ଜାନୁଆରି ୨୩ ତାରିଖ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏକ ପୁଣ୍ୟ ଦିବସ: ସୌମ୍ୟରଞ୍ଜନ ପଟ୍ଟନାୟକ

କଟକ: ଜାନୁଆରି ମାସ ୨୩ ତାରିଖ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏକ ପୁଣ୍ୟ ଦିବସ। ଦେଶର ଦୁଇ ମହାନ ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ମହାନ ବୀର ସୁରେନ୍ଦ୍ର ସାଏ ଆଜିର ଦିନରେ ଏହି ମାଟିରେ ଜନ୍ମ ଗ୍ରହଣ କରି ଆମକୁ ଧନ୍ୟ କରିଛନ୍ତି। ଉଭୟ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ତ୍ୟାଗ, ସାହସ ଓ ସଂଗ୍ରାମର ପଟାନ୍ତର ନାହିଁ। ଏହି ମାଟିରେ ଜନ୍ମ ହୋଇ ଆମକୁ ଧନ୍ୟ କରିଥିବା ଦେଶର ଏହି ଦୁଇ ମହାନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଉତ୍ତରପିଢ଼ି ସେମାନଙ୍କ ପରି ସାହସୀ, ତ୍ୟାଗୀ ଓ ସଂଗ୍ରମୀ ହୋଇପାରିଲେ, ଏହା ସେମାନଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ‘ସମ୍ବାଦ’ର ସମ୍ପାଦକ ତଥା ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି।

ଆଜି ସକାଳେ ସାଂସଦ ଶ୍ରୀ ପଟ୍ଟନାୟକ କଟକ ଓଡ଼ିଆ ବଜାରସ୍ଥିତ ନେତାଜୀ ସଂଗ୍ରହାଳୟରେ ପହଞ୍ଚି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ସେଠାରେ ଉପସ୍ଥିତ ଜନତାଙ୍କୁ ଉଦ୍‌ବୋଧନ ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ନେତାଜୀ ଜଣେ ଭଲ ଛାତ୍ର ଥିଲେ। ସେହିପରି ସ୍ୱାଧୀନତା ସଂଗ୍ରାମରେ ସାମିଲ୍ ହେବା ପରେ ସେ ତାଙ୍କର  ମୂଲ୍ୟବୋଧ ଓ ଆଦର୍ଶରେ ପରିଚାଳିତ ହେଉଥିଲେ । ଏପରିକି ସେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଅତ୍ୟନ୍ତ ଭଲ ପାଉଥିଲେ ମଧ୍ୟ ନିଜର ମୂଲ୍ୟବୋଧ, ଆଦର୍ଶ ଓ ନିଜ ବିଶ୍ୱାସ ପାଇଁ ସେ ତାଙ୍କୁ ନୀତିକୁ ବିରୋଧ କରିବାକୁ ପଛାଉ ନ ଥିଲେ। ତେଣୁ ଯୁବଗୋଷ୍ଠୀ ଓ ଛାତ୍ର ସମାଜ ନେତାଜୀଙ୍କ ପରି ନିର୍ଭୀକ ହେବାକୁ ସାଂସଦ ଶ୍ରୀ ପଟ୍ଟନାୟକ ଆହ୍ଵାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ପୌରୁଷର ସମ୍ପାଦକ ଅସିତ ମହାନ୍ତି, ଆମ ଓଡ଼ିଶାର ସମ୍ପାଦକ ସ୍ବରାଜ  ମିଶ୍ର, ସମ୍ବାଦ ପରିବାରର କୃଷ୍ଣଚନ୍ଦ୍ର ସାହୁ, ସୀମନ୍ତିକା ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର