ମୋହାଲି: ଧର୍ମଶାଳାରେ ଶୋଚନୀୟ ବ୍ୟାଟିଂ କରି ଲଜ୍ଜିତ ହୋଇଥିବା ଭାରତୀୟ କ୍ରିକେଟ୍ ଦଳ ମୋହାଲିରେ ଜବରଦସ୍ତ ପ୍ରତ୍ୟାବର୍ତନ କରିଛି। ଅଧିନାୟକ ତଥା ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା (୨୦୮* ରନ୍, ୧୫୩ ବଲ୍, ୧୩ ଚୌକା, ୧୨ ଛକା)ଙ୍କ ଧମାକାଦାର ବ୍ୟାଟିଂ ବଳରେ ଏଠାକାର ପିସିଏ ଷ୍ଟାଡିୟମରେ ଖେଳା ଯାଇଥିବା ଦ୍ୱିତୀୟ ଦିନିକିଆକୁ ଏକତରଫା ଭାବେ ୧୪୧ ରନ୍ରେ ଜିତି ନେଇଛି। ତା’ ସହ ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ୧-୧ ସ୍ଥିତିକୁ ଆସି ଯାଇଛି। ବୁଧବାର ରୋହିତଙ୍କ ତୃତୀୟ ଦିନିକିଆ ଦ୍ୱି-ଶତକ ଆଗରେ ଆତ୍ମସମର୍ପଣ କରିଥିବା ଶ୍ରୀଲଙ୍କାର ଦମ୍ଭ ବି ପୂରା ଭାଙ୍ଗି ଯାଇଛି। ତିନି ଟିକିଆ ଶୃଙ୍ଖଳା ଜୀବନ୍ତ ରହିଛି ଏବଂ ବିଶାଖାପାଟଣାରେ ରବିବାର ଖେଳା ଯିବାକୁ ଥିବା ତୃତୀୟ ତଥା ଶେଷ ଦିନିକିଆର ମହତ୍ୱ ବଢ଼ି ଯାଇଛି। ଏବେ ଶେଷ ମୁକାବିଲାକୁ ଯିଏ ଜିତିବ ସେ ଶୃଙ୍ଖଳା ବିଜୟର ସ୍ୱାଦ ଚାଖିବ। ସେପଟେ ରୋହିତଙ୍କ ପାଇଁ ବୁଧବାର ବିଜୟ ସ୍ମରଣୀୟ ହୋଇ ଯାଇଛି। ବୁଧବାର ଥିଲା ଏହି ମୁମ୍ବାଇ ତାରକାଙ୍କର ଦ୍ୱିତୀୟ ବିବାହ ବାର୍ଷିକୀ। ଦ୍ୱିଶତକ ସହ ଦର୍ଶକ ଗ୍ୟାଲେରିରେ ବସିଥିବା ପତ୍ନୀ ରିତିକାଙ୍କୁ ସେ ଦେଇଥିଲେ ନିଆରା ଉପହାର।
Sambad is now on WhatsApp
Join and get latest news updates delivered to you via WhatsApp
ଧର୍ମଶାଳା ପଦାର୍ପଣରେ ବିଫଳ ହୋଇଥିବା ମୁମ୍ବାଇ ତାରକା ଶ୍ରେୟସ୍ ଆୟର (୮୮ ରନ୍, ୭୦ ବଲ୍, ୯ ଚୌକା, ୨ ଛକା) ଆଜି ଚିତ୍ତାକର୍ଷକ ବ୍ୟାଟିଂ କରିବା ସହ ଭାରତୀୟ କ୍ରିକେଟ୍ ଦଳକୁ ଆଉ ଜଣେ ଭବିଷ୍ୟତ ତାରକା ମିଳି ଯାଇଥିଲା। ସେହିଭଳି ତାମିଲନାଡୁର ୧୯ ବର୍ଷୀୟ ସ୍ପିନର ଓ୍ଵାସିଂଟନ ସୁନ୍ଦର ତାଙ୍କ ନୂଆ ଜୀବନ ଆରମ୍ଭ କରିଥିଲେ। ଏହି ବାମହାତୀ ସ୍ପିନର ଆଜି ତାଙ୍କ ଅନ୍ତର୍ଜାତୀୟ ଜୀବନ ଆରମ୍ଭ କରିଥିଲେ। ୧୦ ଓଭର ବୋଲିଂ କରି ୬୫ ରନ୍ ବିନିମୟରେ ଗୋଟିଏ ଓ୍ଵିକେଟ୍ ଅକ୍ତିଆର କରିଥିଲେ। ତେବେ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ ବିଶ୍ୱର ଏକମାତ୍ର କ୍ରିକେଟର ଭାବେ ତୃତୀୟ ଦିନିକିଆ ଦ୍ୱି-ଶତକ ଅର୍ଜନ କରିଥିବା ରୋହିତ ଶର୍ମା। ସେ ପ୍ରଥମେ ଶିଖର ଧାଓ୍ଵନ (୬୮ ରନ୍, ୬୭ ବଲ୍, ୯ ଚୌକା)ଙ୍କ ସହ ମିଶି ୧୧୫ ରନ୍ ଯୋଡ଼ି ଭାରତ ପାଇଁ ଦୃଢ଼ ମୂଳଦୁଆ ପକାଇଥିଲେ। ତା’ ପରେ ଶ୍ରେୟସଙ୍କୁ ସାଥୀ କରିି ଦ୍ୱିତୀୟ ଓ୍ଵିକେଟ୍ରେ ୨୧୩ ରନ୍ ଯୋଡ଼ି ଭାରତର ସ୍କୋରକୁ ୩୯୨/୪ରେ ପହଞ୍ଚାଇ ଦେଇଥିଲେ। ଯାହାକୁ ଛୁଇଁବା ଶ୍ରୀଲଙ୍କା ପାଇଁ ଏକପ୍ରକାର ଅସମ୍ଭବ ହୋଇ ଯାଇଥିଲା। ପୂର୍ବତନ ଅଧିନାୟକ ଆଞ୍ଜେଲୋ ମାଥ୍ୟୁସ (୧୧୧* ରନ୍, ୧୩୨ ବଲ୍, ୯ ଚୌକା, ୩ ଛକା)ଙ୍କ ସାନ୍ତ୍ୱନାମୂଳକ ଶତକ ବଳରେ ସିଂହଳୀ ଦଳ ନିର୍ଧାରିତ ୫୦ ଓଭରରେ ୮ ଓ୍ଵିକେଟ୍ ହରାଇ ମାତ୍ର ୨୫୧ ରନ୍ କରି ପାରିଥିଲା। ରୋହିତ ତାଙ୍କ ଅବିଶ୍ୱସନୀୟ ବ୍ୟାଟିଂ ପାଇଁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। ସୁରତର ଜଣେ ୨୧ ବର୍ଷୀୟ ଉତ୍ସାହୀ ପ୍ରଶଂସକ ପଡ଼ିଆ ଭିତରକୁ ପଶି ଭାରତୀୟ ଓ୍ଵିକେଟ୍ ରକ୍ଷକ ମହେନ୍ଦ୍ର ସିଂହ ଧୋନିଙ୍କ ପାଦ ଛୁଇଁବା ପରେ ଶ୍ରୀଲଙ୍କା ପାଳି କିଛି ମିନିଟ୍ ପାଇଁ ବ୍ୟାଘାତ ସୃଷ୍ଟି ହୋଇଥିଲା। ସ୍ଥାନୀୟ ପୁଲିସ ସଂପୃକ୍ତ ପ୍ରଶଂସକକୁ ଅଟକ ରଖି ପଚରା ଉଚରା କରିଥିଲା। ପରେ ଅବଶ୍ୟ ତାଙ୍କୁ ଛାଡ଼ି ଦେଇଥିଲା।
ବିରାଟ କୋହଲି ବାହାଘର ପାଇଁ ବିଶ୍ରାମ ନେବା ପରେ ଧର୍ମଶାଳାରେ ଭାରତୀୟ କ୍ରିକେଟ୍ ଦଳ ଅପ୍ରତ୍ୟାଶିତ ଭାବେ ଶୋଚନୀୟ ପରାଜୟ ବରଣ କରିଥିଲା। ଯୁବ ଏବଂ ଅନଭିଜ୍ଞ ଖେଳାଳିଙ୍କ ସମୁହ ବିଫଳତା ପାଇଁ ମାତ୍ର ୧୧୨ ରନ୍ କରି ପାରିଥିଲା। ମୋହାଲିରେ କିନ୍ତୁ ଏହି ଭୁଲ ଦୋହରାଇ ନଥିଲା। ରୋହିତ ଓ ଧାଓ୍ଵନ ପ୍ରଥମ ୧୦ ଓଭରରେ ଓ୍ଵିକେଟ୍ ବଞ୍ଚାଇବା ଉପରେ ଧ୍ୟାନ ଦେଇଥିଲେ। ଫଳରେ ପ୍ରଥମ ୬୦ ବଲ୍ରୁ ମାତ୍ର ୩୩ ରନ୍ କରିଥିଲେ। ଥରେ ଲୟ ପାଇଗଲା ପରେ କିନ୍ତୁ ସିଂହଳୀ ବୋଲରଙ୍କୁ ନିର୍ଧୁମ ଛେଚି ରନ୍ ହାର ଯଥେଷ୍ଟ ମାତ୍ରାରେ ବଢ଼ାଇ ଦେଇଥିଲେ। ଧାଓ୍ଵନ ଦଳୀୟ ସ୍କୋର୍ ୧୧୫ ରନ୍ରେ ପାଭିଲିୟନ ଫେରିବା ପରେ ରୋହିତ ଶ୍ରେୟସଙ୍କୁ ସାଥୀ କରି ଚୌକା ଛକା ବର୍ଷା କରିଥିଲେ। ଶ୍ରେୟସ୍ ନିଜ ଦ୍ୱିତୀୟ ମ୍ୟାଚ୍ରେ ମାତ୍ର ୧୨ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ। ହେଲେ ରୋହିତ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ନିଜ ତୃତୀୟ ଦ୍ୱିଶତକ ପୂରଣ କରିଥିଲେ। ତିନି ବର୍ଷ ତଳେ ଇଡେନ ଗାର୍ଡେନରେ ସେହି ଶ୍ରୀଲଙ୍କା ବିପକ୍ଷରେ ରୋହିତ ନିଜ ଦ୍ୱିତୀୟ ଦ୍ୱିଶତକ ହାସଲ କରିଥିଲେ। କ୍ରିକେଟ୍ ଜୀବନର ପ୍ରଥମ ଦ୍ୱିଶତକ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଅର୍ଜନ କରିିଥିଲେ। ତାଙ୍କ ବିସ୍ଫୋରକ ବ୍ୟାଟିଂ ପାଇଁ ଭାରତ ଶେଷ ୧୦ ଓଭରରୁ ୧୪୭ ରନ୍ ଯୋଡ଼ିଥିଲା। ରୋହିତ ବୁଧବାର ଷୋଡ଼ଶ ଶତକ ଅର୍ଜନ କରି ଭାରତର ସର୍ବାଧିକ ଦିନିକିଆ ଶତକ ହାସଲକାରୀ ତାଲିକାରେ ବୀରେନ୍ଦ୍ର ସେହବାଗଙ୍କୁ ହଟାଇ ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଥିଲେ।
ପତ୍ନୀ ରିତିକାଙ୍କ ଆଖିରେ ଲୁହ
ରୋହିତ ଶର୍ମା ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ରେ କୀର୍ତିମାନ ଭରା ତୃତୀୟ ଦ୍ୱିଶତକ ହାସଲ କରିବାର ମୁଖସାକ୍ଷୀ ଥିଲେ ତାଙ୍କ ପତ୍ନୀ ରିତିକା ସାଜ୍ଦେ। ରିତିକା ବୁଧବାର ମୋହଲି ଷ୍ଟାଡିୟମ୍ରେ ଉପସ୍ଥିତ ରହି ପତିଙ୍କ ଏହି ଏତିହାସିକ ସଫଳତାକୁ ନିକଟରୁ ଦେଖିଥିଲେ। ହେଲେ ରୋହିତ ଶତକ ଓ ଦ୍ୱିଶତକ ହାସଲ ପୂର୍ବରୁ କ୍ୟାମେରା ସମ୍ମୁଖରେ ସାମାନ୍ୟ ଭାଙ୍ଗି ପଡ଼ିଥିବା ରିତିକା ପରେ ଲୋତକ ସମ୍ବରଣ କରିପାରିନଥିଲେ। ଦ୍ୱିଶତକ ଜମାଇବା ପରେ ରୋହିତ ଷ୍ଟାଣ୍ଡ୍ରେ ବସିଥିବା ପତ୍ନୀଙ୍କ ଉଦେଶ୍ୟରେ ଉଡ଼ନ୍ତା ଚୁମ୍ବନ ଛାଡ଼ିଥିଲା ବେଳେ ରିତିକାଙ୍କ ଆଖିରେ ଅଶ୍ରୁ ଭରି ଯାଇଥିଲା। ଅବଶ୍ୟ ଏହା ତାଙ୍କର ଆନନ୍ଦର ଅଶ୍ରୁ ଥିଲା ବୋଲି ରିତିକା କହିଥିଲେ। ପୁଣି ଏହି ଐତିହାସିକ ସଫଳତା ଜରିଆରେ ରୋହିତ ମଧ୍ୟ ତାଙ୍କର ଦ୍ୱିତୀୟ ବିବାହ ବାର୍ଷିକୀକୁ ଷ୍ଟାଇଲ୍ରେ ପାଳନ କରିଥିଲେ।
ଦିନିକିଆରେ ସର୍ବାଧିକ ରନ୍ ବ୍ୟୟ ତାଲିକାରେ ପ୍ରଦୀପ ଚତୁର୍ଥ
ରୋହିତ ଶର୍ମା ଓ ଯୁବ ତାରକା ଶ୍ରେୟସ ଆୟରଙ୍କ ବିସ୍ଫୋରକ ବ୍ୟାଟିଂ ଆଗରେ ବୁଧବାର ସିଂହଳୀ ଦଳର ବୋଲରମାନେ ତ୍ରାହି ତ୍ରାହି ଡାକିଥିଲେ। ଯାହର ପରିଣାମ ସ୍ୱରୂପ ୩ ଜଣ ପ୍ରମୁଖ ବୋଲର ଓଭର ପିଛା ୧୦ରୁ ଅଧିକ ରନ୍ ବ୍ୟୟ କରିଥିଲେ। ସେଥିରୁ ଏକା ଦ୍ରୁତ ବୋଲର ନୁଓ୍ଵାନ୍ ପ୍ରଦୀପ ସବୁଠୁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ସେ ତାଙ୍କ ୧୦ ଓଭରରେ ଗୋଟିଏ ବି ମେଡେନ୍ ଓଭର ପାଇନଥିଲା ବେଳେ ୧୦୬ ରନ୍ ବ୍ୟୟ କରିଥିଲେ। ଯାହାକି କୌଣସି ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ରେ ସବୁଠୁ ଅଧିକ ରନ୍ ବ୍ୟୟ କରିଥିବା ବୋଲରଙ୍କ ତାଲିକାରେ ପ୍ରଦୀପ ଚତୁର୍ଥ ସ୍ଥାନ ପାଇଛନ୍ତି। ପୁଣି ୧୦୬ ରନ୍ ବ୍ୟୟ କରିବା ସତ୍ତ୍ୱେ ଗୋଟିଏ ହେଲେ ଓ୍ଵିକେଟ୍ ନପାଇବା ପ୍ରଦୀପଙ୍କ ଦୁଃଖ ବଢ଼ାଇଦେଇଛି। ତାଙ୍କ ଉପରକୁ ତିନିଟି ସ୍ଥାନରେ ଭାରତର ଦୁତ ବୋଲର ଭୁବନେଶ୍ୱର କୁମାର (୧୦-୦-୧୦୬-୧), ପାକିସ୍ତାନ ଦ୍ରୁତ ବୋଲର ଓ୍ଵାହବ୍ ରିଆଜ୍ (୧୦-୦-୧୧୦-୦) ଏବଂ ଅଷ୍ଟ୍ରେଲିଆର ମିକ୍ ଲୁଇସ୍ (୧୦-୦-୧୧୩-୦) ରହିଛନ୍ତି।