ରାସନ୍‌ କାର୍ଡ ଅପେକ୍ଷାରେ ଲକ୍ଷେ ହିତାଧିକାରୀ

ଭୁବନେଶ୍ୱର : ରାଜ୍ୟରେ ଯୋଗ୍ୟ ହିତାଧିକାରୀଙ୍କୁ ରାସନ୍‌ କାର୍ଡ ମିଳୁନି। ଆବେଦନ କରି ମାସ ମାସ ଅପେକ୍ଷା କରୁଥିଲେ ବି ସେମାନଙ୍କୁ ହକ୍‌ ମିଳୁନି। ରାଜ୍ୟରେ ଏବେ ୧ ଲକ୍ଷରୁ ଅଧିକ ଆବେଦନ ସେମିତି ଫାଇଲ୍‌ ଭିତରେ ପଡ଼ି ରହିଛି। କିନ୍ତୁ ଏବେ ବି ଅଯୋଗ୍ୟ ହିତାଧିକାରୀ ତାଲିକାରେ ଅଛନ୍ତି। ମରିଗଲା ପରେ ବି ଲୋକଙ୍କ ନାମ ତାଲିକାରୁ କଟୁନି। ଏ ନେଇ ଭୀଷଣ ଉଦ୍‌ବେଗ ପ୍ରକାଶ କରିଛନ୍ତି ରାଜ୍ୟ ଖାଦ୍ୟ କମିସନ୍‌ର ଅଧ୍ୟକ୍ଷ ରଙ୍ଗଲାଲ ଜାମୁଡ଼ା। ଜିଲ୍ଲାପାଳମାନଙ୍କୁ ଏକ କଡ଼ା ଚିଠି ଲେଖି ତୁରନ୍ତ ସ୍ଥିତି ସୁଧାରିବାକୁ ତାଗିଦ୍‌ କରିଛନ୍ତି।

୨୦୧୭ ଜୁନ୍‌ ସୁଦ୍ଧା ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌ରେ ଅନ୍ତର୍ଭୁକ୍ତ ହେବା ପାଇଁ ୧.୧୧ ଲକ୍ଷ ଆବେଦନ ହୋଇଥିଲା। ଏହା ମଧ୍ୟରେ ପାଞ୍ଚ ମାସ ବିତିଯାଇଥିଲେ ବି ସ୍ଥିତିରେ ଆଖିଦୃଶିଆ ଉନ୍ନତି ଆସି ନାହିଁ। ଏବେ ବି ତାହା ମଧ୍ୟରୁ ପ୍ରାୟ ୧ ଲକ୍ଷ ଆବେଦନ ପତ୍ର ପଡ଼ି ରହିଛି। ପଡ଼ି ରହିଥିବା ଆବେଦନ ମଧ୍ୟରୁ ୫୮ ପ୍ରତିଶତ କେବଳ ୫ଟି ଜିଲ୍ଲାରେ। ସେଗୁଡ଼ିକ ହେଲା ଖୋର୍ଦ୍ଧା, ନୂଆପଡ଼ା, କେନ୍ଦୁଝର, କଟକ ଓ ପୁରୀ। କେବଳ ଦେବଗଡ଼ ଓ ମାଲକାନଗିରି ଜିଲ୍ଲାକୁ ବାଦ୍‌ ଦେଲେ ଅନ୍ୟ ସବୁ ଜିଲ୍ଲାରେ ଆବେଦନପତ୍ର ପଡ଼ି ରହିଛି।

ଗତ ଜୁଲାଇରୁ ସେପ୍ଟମ୍ବର ମଧ୍ୟରେ ନୂଆ ରାସନ୍‌ କାର୍ଡ ପାଇଁ ୬୨,୬୬୯ ଆବେଦନପତ୍ର ଆସିଥିଲା। ତେବେ ଦୁର୍ଗମ ଅଞ୍ଚଳ, ବିଭିନ୍ନ ବସ୍ତି, ପାହାଡ଼ିଆ ଅଞ୍ଚଳରେ ଘରକୁ ଘର ବୁଲି ଏ ଦିଗରେ ଲୋକଙ୍କୁ ସଚେତନ କରିବା ସହ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌ରୁ ବାଦ୍‌ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଠାରୁ ଆବେଦନପତ୍ର ଆଣିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏ ଦିଗରେ ପଞ୍ଚାୟତ ପ୍ରତିନିଧିମାନଙ୍କ ସହଯୋଗ ନେବାକୁ କୁହାଯାଇଥିଲା। ଅକ୍ଟୋବର ୨୦ ତାରିଖ ସୁଦ୍ଧା ବିଡିଓମାନଙ୍କ ନିକଟରେ ସମସ୍ତ ଆବେଦନପତ୍ର ଦାଖଲ କରିବାକୁ ତାରିଖ ସ୍ଥିର ହୋଇଥିଲା। କିନ୍ତୁ ଏହି ଅଭିଯାନ ଆଶାନୁରୂପ ହୋଇ ନ ଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ଖାଦ୍ୟ କମିସନ୍‌ ଅଧ୍ୟକ୍ଷ। ଏହି ସ୍ୱତନ୍ତ୍ର ଅଭିଯାନକୁ ତ୍ୱରାନ୍ଵିତ କରି ଡିସେମ୍ବର ୩୧ ସୁଦ୍ଧା ପ୍ର୍ରକ୍ରିୟା ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ ବି ଯଦି କେହି ଯୋଗ୍ୟ ହିତାଧିକାରୀ ବାଦ୍‌ ପଡ଼ନ୍ତି, ତେବେ ସ୍ଥାନୀୟ ପଞ୍ଚାୟତ ପ୍ରତିନିଧି ଏଥି ପାଇଁ ଉତ୍ତରଦାୟୀ ରହିବେ ବୋଲି ଅଧ୍ୟକ୍ଷ ସ୍ପଷ୍ଟ କରିଛନ୍ତି।

ମୃତ ଲୋକମାନଙ୍କ ନାମ ତାଲିକାରୁ କଟା ଯାଉ ନ ଥିବାରୁ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି କମିସନ୍‌ ଅଧ୍ୟକ୍ଷ। ବହୁ ପରିବାର ଯୋଗ୍ୟତା ଥାଇ ରାସନ୍‌ କାର୍ଡ ପାଉ ନ ଥିଲା ବେଳେ ରାସନ୍‌ କାର୍ଡରୁ ମୃତ ବ୍ୟକ୍ତିଙ୍କ ନାମ ହଟୁ ନାହିଁ। ଯଦିଓ କିଛି ମୃତ ଲୋକଙ୍କ ନାମ କଟାଯାଇଛି, ତେବେ ପ୍ରକୃତ ମୃତକଙ୍କ ସଂଖ୍ୟା ଠାରୁ ତାହା ବହୁତ କମ୍‌। ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଜିଲ୍ଲାପାଳମାନଙ୍କୁ ଅଧ୍ୟକ୍ଷ ଲେଖିଥିବା ଚିଠିରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଲ୍ଲେଖ କରାଯାଇଛି। ଯେଉଁ ଆବେଦନକାରୀ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନଙ୍କୁ ନୂଆ ରାସନ୍‌ କାର୍ଡ ଦିଆଯାଉଛି କିମ୍ବା ସେମାନଙ୍କ ନାମ ‘ଫାଇନାଲ୍‌ ପ୍ରାୟୋରିଟି ଲିଷ୍ଟ’(ଏଫ୍‌ପିଏଲ୍‌)ରେ ରଖାଯାଉଛି। ଏହି ତାଲିକାରେ ନାମ ଅନ୍ତର୍ଭୁକ୍ତ ହେବା ମାତ୍ରେ ସଂପୃକ୍ତ ବ୍ୟକ୍ତି ରାସନ୍‌ ସାମଗ୍ରୀ ପାଇବାକୁ ହକ୍‌ଦାର ଓ ତାହା ‘ରାସନ୍‌ ଡିଷ୍ଟ୍ରିବ୍ୟୁସନ୍‌ ରେଜିଷ୍ଟର୍‌’ରେ ଉଲ୍ଲେଖ ହେବା କଥା। ଯୋଗାଣ ବିଭାଗ ପକ୍ଷରୁ ମାସକ ଭିତରେ ସେମାନଙ୍କୁ ଛପା ରାସନ୍‌ କାର୍ଡ ଦେବାର ବ୍ୟବସ୍ଥା ରହିଛି। କିନ୍ତୁ ସେପ୍ଟମ୍ବର ସୁଦ୍ଧା ୨୨ ଲକ୍ଷରୁ ଅଧିକ ପରିବାର ଛପା ରାସନ୍‌ କାର୍ଡ ପାଇ ନାହାନ୍ତି। ଏହି କାମ କରିବା ପାଇଁ ବିଭାଗ ପକ୍ଷରୁ ନିଯୁକ୍ତ ସଂସ୍ଥା ତା’ର ଦାୟିତ୍ୱ ଠିକ୍‌ ଭାବେ ତୁଲାଉନି ବୋଲି ସ୍ପଷ୍ଟ ଭାବେ ଖାଦ୍ୟ କମିସନ୍‌ ଅଧ୍ୟକ୍ଷ ମତ ରଖିଛନ୍ତି। ଏହା ଦ୍ୱାରା ଖାଦ୍ୟଶସ୍ୟ ହେର୍‌ଫେର୍‌ ହେବାର ଆଶଙ୍କା ରହିଛି। ଡିସେମ୍ବର ୩୧ ତାରିଖ ସୁଦ୍ଧା ସମସ୍ତ ଖାଦ୍ୟ ସୁରକ୍ଷା ଆଇନ୍‌ରେ ଅନ୍ତର୍ଭୁକ୍ତ ସମସ୍ତ ପରିବାରକୁ ଛପା ରାସନ୍‌ କାର୍ଡ ଯୋଗାଇ ଦେବାକୁ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି।

୨୦୧୭ ସେପ୍ଟମ୍ବର ଶେଷ ସୁଦ୍ଧା ଆସିଥିବା ଆବେଦନପତ୍ର ଉପରେ ନଭେମ୍ବର ୩୦ ସୁଦ୍ଧା ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଥିଲା। କିନ୍ତୁ ଏହା ମଧ୍ୟରୁ ଅଧିକାଂଶ ଆବେଦନ ସେମିତି ପଡ଼ି ରହିଛି। ଏହା ମଧ୍ୟରେ ଆହୁରି ଅଧିକ ଆବେଦନ ମଧ୍ୟ ହୋଇସାରିଲାଣି। ତେଣୁ ଅକ୍ଟୋବର ସୁଦ୍ଧା ଆସିଥିବା ସମସ୍ତ ଆବେଦନପତ୍ର ଉପରେ ଡିସେମ୍ବର ସୁଦ୍ଧା ପଦକ୍ଷେପ ନେବା ପାଇଁ କମିସନ୍‌ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଏହି ସମୟସୀମା ମଧ୍ୟରେ ପଦକ୍ଷେପ ନିଆ ନ ଯାଏ, ତେବେ କାମରେ ଖିଲାପ କରିଥିବା ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ବି ଦେଇଛନ୍ତି।

ସମ୍ବନ୍ଧିତ ଖବର