ଗୋଆ, କେରଳରେ ଫସିଛନ୍ତି ୬୦ରୁ ଅଧିକ ଶ୍ରମିକ : କରୋନା ପାଇଁ କାମ ବନ୍ଦ, ଖାଇବାକୁ ପାଖରେ ପଇସା ନାହିଁ, ଉଦ୍ଧାର ପାଇଁ ଭିଡିଓ ଜରିଆରେ ନିବେଦନ
ବାହାର ରାଜ୍ୟରେ ଫସି ରହିଛନ୍ତି କଳାହାଣ୍ଡିର ୨୫ ଶ୍ରମିକ ଓ ୨୧ ତୀର୍ଥଯାତ୍ରୀ
ନୟାଗଡ଼ : କରୋନା ପାଇଁ ସାରା ଦେଶରେ ଲକ୍ଡାଉନ୍ ଘୋଷଣା ପରେ ସବୁଠୁ ଅଧିକ ଦୁର୍ଦ୍ଦଶାରେ ପଡ଼ିଛନ୍ତି ଶ୍ରମିକ ଗୋଷ୍ଠୀ। ସ୍ଥାନୀୟ ଶ୍ରମିକଙ୍କଠାରୁ ଆରମ୍ଭ କରି ବିଭିନ୍ନ ଅଞ୍ଚଳରୁ ଯାଇ ରାଜ୍ୟ ବାହାରେ କାମ କରୁଥିବା ଶ୍ରମିକଙ୍କ ଅବସ୍ଥା ଦୟନୀୟ ହୋଇପଡ଼ିଲାଣି। ନା ସେମାନଙ୍କ ପାଖରେ ଦୈନନ୍ଦିନ ଚଳିବା ତଥା ଖାଇବା, ପିଇବା ପାଇଁ ଟଙ୍କା ଅଛି ନା ଘରକୁ ଫେରି ପାରୁଛନ୍ତି। ସମସ୍ତ ଟ୍ରେନ୍, ବସ୍ ଚଳାଚଳ ବନ୍ଦ ହୋଇଯାଇଥିବାରୁ ଶ୍ରମିକମାନେ କିଂକର୍ତ୍ତବ୍ୟବିମୂଢ଼ ସ୍ଥିତିରେ ପଡ଼ିଯାଇଛନ୍ତି। ଏହି ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ୍ ସୁନାମୁହିଁ ଗ୍ରାମର ପ୍ରାୟ ୩୦ ଜଣ ଶ୍ରମିକ ଗୋଆରେ ଓ ଗଣିଆ ବ୍ଲକ୍ ଛାମୁଣ୍ଡିଆ, ଖଣ୍ଡପଡ଼ା, ଭାପୁର ଅଞ୍ଚଳର ୩୪ ଶ୍ରମିକ କେରଳରେ ଫସିଯାଇଥିବା ଖବର ମିଳିଛି। ସୁନାମୁହିଁ ଗ୍ରାମର ଶ୍ରମିକମାନେ ଗୋଆର ଆଞ୍ଜୁନ୍ ଅଞ୍ଚଳରେ ଫସି ରହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଗୋଆରେ ଦିନ ମଜୁରିଆ ଭାବେ କାର୍ଯ୍ୟ କରିବାକୁ ଯାଇଥିଲେ। ଦେଶରେ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଗତ ୨୪ ତାରିଖରେ ଲକ୍ଡାଉନ୍ ଘୋଷଣା ପରେ ଏହି ଶ୍ରମିକମାନେ ସମସ୍ୟାରେ ପଡ଼ିଯାଇଛନ୍ତି। କରୋନା ପାଇଁ ସମସ୍ତ କାମ ଠପ୍ ହୋଇ ଯାଇଥିବାରୁ, ହାତରେ ଆଉ କାମ ନାହିଁ। ଯେତିକି ଟଙ୍କା ନିଜ ପାଖରେ ସଞ୍ଚୟ କରି ରଖିଥିଲେ, ତାହା ମଧ୍ୟ ସରି ଆସିଲାଣି। ଟ୍ରେନ୍ ଚଳାଚଳ ବନ୍ଦ ହୋଇଯାଇଥିବାରୁ ଏମାନେ ଘରକୁ ମଧ୍ୟ ଫେରିପାରୁନାହାନ୍ତି। ପାଖରେ ଆଉ ଟଙ୍କା ନଥିବାରୁ ଏମାନେ ଉପବାସରେ ଦିନ କାଟିବାକୁ ବାଧ୍ୟ ହେଉଛନ୍ତି। ଶ୍ରମିକ ପ୍ରକାଶ ନାୟକ, ଜିତୁ ନାୟକ, ଦିଲୀପ ନାୟକ, ପ୍ରଶାନ୍ତ ନାୟକ, ଅଶୋକ ନାୟକ ପ୍ରମୁଖ ଏକ ଭିଡିଓ ଜରିଆରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ସମେତ ନୟାଗଡ଼ ବିଧାୟକଙ୍କୁ ସେମାନଙ୍କୁ ଘରକୁ ଫେରାଇ ଆଣିବାକୁ ଏକ ଭିଡିଓ ଜରିଆର ନିବେଦନ କରିଛନ୍ତି। ଏଥି ସହିତ ସରକାର ତୁରନ୍ତ କିଛି ସହାୟତା ବ୍ୟବସ୍ଥା କରିବାକୁ ‘ସମ୍ବାଦ’ ଜରିଆରେ ଜଣାଇଛନ୍ତି।
ସେହିଭଳି ଗଣିଆ ବ୍ଲକ୍ ଛାମୁଣ୍ଡିଆ ଅଞ୍ଚଳର ଶ୍ରମିକ ସୁଧାକର ମୁଦୁଲିଙ୍କ ସମେତ ଟୁନା ନାୟକ ପ୍ରମୁଖ ୩୪ ଜଣ ଶ୍ରମିକ କେରଳର କୁଟିକାଟର ବସ୍ତିରେ ରହିଛନ୍ତି। ଏମାନଙ୍କ ମଧ୍ୟରେ ଖଣ୍ଡପଡ଼ା, ଭାପୁର ଅଞ୍ଚଳର ଶ୍ରମିକ ମଧ୍ୟ ରହିଛନ୍ତି। ଲକ୍ଡାଉନ୍ ଘୋଷଣା କରାଯାଇଥିବାରୁ ଆମେ ସମସ୍ତେ ଏକାଠି ହୋଇପାରୁନଥିବା ସୁଧାକର କହିଛନ୍ତି। ଏଠାରେ ଦିନ ମଜୁରିଆ ଭାବେ କାମ କରୁଥିବାରୁ ଯାହା ଟଙ୍କା ରୋଜଗାର କରିଥିଲୁ, ତାହା ସରିଆସିଲାଣି। ଆମେ ଏଠାରେ ଖାଇବୁ କେମିତି, ବଞ୍ଚିବୁ କେମିତି ବୋଲି ସୁଧାକର କହିଛନ୍ତି। ଓଡ଼ିଶା ସରକାର ଆମକୁ ଏଠାରୁ ଉଦ୍ଧାର କରନ୍ତୁ ବୋଲି ସୁଧାକର ‘ସମ୍ବାଦ’ ଜରିଆରେ ନିବେଦନ କରିଛନ୍ତି।
ବାହାର ରାଜ୍ୟରେ ଫସି ରହିଛନ୍ତି କଳାହାଣ୍ଡିର ୨୫ ଶ୍ରମିକ ଓ ୨୧ ତୀର୍ଥଯାତ୍ରୀ
ଭବାନୀପାଟଣା : ଲକ୍ଡାଉନ ଯୋଗୁଁ ଆନ୍ଧ୍ରପ୍ରଦେଶରେ କଳାହାଣ୍ଡିର ୨୫ ଜଣ ଶ୍ରମିକ ଏବଂ ତିରୁପତିକୁ ଯାଇଥିବା ୨୧ଜଣ ତୀର୍ଥଯାତ୍ରୀ ଫସି ରହିଛନ୍ତି। ଏମାନଙ୍କ ପାଖରେ ଟଙ୍କା ପଇସା କିଛି ନଥିବାରୁ ବହୁ କଷ୍ଟରେ ଦିନ କାଟୁଛନ୍ତି। ଏମାନଙ୍କୁ ଉଦ୍ଧାର କରିବା ପାଇଁ ସୋସିଆଲ ମିଡିଆ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଗୁହାରି କରିଛନ୍ତି। ସମସ୍ତ ଦାଦନ ଶ୍ରମିକ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଘରବାହୁଡ଼ା ପାଇଁ ନିବେଦନ କରିଛନ୍ତି। ଦାଦନ ଶ୍ରମିକମାନେ ଆନ୍ଧ୍ରପ୍ରଦେଶର ଅଚ୍ୟୁତପୁରମ କୁମାରପଲ୍ଲମରେ ଫସି ରହିଛନ୍ତି। କଂପାନି ପକ୍ଷରୁ ଦୁଇମାସର ଦରମା ଦେଇନଥିବା ବେଳେ ଖାଇବା ପାଇଁ ମଧ୍ୟ କିଛି ବ୍ୟବସ୍ଥା କରି ନାହିଁ ବୋଲି ଏମାନେ ପ୍ରକାଶ କରିଛନ୍ତି। ଏହି ଶ୍ରମିକମାନେ ଜୁନାଗଡ଼, ଗୋଲାମୁଣ୍ଡା, କେସିଙ୍ଗା ବ୍ଲକ୍ ଅଞ୍ଚଳର ବୋଲି ଜଣାପଡ଼ିଛି।ସେହିଭଳି ଭବାନୀପାଟଣା ସହରର ୬ଟି ପରିବାର ୨୧ଜଣ ସଦସ୍ୟ ତିରୁପତି ଦର୍ଶନ ପାଇଁ ଯାଇ ସେଠାରେ ଫସି ରହିଛନ୍ତି। ଏମାନେ ଗତ ୧୮ ତାରିଖ ଦିନ ତିରୁପତି ଦର୍ଶନ ପାଇଁ ଯାଇଥିଲେ। ହେଲେ ୨୦ ତାରିଖ ଦିନ ଟ୍ରେନ୍ ଚଳାଚଳ ବନ୍ଦ ହେବାରୁ ଆଉ ଫେରି ପାରି ନାହାନ୍ତି। ସେମାନଙ୍କ ପାଖରେ ଯାହା ପଇସାପତ୍ର ଥିଲା ସବୁ ସରିଗଲାଣି। ଖାଇବା ପିଇବାକୁ ମଧ୍ୟ କିଛି ମିଳୁନାହିଁ ବୋଲି କହିଛନ୍ତି। ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଏମାନଙ୍କୁ ଉଦ୍ଧାର କରି ନିଜ ଗାଁକୁ ଫେରାଇ ଆଣିବାକୁ ଗୁହାରି କରିଛନ୍ତି।