୩୬ ବର୍ଷ ବୟସରେ ଧୋନିଙ୍କ ପାଖରେ ରହିଛି ୨୬ ବର୍ଷ ବୟସ୍କ ଭଳି ଦମ୍‌: ଶାସ୍ତ୍ରୀ

ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ଙ୍କ ମତ: ସମାଲୋଚକ ନିଜ କ୍ୟାରିୟର ଚିନ୍ତା କରନ୍ତୁ

ନୂଆଦିଲ୍ଲୀ: ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଭାରତୀୟ ଟିମ୍‌ର ଅବିଚ୍ଛେଦ୍ୟ ଅଙ୍ଗ। ଧୋନି ନିଜଠାରୁ ୧୦ ବର୍ଷର କନିଷ୍ଠ ଖେଳାଳିଙ୍କ ଅପେକ୍ଷା ଅଧିକ ଫିଟ୍‌ ଅଛନ୍ତି। ଧୋନିଙ୍କ ଦୁର୍ବଳତା ସମ୍ପର୍କରେ କହିବା ପୂର୍ବରୁ ସମାଲୋଚକ ପ୍ରଥମେ ନିଜର କ୍ୟାରିୟର ସମ୍ପର୍କରେ ଚିନ୍ତା କରିବାର ଦରକାର ଅଛି ବୋଲି ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ କହିଛନ୍ତି।

ବିଗତ କିଛି ଦିନ ହେବ ଧୋନିଙ୍କ ବ୍ୟାଟିଂ ନେଇ ବିଭିନ୍ନ ସମୟରେ ଆଲୋଚନା ହେଉଛି। କିନ୍ତୁ ଧୋନି ଶ୍ରୀଲଙ୍କା ବିରୋଧରେ ପ୍ରଶଂସନିୟ ପ୍ରଦର୍ଶନ କରି ସମାଲୋକଙ୍କର ମୁହଁ ବନ୍ଦ କରି ଦେଇଛନ୍ତି। ଶାସ୍ତ୍ରୀ ଜାତୀୟ ଗଣମାଧ୍ୟମକୁ ଏକ ସାକ୍ଷାତକାରରେ କହିଛନ୍ତି, ଆମେ ମୁର୍ଖ ନୋହୁଁ। ମୁଁ ଗତ ୩୦ରୁ ୪୦ ବର୍ଷ ହେବ ଏହି ଖେଳ ଦେଖି ଆସୁଛି। ବିରାଟ କୋହଲି ମଧ୍ୟ ଗୋଟିଏ ଦଶନ୍ଧି ହେବ କ୍ରିକେଟର ଏକ ପ୍ରମୁଖ ଅଂଶ। ଆମେ ଜାଣିଛେ, ଏହି ବୟସରେ ଧୋନି ୨୬ ବର୍ଷ ଖେଳାଳିଙ୍କ ଭଳି ଲାଗୁଛନ୍ତି। ଯେଉଁ ଲୋକମାନେ ଧୋନିଙ୍କୁ ସମାଲୋଚନା କରୁଛନ୍ତି, ସେମାନେ ଭୁଲି ଯାଇଛନ୍ତି ଯେ, ଧୋନି ଏକଦା ଭଲ ଖେଳିଥିଲେ।

ପୂର୍ବରୁ ଟିମ୍‌ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ଏମ୍‌ଏକେ ପ୍ରସାଦ ସ୍ପଷ୍ଟ ଭାବରେ କହିଥିଲେ, ଯୁବ ଖେଳାଳିମାନଙ୍କ ମଧ୍ୟରେ କୌଣସି ଖେଳାଳି ଧୋନିଙ୍କ ସମକକ୍ଷ ନୁହଁନ୍ତି। ଶାସ୍ତ୍ରୀ ମଧ୍ୟ ଧୋନିଙ୍କୁ ସମର୍ଥନ କରିଛନ୍ତି। ଶାସ୍ତ୍ରୀ କହିଛନ୍ତି, ଯେଉଁମାନେ ଧୋନିଙ୍କୁ ସମାଲୋଚନା କରୁଛନ୍ତି, ସେମାନେ ୩୬ ବର୍ଷରେ କ’ଣ ଥିଲେ। ସେମାନେ ଏହି ବୟସରେ ୨ରନ୍‌ କରୁଥିବା ବେଳେ ଧୋନି ୩ ରନ୍‌ କରୁଛନ୍ତି। ଧୋନି ୨ଟି ବିଶ୍ୱ କପ୍‌ ଜିତିଛନ୍ତି। ତାଙ୍କର ହାରାହାରି ସ୍କୋର ୫୧। ତାଙ୍କ ଭଳି ଏପର୍ଯ୍ୟନ୍ତ ଓ୍ଵିକେଟକିପର ନାହାଁନ୍ତି।

ଧୋନିଙ୍କ ପାଖରେ ଥିବା ଗୁଣ ବଜାରରେ ମିଳିବନି: ଶାସ୍ତ୍ରୀ
ଶାସ୍ତ୍ରୀ କହିଛନ୍ତି, ଧୋନିଙ୍କ ବିକଳ୍ପ ଖୋଜିବା ସହଜ ନୁହେଁ। ସେ କେବଳ ଭାରତରେ ନୁହଁନ୍ତି, ବିଶ୍ୱରେ ସର୍ବଶ୍ରେଷ୍ଠମାନଙ୍କ ମଧ୍ୟରୁ ଅନ୍ୟତମ ଖେଳାଳି। ତାଙ୍କ ପାଖରେ ଏଭଳି ଗୁଣ ଅଛି, ଯାହାକି ବଜାରରେ ମିଳି ନଥାଏ। ଏହା ଆପଣଙ୍କୁ ଆଉ କେଉଁଠି ଦେଖାଯିବ ନାହିଁ।

ଶାସ୍ତ୍ରୀ କହିଛନ୍ତି, ଧୋନି ଟେଷ୍ଟ କ୍ରିକେଟ ଖେଳୁ ନାହାନ୍ତି କିନ୍ତୁ ୨୦୧୯ ବିଶ୍ୱ କପ୍‌ ଖେଳି ପାରିବେ। ଆଗାମୀ ଦକ୍ଷିଣ ଆଫ୍ରିକା ଗସ୍ତ ନେଇ ଶାସ୍ତ୍ରୀ କହିଛନ୍ତି, ଆମ ପାଇଁ ସବୁ ବିପକ୍ଷି ଦଳ ସମାନ। ସମସ୍ତ ବିରୋଧୀ ଦଳଙ୍କୁ ସମ୍ମାନ କରାଯିବା ଦରକାର। ସବୁ ମ୍ୟାଚ ଘରୋଇ ମ୍ୟାଚ ଭଳି। ଦକ୍ଷିଣ ଆଫ୍ରିକା ଗସ୍ତ ମଧ୍ୟ ଏମିତି ହେବ। ଏହି ଟିମ୍‌ ପାଖରେ କିଛି କରିବାର ସୁଯୋଗ ଅଛି। ଏହାକୁ ଆମେ ବିଜୟ ପାଇଁ ଯିବୁ।

ସମ୍ବନ୍ଧିତ ଖବର