ଡକାୟତି ଯୋଜନା ପଣ୍ଡ, ୪ ଦୁର୍ଦାନ୍ତ ଅପରାଧୀ ଗିରଫ

ମାଉଜର ସମେତ ମାରଣାସ୍ତ୍ର ଓ ବାଇକ ଜବତ, ଖସିଗଲା ଗ୍ୟାଙ୍ଗ୍ ମୁଖ୍ୟ, ଅନୁଗୁଳରୁ ଆସିଥିଲେ ରାଜଧାନୀରେ ଡକାୟତି କରିବାକୁ

ଭୁବନେଶ୍ବର/ବାଲିଅନ୍ତା : ରାଜଧାନୀ ଉପକଣ୍ଠରେ ଏକ ବଡ଼ ଧରଣର ଡକାୟତି ଯୋଜନାକୁ ଆଜି କୁଇକ୍‌ ଆକ୍ସନ ଟିମ୍ ପଣ୍ଡ କରିଛି। ଅନୁଗୁଳରୁ ଆସି ଧଉଳି ଥାନା ଅଧୀନ ନୂଆଗାଁରେ ଡେରା ପକାଇଥିବା କୁଖ୍ୟାତ ଡକାୟତି ଗ୍ୟାଙ୍ଗର ପର୍ଦାଫାସ କରିଛି ପୁଲିସ। ଧରାପଡ଼ିଥିବା ଅଭିଯୁକ୍ତମାନେ ହେଲେ, ରାଜୁ ସେଠୀ, ଅବିନାଶ ସେଠୀ, ଶୂନ୍ୟବାଣୀ ସାହୁ, ଚିନ୍ମୟ ସାହୁ ପ୍ରମୁଖ। ସମସ୍ତଙ୍କ ଘର ଅନୁଗୁଳରେ। ଏଠାରେ ସେମାନେ ନୂଆଗାଁରେ ଏକ ଭଡ଼ା ଘର ନେଇ ରହୁଥିଲେ। ପୁଲିସ ସେମାନଙ୍କ ନିକଟରୁ ଗୋଟିଏ ମାଉଜର, ଦୁଇଟି ଅଫୁଟା ଗୁଳି, ଲୁହାରଡ, ୯ଟି ମୋବାଇଲ ଫୋନ, ବାଇକ ଓ ମୋପେଡ୍‌ ଆଦି ଜବତ କରିଛି। ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ପୁଲିସଠାରୁ ମିଳିଥିବା ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ କୁଇକ ଆକ୍ସନ ଟିମ୍‌କୁ ଖବର ମିଳିଥିଲା କି ଅପସରା ଗାର୍ଡେନ୍‌ ନିକଟରେ କେତେକ ସନ୍ଦିଗ୍ଧ ଯୁବକ ବସି କିଛି ଯୋଜନା କରୁଛନ୍ତି। ଖବର ପାଇବା ପରେ କୁଇକ ଆକ୍ସନ୍‌ ଟିମ୍‌ ମୁଖ୍ୟ ଶୁଭେନ୍ଦୁ ସାହୁ ଓ ତାଙ୍କ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯୁବକମାନଙ୍କୁ କାବୁ କରିଥିଲେ। ଏହି ସମୟରେ ଗ୍ୟାଙ୍ଗ ମୁଖ୍ୟ ଖସି ପଳାଇଥିଲା। ପୁଲିସ ଜାଣିବାକୁ ପାଇଛି ତା ନାଁରେ ଅନୁଗୁଳରେ ଏକାଧିକ ଡକାୟତି ମାମଲା ରହିଛି। ସେହି ଗ୍ୟାଙ୍ଗ ମୁଖ୍ୟଜଣକ ନୂଆ ପିଲାଙ୍କୁ ଭୁବନେଶ୍ବର ଆଣି ଉପକଣ୍ଠରେ ଡକାୟତି କରିବା ପାଇଁ ଯୋଜନା କରିଥି‌ଲା। ଏପରିକି ସେହି ଗ୍ୟାଙ୍ଗ୍ ମୁଖ୍ୟ ନାଁରେ ମଧ୍ୟ ଭୁବନେଶ୍ବରର କେତେକ ଥାନାରେ ମାମଲା ରହିଛି।

ସମ୍ବନ୍ଧିତ ଖବର