୩-୩)ର ସ୍କୋର ଲାଇନରେ ବିଜୟୀ ହୋଇଥିଲା। ଏଥି ସହିତ ରିଓ ପରାଜୟର ବଦଲା ମଧ୍ୟ ଭାରତ ଭୁବନେଶ୍ୱରରେ ନେଇଥିଲା। ରିଓ ଅଲିମ୍ପିକ୍ସରେ ଭାରତକୁ କ୍ୱାର୍ଟର ଫାଇନାଲ୍‌ରେ ପରାସ୍ତ କରି ବିଦା କରିଥିବା ବେଲଜିୟମ୍‌କୁ ଭୁବନେଶ୍ୱରରେ ଭାରତ ହରାଇ ମଧୁର ପ୍ରତିଶୋଧ ନେଇଗଲା।

୬ରୁ ୪ ପେନାଲ୍ଟି ଗୋଲ୍‌

ଭାରତ ଆଜି ବି ଆରମ୍ଭରୁ ଆକ୍ରମଣ କରିଥିଲା। ଚତୁର୍ଥ ମିନିଟ୍‌ରେ ହିଁ ପେନାଲ୍ଟି କର୍ନର ଅର୍ଜନ କରି ନେଇଥିଲା। ହେଲେ ସେହି ପେନାଲ୍ଟିକୁ ଗୋଲରେ ରୂାପନ୍ତର କରିବାର ପୁରୁଣା ଦୁର୍ବଳତା ପାଇଁ ଆଗୁଆ ହେବାରୁ ବଞ୍ଚିତ ହୋଇଥିଲା ମନପ୍ରୀତ ସିଂହଙ୍କ ଧୁରନ୍ଧରମାନେ ପୁଣି ଥରେ ଏଥିରେ ବିଫଳ ହୋଇଥିଲା। ପରବର୍ତୀ ୧୧ ମିନିଟ୍‌ ପର୍ଯ୍ୟନ୍ତ କିନ୍ତୁ ଭାରତୀୟ ଖେଳାଳିମାନେ ବିଶ୍ୱ ମାନ୍ୟତାର ତୃତୀୟ ସ୍ଥାନରେ ଥିବା ବେଲଜିୟମକୁ ପାଣି ପିଆଇ ଦେଇଥିଲେ। ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ଏହି ସ୍ଥିତି ଅପରିବର୍ତିତ ରହିଥିଲା। ଭାରତୀୟ ଖେଳାଳି ଆକ୍ରମଣ କରୁଥିଲା ବେଳେ ବେଲଜିୟମ ଖେଳାଳିଙ୍କ ରକ୍ଷଣାତ୍ମକ ଖେଳ ଜାରି ରହିଥିଲା। ଦ୍ୱିତୀୟ କ୍ୱାର୍ଟରରେ ଭାରତ ଅବଶ୍ୟ ଅପେକ୍ଷାକୃତ ଭଲ ହକି ଖେଳିଥିଲା। ୨୭ ମିନିଟ୍‌ରେ ଭାରତୀୟ ଗୋଲ୍‌ ରକ୍ଷକ ସୁରଜ କରକେରା ୨୭ ମିନିଟରେ ଏକ ନିଶ୍ଚିତ ଗୋଲକୁ ରୋକି ଭାରତୀୟ ଖେଳାଳିଙ୍କ ମନୋବଳ ବଢ଼ାଇଥିଲେ। ଫଳରେ ଦ୍ୱିତୀୟ କ୍ୱାର୍ଟର ଶେଷ ହେବାର ମାତ୍ର ୩ ମିନିଟ୍‌ ପୂର୍ବରୁ ଭାରତ ଦ୍ୱିତୀୟ ପେନାଲ୍ଟି କର୍ନର ଅର୍ଜନ କରି ନେଇଥିଲା। ଅଧିନାୟକ ମନପ୍ରୀତ ସିଂହଙ୍କ ଫ୍ଲିକ୍‌କୁ ଭାରତ ହାତରୁ ଏହି ସୁଯୋଗ ବି ଖସି ଯାଇଥିଲା ବିରତିରେ ଗୁରୁମନ୍ତ୍ର ସହ ନୂତନ ରଣନୀତି ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତ ତା’ର ଆକ୍ରମଣର ଧାରାକୁ ଆହୁରି ତୀବ୍ର କରି ନେଇଥିଲା। ଯୁବ ଖେଳାଳିମାନେ ଏହାର ନେତୃତ୍ୱ ନେଇଥିଲେ। ମାତ୍ର ୧ ମିନିଟ୍‌ ଭିତରେ ହିଁ ଏହାର ସୁଫଳ ମିଳି ଯାଇଥିଲା। ଡି’ ଅଞ୍ଚଳରୁ ମନପ୍ରୀତ ମାରିଥିବା ସଟ୍‌ ଗୋଲ୍‌ ପୋଷ୍ଟରେ ବାଜି ଫେରି ଆସୁଥିଲା ବେଳେ ଗୁରଜନ୍ତ ସିଂହ ଏହାକୁ ଚତୁରତାର ସହ ପୁଣି ଥରେ ପୋଷ୍ଟ ଭିତରେ ପୂରା ଭାରତକୁ ପ୍ରତୀକ୍ଷିତ ଗୋଲ୍‌ ଉପହାର ଦେଇଥିଲେ। କଳିଙ୍ଗ ଷ୍ଟାଡିୟମ୍‌ କମ୍ପି ଉଠିଥିଲା। ଦର୍ଶକ ଯେକିତି ମତୁଆଲା ହୋଇ ଯାଇଥିଲେ। ୩ ମିନିଟ୍‌ ପରେ କଳିଙ୍ଗ ଦର୍ଶକଙ୍କୁ ଖୁସି ହେବାର ଆଉ ଏକ ମୌକା ମିଳି ଯାଇଥିଲା ୩୪ ମିନିଟ୍‌ରେ ମିଳିଥିବା ପେନାଲ୍ଟି କର୍ନରକୁ ଗୋଲ୍‌ କରି ଭାରତ ୨-୦ରେ ଆଗୁଆ ହୋଇ ଯାଇଥିଲା। ବେଲିଜୟମ ଯେମିତି କିଛି ବୁଝି ପାରି ନଥିଲା। ଏଥର ଯୁବ ବୀର ହରମନପ୍ରୀତ ତାଙ୍କ ଯାଦୁ ଦେଖାଇଥିଲେ। ବଲ୍‌କୁ ଗୋଲ୍‌ ପୋଷ୍ଟ ଭିତରକୁ ପଠାଇବାରେ ସେ କୌଣସି ତ୍ରୁଟି କରି ନଥିଲେ। ୩୭ ମିନିଟ୍‌ ଭିତରେ ଚୁପ୍‌ ରହିଥିବା ବେଲଜିୟମ ୩୮ରେ ମ୍ୟାଚ୍‌କୁ ଫେରିଥିଲା। ପ୍ରଥମ ପେନାଲ୍ଟି କର୍ନରକୁ ଗୋଲ୍‌କରି ସ୍ଥିତି ୨-୧ କରି ନେଇଥିଲା। ତୃତୀୟ କ୍ୱାର୍ଟର ଶେଷ ସୁଦ୍ଧା ଏହି ସ୍ଥିତି ବଜାୟ ରହିଥିଲା। ଆଶା ଓ ଆଶଙ୍କା ଭିତରେ ଆରମ୍ଭ ହୋଇଥିଲା ଚତୁର୍ଥ କ୍ୱାର୍ଟର ଏକ ମିନିଟ୍‌ ଭିତରେ ବେଲଜିୟମ ପେନାଲ୍ଟି କର୍ନରକୁ ଗୋଲ୍‌ କରି କଳିଙ୍ଗ ଦର୍ଶକଙ୍କ ମନ ଭାଙ୍ଗି ଦେଇଥିଲା। ହେଲେ ୬ ମିନିଟ୍‌ ପରେ ଭାରତ ରୂପିନ୍ଦର ପାଲ ସିଂହଙ୍କ ଗୋଲ୍‌ ବଳରେ ପୁଣି ଥରେ ଆଗୁଆ ହୋଇ ଯାଇଥିଲା। କଳିଙ୍ଗ ଦର୍ଶକଙ୍କ ମୁହଁକୁ ହସି ବି ଫେରି ଆସିଥିଲା। ବେଲଜିୟମ ରେଫରାଲ ବି ଏହି ଗୋଲକୁ ରୋକି ପାରି ନଥିଲା। ହେଲେ ବେଲଜିୟମ ବି କିଛି କମ୍‌ ନଥିଲା । ଆମାଉରି କ୍ୟୁର୍ଷ୍ଟଙ୍କ ଫିଲ୍ଡ ଗୋଲ୍‌ ପାଇଁ ନିର୍ଧାରିତ ସମୟ ଭିତରେ ସ୍ଥିତି ୩-୩ ରହିଥିଲା। ସବୁଠାରୁ ବଡ଼ କଥା ହେଲା ଆଜି ମୁକାବିଲାର ହୋଇଥିବା ୬ ଗୋଲ୍‌ ମଧ୍ୟରୁ ୪ ପେନାଲ୍ଟି କର୍ନରରୁ ଆସିଥିଲା।

ସୁଟ୍‌ଆଉଟ୍‌ରେ ବେଲଜିୟମ ସଫା

୬୦ ମିନିଟ୍‌ ପର୍ଯ୍ୟନ୍ତ ଭାରତ ହାତରୁ ବେଲଜିୟମ କୌଣସି ମୁହୂର୍ତରେ ମ୍ୟାଚ୍‌ ଛଡ଼ାଇନେବାର ଆଶଙ୍କା ରହିଥିଲା। ହେଲେ ଭାରତୀୟ ଖେଳାଳି ଅପୂର୍ବ ଆତ୍ମବିଶ୍ୱାସ ଦେଖାଇଥିଲେ। ଯାହା ହେଲେ ବି ଜିତିବାର ଭାବନା ନେଇ ହିଁ ବେଲଜିୟମ ଭଳି ଦଳକୁ ଦଳି ପାରିଥିଲେ। ଭାରତୀୟ ଗୋଲ୍‌ ରକ୍ଷକ ସୁରଜ କରକେରା ମଧ୍ୟ ଦେଖିଲା ଭଳି ଖେଳ ଖେଳିଥିଲେ। ପାଚେରି ଭଳି ଛିଡ଼ା ହୋଇ ବେଲଜିୟମର ପ୍ରଥମ ତିନିଟଇ ପେନାଲ୍ଟି ସୁଟଆଉଟ୍‌ ସୁଯୋଗକୁ ନିଷ୍ଫଳ କରି ଦେଇଥିଲେ। ଏହା ପରେ ଅବଶ୍ୟ ବେଲଜିୟମ ଦୁଇଟି ଗୋଲ୍‌ କରିଥିଲା। ଭାରତ ପକ୍ଷରୁ ହରମନପ୍ରୀତ ପ୍ରଥମ ପ୍ରୟାସରେ ବିଫଳ ହୋଇଥିଲେ। ହେଲେ ଗୁରଜିନ୍ଦର, ରୂପିନ୍ଦରଙ୍କ ପରେ ନିଜ ଦ୍ୱିତୀୟ ପ୍ରୟାସରେ ସଫଳ ହୋଇ ସ୍ଥିତି ୩-୨ କରି ନେଇଥିଲେ। ବେଲଜିୟମର ପଞ୍ଚମ ତଥା ଶେଷ ପ୍ରୟାସକୁ ସୁରଜ ବିଫଳ କରିଦେବା ସହ କଳିଙ୍ଗ ଦର୍ଶକ ଖୁସିରେ ଝୁମି ଉଠିଥିଲେ। ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ବେଲଜିୟମକୁ ହରାଇବାର ସୁଖଦ କୀର୍ତ୍ତିମାନ ଭାରତ କରି ନେଇଥିଲେ।

ସମସ୍ତେ ନାଚିଲେ

ପେନାଲ୍ଟି ସୁଟଆଉଟର ଶେଷ ପ୍ରୟାସରେ ବେଲଜିୟମ ଖେଳାଳି ବିଫଳ ହେବା ପରେ ଭାରତୀୟ ଖେଳାଳିଙ୍କ ସହ ପୂରା କଳିଙ୍ଗ ଷ୍ଟାଡିୟମ୍‌ ଝୁମି ଉଠିଥିଲା । ଦର୍ଶକଙ୍କଠାରୁ ଖେଳାଳି ପର୍ଯ୍ୟନ୍ତ ସମସ୍ତେ ନାଚି ଉଠିଥିଲେ। ଏପରିକି କିଛି ଗଣମାଧ୍ୟମ ପ୍ରତିନିଧି ଢେର ସମୟ ପର୍ଯ୍ୟନ୍ତ ନାଚ ଜାରି ରଖିଥିଲେ। ଷ୍ଟାଡିୟମ୍‌ ବାହାର ବି ଉତ୍ସବ ମୁଖର ହୋଇ ଉଠିଥିଲା। ଦର୍ଶକମାନେ ପରସ୍ପରକୁ ବଧେଇ ଜଣାଇବା ସହ ଢେର ସମୟ ପର୍ଯ୍ୟନ୍ତ ଭାରତ, ଭାରତ ରଡି ଛାଡ଼ିଥିଲେ।

ଜିତିବୁ ବୋଲି ବିଶ୍ୱାସ ଥିଲା: ବୀରେନ୍ଦ୍ର

ଶେଷ ପର୍ଯ୍ୟନ୍ତ ଆମେ କେବେବି ମନୋବଳ ହରାଇ ନଥିଲୁ। କଳେ ବଳେ କୌଶଳେ ମ୍ୟାଚ୍‌ ଜିତିବୁ ବୋଲି ବିଶ୍ୱାସ ରଖିଥିଲା। କ୍ୱାର୍ଟର ଫାଇନାଲରେ ଲିଗ୍‌ ପର୍ଯ୍ୟାୟର ଶ୍ରେଷ୍ଠ ଦଳ ବେଲଜିୟମକୁ ଭେଟୁଥିବାରୁ ଆମ ଉପରେ ଚାପ ତ ଥିଲା। ହେଲେ ଏହା ଆମ ଉପରେ ପ୍ରତିକୂଳ ପ୍ରଭାବ ପକାଇ ନଥିଲା ଆଜି ସକାଳୁ ପ୍ରଶିକ୍ଷକ ଜୋଏଡ୍‌ ମାରିନ୍‌ ଆମକୁ ଯେମିତି ହେଲେ ମ୍ୟାଚ୍‌ ଜିତିବାକୁ ପଡ଼ିବ ବୋଲି କହିଥିଲେ। ଆମେ ତାଙ୍କ ଆଶା ଓ ଆକାଂକ୍ଷା ପୂରଣ କରି ପାରି ଥିବାରୁ ବହୁତ ଖୁସି ଲାଗୁଛି। ସେମିଫାଇନାଲ୍‌ କଥା ଏବେ ଭାବି ନାହୁଁ। ତଥାପି ସେଠାରେ ଭଲ କରିବୁ ବୋଲି ଭାବୁଛି। କଳିଙ୍ଗ ଦର୍ଶକଙ୍କୁ ଖୁସି ହେବାର କାରକ ଦେଇଥିବାରୁ ବ୍ୟକ୍ତିଗତ ଭାବେ ମୁଁ ବେଶ୍‌ ଉଲ୍ଲସିତ ଅଛି। ଭାରତୀୟ ଦଳରେ ସାମିଲ ଥିବା ଓଡ଼ିଆ ଖେଳାଳି ମ୍ୟାଚ୍‌ ଶେଷ ପରେ ‘ସମ୍ବାଦ’କୁ ଏହା କହିଥିଲେ। ବିଜୟର ଖୁସିକୁ ଶବ୍ଦରେ ବର୍ଣ୍ଣନା କରିବା ମଧ୍ୟ ତାଙ୍କ ପାଇଁ ସହଜ ନଥିଲା।

ସମ୍ବନ୍ଧିତ ଖବର