ସ୍ପେନ୍‌ ସ୍ୱପ୍ନ ସାକାର

୨୦୧୦ ମସିହାରେ ଫିଫା ବିଶ୍ୱକପ୍‌ ପ୍ରଥମ ଥର ପାଇଁ ଆଫ୍ରିକା ଆସିଥିଲା। ଆୟୋଜକ ଦକ୍ଷିଣ ଆଫ୍ରିକା ପ୍ରଥମ ରାଉଣ୍ଡ୍‌ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ମଧ୍ୟ ମହାଦେଶର ସମ୍ମାନ ରଖି ଘାନା ଦ୍ଵିତୀୟ ରାଉଣ୍ଡ୍‌ ପହଞ୍ଚିଥିଲା। ଅବଶ୍ୟ ଘାନାକୁ କ୍ୱାର୍ଟରଫାଇନାଲ୍‌ରୁ ବିଦାୟ ନେବାକୁ ପଡ଼ିଥିଲା। ୧୩ଟି ୟୁରୋପୀୟ ରାଷ୍ଟ୍ର ମଧ୍ୟରୁ ମାତ୍ର ୬ଟି ଦ୍ଵିତୀୟ ରାଉଣ୍ଡକୁ ଯିବା ଏକ ନୂଆ ସର୍ବନିମ୍ନ ରେକର୍ଡ ଥିଲା। ପ୍ରି-କ୍ୱାର୍ଟରଫାଇନାଲ୍‌ରେ ଇଂଲଣ୍ଡକୁ ଜର୍ମାନି ୪-୧ରେ ପିଟିଥିବା ବେଳେ ଦୁଇ ୟୁରୋପୀୟ ଫୁଟ୍‌ବଲ୍‌ ଶକ୍ତି ନେଦରଲାଣ୍ଡ୍‌ ଓ ସ୍ପେନ୍‌ ଫାଇନାଲ୍‌ରେ ପହଞ୍ଚିଥିଲେ। ୟୁରୋପୀୟ ବିଜେତା ସ୍ପେନ୍‌ ନକ୍‌ ଆଉଟ୍‌ ପର୍ଯ୍ୟାୟରେ ପର୍ତୁଗାଲ୍‌, ପାରାଗୁଏ ଏବଂ ଜର୍ମାନିକୁ ସମାନ ୧-୦ ଲେଖାଏଁ ଗୋଲ୍‌ରେ ହରାଇ ଫାଇନାଲ୍‌ ଆସିଥିବା ବେଳେ ନେଦରଲାଣ୍ଡ୍‌ ୨-୧ ଲେଖାଏଁରେ ସ୍ଲୋଭାକିଆ ଓ ବ୍ରାଜିଲ୍‌କୁ ହରାଇଥିବା ବେଳେ ୟୁରୁଗୁଏକୁ ୩-୨ରେ ହରାଇ ଟାଇଟଲ୍‌ ଲଢ଼େଇରେ ଅବତୀର୍ଣ ହୋଇଥିଲା। ଫାଇନାଲ୍‌ କିନ୍ତୁ ନକାରାତ୍ମକ ଧାରଣା ଆଣିଥିଲା ୧୪ଟି ହଳଦିଆ କାର୍ଡ ସହ। ନେଦରଲାଣ୍ଡ୍‌ ସେଣ୍ଟର୍‌ ବ୍ୟାକ୍‌ ଜନ୍‌ ହେଟିଗା ଦୁଇ ଥର ହଳଦିଆ କାର୍ଡ ସହ ପଡ଼ିଆ ଛାଡ଼ିଥିଲେ। ନିୟମିତ ୯୦ ମିନିଟ୍‌ ଗୋଲଶୂନ୍ୟ ରହିବା ପରେ ଅତିରିକ୍ତ ସମୟରେ ଆନ୍ଦ୍ରେ ଇନିସ୍ତାଙ୍କ ଗୋଲ୍‌ ସ୍ପେନ୍‌କୁ ପ୍ରଥମ ଥର ବିଶ୍ୱକପ୍‌ ବିଜୟର ଗୌରବ ଦେଇଥିଲା। ନିଜ ଦୀର୍ଘ ଦିନରୁ ଅଧୁରା ସ୍ୱପ୍ନକୁ ସାକାର କରିଥିଲା। ପ୍ରଥମ ୟୁରୋପୀୟ ଦେଶ ଭାବେ ମହାଦେଶ ବାହାରେ ବିଶ୍ୱକପ୍‌ ଜିତିଥିଲା ସ୍ପେନ୍‌। ଜର୍ମାନିର ଥମାସ ମୁଲାର୍‌, ନେଦରଲାଣ୍ଡ୍‌ର େଓ୍ଵସଲି ସ୍ନାଇଡର୍‌, ସ୍ପେନ୍‌ର ଡେଭିଡ୍‌ ଭିଲା, ଉରୁଗୁଏର ଡିଏଗୋ ଫୋର୍‌ଲାନ୍‌ ୫ଟି ଲେଖାଏଁ ଗୋଲ୍‌ ଦେଇ ମିଳିତ ଭାବେ ଶୀର୍ଷରେ ରହିଥିଲେ। ମୁଲାର୍‌ ସୁନା ଜୋତା ଏବଂ ଫୋର୍‌ଲାନ୍‌ ସୁନା ବଲ୍‌ ବିଜେତା ହୋଇଥିଲେ। ସ୍ପେନ୍‌ ଅଧିନାୟକ ଆଇକର୍‌ କାସିଲାସ୍‌ ସ୍ୱର୍ଣ୍ଣିମ ଗ୍ଲୋଭ୍‌ସ ପୁରସ୍କାର ଏବଂ ମୁଲାର୍‌ ଶ୍ରେଷ୍ଠ ଯୁବ ଖେଳାଳି ପୁରସ୍କାର ହାତେଇଥିଲେ। ୬୪ ମ୍ୟାଚ୍‌ରୁ ୧୪୫ ଗୋଲ୍‌ ସ୍କୋର୍‌ ହୋଇଥିବା ବେଳେ ୟୁରୁଗୁଏକୁ ହରାଇ ଜର୍ମାନି କାଂସ୍ୟ ପଦକ ଜିତିଥିଲା।

ସମ୍ବନ୍ଧିତ ଖବର