୯୫%ରୁ ଅଧିକ ଲୋକଙ୍କ ନିକଟରେ ରିଲିଫ ପହଞ୍ଚିଲାଣି, ୫ ବାତ୍ୟା ପ୍ରଭାବିତ ଜିଲ୍ଲାରେ ସ୍ଥିତି ସ୍ବାଭାବିକ ହେଉଛି

ଭୁବନେଶ୍ବର : ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ପନୁଃସଂସ୍ଥାପନ ଓ ରିଲିଫ ବିତରଣ କାର୍ଯ୍ୟ ଜୋରଦାର ହେଉଛି। ବର୍ତ୍ତମାନ ସୁଦ୍ଧା ୯୫% ରୁ ଅଧିକ ଲୋକଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ରିଲିଫ ମିଳିଛି। ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ସ୍ଥିତି ସୁଧୁରୁଥିବାବେଳେ ପୁରୀ ଜିଲ୍ଲାକୁ ଛାଡ଼ି ସବୁଠି ପ୍ରାୟ ସ୍ବାଭାବିକ ପରିସ୍ଥିତି ଫେରିଲାଣି ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ସଞ୍ଜୟ ସିଂହ କହିଛନ୍ତି।

ଆଜି ଜୟଦେବ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଂହ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ୫ଟି ଜିଲ୍ଲାରେ ଏବେ ବାତ୍ୟା ସହାୟତା ପ୍ରଦାନ କରାଯାଉଥିବାବେଳେ ୯୫.୨୯% ହିତାଧିକାରୀଙ୍କୁ ନଗଦ ଅର୍ଥ ପ୍ରଦାନ କରାଯାଇଛି। ୯୪.୬୧% ହିତାଧିକାରୀଙ୍କୁ ଚାଉଳ ଦିଆଯାଇଛି। ମୋଟ୍‌ ୭ଲକ୍ଷ ୫୩ହଜାର ୩୭୭ ଜଣ ହିତାଧିକାରୀଙ୍କ ମଧ୍ୟରୁ ୫ଲକ୍ଷ ୨୦ହଜାର ୩୦୮ଜଣଙ୍କୁ ପଲିଥିନ୍ ବା ପଲିଥିନ୍ ପାଇଁ ୫୦୦ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ୫ଜିଲ୍ଲାରେ ୯୦.୬୪% ଲୋକଙ୍କୁ ଅତିରିକ୍ତ ମାସିକ ଭତ୍ତା ପ୍ରଦାନ କରାଯାଇଛି।

ଏହାବାଦ୍ ବ୍ୟାଙ୍କ ସେବା, ସ୍ବାସ୍ଥ୍ୟ ସେବା, ପାନୀୟ ଜଳ ଯୋଗାଣ, ଟେଲି ଯୋଗାଯୋଗ, ଏଟିଏମ୍‌ ସେବା, ବିଦ୍ୟୁତ ପୁନଃସଂଯୋଗ ସ୍ଥିତି ସୁଧୁରୁଥିବାବେଳେ ପୁରୀ ଜିଲ୍ଲାରେ କେବଳ ବିଦ୍ୟୁତ ପୁନଃସଂଯୋଗ ଏବଂ ଏଟିଏମ୍‌ ସେବା ସ୍ଥିତି ସ୍ବାଭାବିକ ହୋଇପାରିନି। ଯଥାସମ୍ଭବ ଶୀଘ୍ର ସ୍ଥିତି ସୁଧୁରିବ ବୋଲି ଶ୍ରୀ ସିଂହ କହିଛନ୍ତି।

ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ମୋଟ୍‌ ୧୭,୯୨,୧୨୫ଜଣ ହିତାଧିକାରୀଙ୍କ ମଧ୍ୟରୁ ଆଜି ସୁଦ୍ଧା ୧୭,୦୭,୬୬୯ଜଣଙ୍କୁ ନଗଦ ଅର୍ଥ ଆକାରରେ ସହାୟତା ପ୍ରଦାନ କରାଯାଇଛି। ପୁରୀ ଜିଲ୍ଲାରେ ୯୩.୭୪%, ଖୋର୍ଦ୍ଧା ଜିଲ୍ଲାରେ ୯୭.୮୩%, ଜଗତସିଂହପୁର ଜିଲ୍ଲାରେ ୯୫%, କେନ୍ଦ୍ରାପଡ଼ା ଜିଲ୍ଲାରେ ୯୫.୭୩%, କଟକ ଜିଲ୍ଲାରେ ୯୭%, ବିଏମ୍‌ସିରେ ୮୬.୬୨% ହିତାଧିକାରୀଙ୍କୁ ନଗଦ ଅର୍ଥ ପ୍ରଦାନ କରାଯାଇଛି।

ସେହିପରି ଏହି ସବୁ ସ୍ଥାନରେ ଯଥାକ୍ରମେ ୯୬.୬୬%, ୯୯%, ୯୩.୨୫%, ୯୮%, ୭୬.୭୪%, ୯୦.୫୨% ହିତାଧିକାରୀଙ୍କୁ ଚାଉଳ ବଣ୍ଟା ଯାଇଛି। ଏହାସହ ପୁରୀ ଜିଲ୍ଲାରେ ପୁରୀ ଜିଲ୍ଲାରେ ୮୦.୪୩%, ବିଏମ୍‌ସି ଅଞ୍ଚଳରେ ୮୬.୬୨%, ଖୋର୍ଦ୍ଧା ଜିଲ୍ଲାରେ ୪୯.୨୬% ହିତାଧିକାରୀଙ୍କୁ ପଲିଥିନ୍ କିମ୍ବା ପଲିଥିନ୍ ଜନିତ ସହାୟତା ପ୍ରଦାନ କରାଯାଇଛି। ଅନୁରୂପ ଭାବେ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଯକ, ବିଏମ୍‌ସି, କଟକ, ଖୋର୍ଦ୍ଧା ଜିଲ୍ଲାରେ ମୋଟ୍‌ ୮୦୮୩୪୧ ଭତ୍ତାଧାରୀଙ୍କ ମଧ୍ୟରୁ ୭୩୨୭୫୭ ଜଣଙ୍କୁ ଅତିରିକ୍ତ ମାସକର ଭତ୍ତା ପ୍ରଦାନ କରାଯାଇଛି।

ବାତ୍ୟା ପ୍ରଭାବିତ ଅଞ୍ଚଳରେ ଯେପରି ସ୍ବାସ୍ଥ୍ୟ ସେବା ପ୍ରଭାବିତ ନହେବ ସେଥିପାଇଁ ସ୍ବାସ୍ଥ୍ୟ ବିଭାଗ ତତ୍ପର ରହିଛି। ପ୍ରଭାବିତ ଅଞ୍ଚଳରେ ଯଥେଷ୍ଟ ସଂଖ୍ୟକ ଡାକ୍ତର, ସ୍ବାସ୍ଥ୍ୟ ସହାୟକ, ଭ୍ରାମ୍ୟମାଣ ଡାକ୍ତରୀ ଦଳ ନିୟୋଜିତ ରହିଥିବାବେଳେ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ୬ଟି ବ୍ଲକ ଉପରେ ବିଶେଷ ନଜର ରହିଛି। ୨ମାସରେ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ସମସ୍ତ କିଶୋରୀ ଓ ମହିଳାମାନଙ୍କୁ ୨୪ଲକ୍ଷ ସାନିଟାରି ନାପକିନ୍ ବଣ୍ଟାଯିବ। ଏପର୍ଯ୍ୟନ୍ତ ୨୦,୧୬୧ଟି ସଫେଇ ଅଭିଯାନ ଗାଁ କଲ୍ୟାଣ ସମିତିଗୁଡ଼ିକ ଦ୍ବାରା ସଂପନ୍ନ କରାଯାଇଛି। ୮୯,୦୯୧ ଖୋଲା ଜଳ ଉତ୍ସକୁ ବିଶୋଧନ କରାଯାଇଛି। ୫୨ଟି ଜଳଉତ୍ସର ପାଣି ବ୍ୟବହାର ଅନୁପଯୋଗୀ ବୋଲି ଚିହ୍ନଟ ହୋଇଥିବାରୁ ଏହାକୁ ବ୍ୟବହାର ନକରିବାକୁ କୁହାଯାଇଛି। ସେହିପରି ୬୦ଟି ଡେଙ୍ଗୁ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲେ ହେଁ ଏହା ନେଗେଟିଭ୍ ବାହାରିଛି। ବାତ୍ୟା ପ୍ରଭାବିତ କୌଣସି ଅଞ୍ଚଳରେ ମହାମାରୀ ବ୍ୟାପି ନାହିଁ।

ଗ୍ରାମୀଣ ପାନୀୟ ଜଳ ଯୋଗାଣକୁ ଗୁରୁତ୍ବ ଦିଆଯାଉଥିବାବେଳେ ପୁରୀ, କଟକ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର ଓ ଭଦ୍ରକରେ ପାନୀୟ ଜଳ ଯୋଗାଣ ଶତ ପ୍ରତିଶତ ସ୍ବାଭାବିକ ହୋଇଛି। ଯେଉଁଠି ଜେନେରେଟର ନାହିଁ ସେଠାରେ ଡିଜି ସେଟ୍‌ ମାଧ୍ୟମରେ ଜଳ ଯୋଗାଣ ହେଉଛି।

ଖୋର୍ଦ୍ଧା ଜିଲ୍ଲାରେ ଏବେ ୮୩% ମୋବାଇଲ ଟାୱାର କାର୍ଯ୍ୟକ୍ଷମ ହୋଇଥିବାବେଳେ ପୁରୀ ଜିଲ୍ଲାରେ ୫୫%, କଟକ ଜିଲ୍ଲାରେ ୯୧% ମୋବାଇଲ ଟାୱାର କାର୍ଯ୍ୟକ୍ଷମ ହୋଇଛି। ଭୁବନେଶ୍ବର ସହରରେ ୮୫%, ପୁରୀ ସହରରେ ୫୨%, କଟକ ସହରରେ ୯୨% ମୋବାଇଲ ଟାୱାର କାର୍ଯ୍ୟକ୍ଷମ ହୋଇଛି।

ଆଜି ସୁଦ୍ଧା ପୁରୀରେ ୨୨୨ରୁ ୨୦୬ଟି ବ୍ୟାଙ୍କ, ଖୋର୍ଦ୍ଧା ଜିଲ୍ଲାରେ ୬୫୭ରୁ ୬୪୩ଟି, କଟକରେ ୩୯୪ରୁ ୩୯୦ଟି, ଜଗତସିଂହପୁରରେ ୧୬୪ରୁ ୧୫୯ଟି, ଗଞ୍ଜାମରେ ୪୨୯ରୁ ୪୨୮ଟି ବ୍ୟାଙ୍କ ଶାଖା ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି। ସେହିପରି ପୁରୀରେ ୩୦.୧୮%, ଖୋର୍ଦ୍ଧାରେ ୬୯.୫୯%, କଟକରେ ୭୫.୭୮%, ଜଗତସିଂହପୁରରେ ୭୮.୮୪%, ଗଞ୍ଜାମରେ ୯୯.୬୨%, କେନ୍ଦ୍ରାପଡ଼ାରେ ୮୨.୪୬% ଏଟିଏମ୍ କାର୍ଯ୍ୟକ୍ଷମ ହୋଇଛି।

କଟକ ସିଡିଡି-୧ ଡିଭିଜନରେ ସମସ୍ତ ଉପଭୋକ୍ତାଙ୍କୁ ବିଜୁଳି ସଂଯୋଗ ଦିଆଯାଇଥିବାବେଳେ ସିଡିଡି-୨ରେ ୬୯୦୩୧ ଜଣ ଉପଭୋକ୍ତାଙ୍କ ମଧ୍ୟରୁ ୫୬୭୦୦, କଟକ ସିଇଡି ଅନ୍ତର୍ଗତ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ୯୫୫୯୯ ଜଣ ଉପଭୋକ୍ତା ଥିବାବେଳେ ୭୧୨୦୦ଜଣଙ୍କୁ ବୁଦ୍ୟିତ ସଂଯୋଗ ଦିଆଯାଇଛି। ନିଆଳି ଓ ଅଡସପୁର ପାଇଁ ଉଦ୍ଦିଷ୍ଟ ଫିଡର ମରାମତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଭୁବନେଶ୍ବରରେ ବିସିଡିଡି-୧ ଅନ୍ତର୍ଗତ ସମସ୍ତ ଉପଭୋକ୍ତାଙ୍କୁ ବିଦ୍ୟୁତ ଯୋଗାଇ ଦିଆଯାଇଛି। ବିସିଡିଡି-୨ ଅନ୍ତର୍ଗତ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ୧୪୭୫୩୧ ଜଣ ଉପଭୋକ୍ତାଙ୍କ ମଧ୍ୟରୁ ୧୨୧୦୦୩ଜଣଙ୍କୁ ବିଦ୍ୟୁତ ସଂଯୋଗ ଦିଆଯାଇଛି। ବିଇଡି ଅଞ୍ଚଳରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ମିଶି ୧୦୯୯୮୪ ଉପଭୋକ୍ତାଙ୍କ ମଧ୍ୟରୁ ୯୯,୭୯୧ଜଣଙ୍କୁ ବିଦ୍ୟୁତ ପୁନଃସଂଯୋଗ ଦିଆଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ବିଦ୍ୟୁତ ସେବା ସ୍ବାଭାବିକ ହୋଇଛି। ଜଗତସିଂହପୁର ଜିଲ୍ଲାରେ ଜିଇଡି ଡିଭିଜନ ଅନ୍ତର୍ଗତ ୪୩ଟି ଫିଡରରୁ ୩୩ଟି କାର୍ଯ୍ୟକ୍ଷମ ହୋଇଥିବାବେଳେ ୧ଲକ୍ଷ ୧୬ହଜାର ୨୧୫ଜଣ ଉପଭୋକ୍ତାଙ୍କ ମଧ୍ୟରୁ ୮୫ହଜାର ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ଦିଆଯାଇଛି। ପାରାଦୀପ ଅଞ୍ଚଳରେ ସମସ୍ତ ୨୪ଟି ଫିଡର କାର୍ଯ୍ୟକ୍ଷମ ହୋଇଛି। ଏଠାରେ ୧ଲକ୍ଷ ୧ହଜାର ୨୨୮ଜଣଙ୍କ ମଧ୍ୟରୁ ୮୧ହଜାର ଜଣଙ୍କୁ ବିଦ୍ୟୁତ ସଂଯୋଗ ଦିଆଯାଇଛି।

ପୁରୀ ସହରରେ ଗତକାଲି ଠାରୁ ବିଦ୍ୟୁତ ଯୋଗାଣ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ପିଇଡି ଡିଭିଜନ ଅନ୍ତର୍ଗତ ୫୬ଟି ଫିଡରରୁ ୫ଟି ଫିଡର କାର୍ଯ୍ୟକ୍ଷମ ହୋଇଛି। ଏଯାବତ୍ ୫୦୦୦ ବିଦ୍ୟୁତ ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ଦିଆଯାଇଛି। ସେହିପରି ନିମାପଡ଼ାରେ ହଜାରେ ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ଦିଆଯାଇଛି।

ସମ୍ବନ୍ଧିତ ଖବର