ସଂଗଠିତ ପାଣ୍ଠି ଯୋଜନା ହିତାଧିକାରୀଙ୍କ ପାଇଁ ‘ଆଧାର’ ବାଧ୍ୟତାମୂଳକ
ଭୁବନେଶ୍ବର : ଏଣିକି ରାଜ୍ୟ ଓ କିମ୍ବା କେନ୍ଦ୍ର ସରକାରଙ୍କ ସଂଗଠିତ ପାଣ୍ଠି ବିନିଯୋଗରେ କାର୍ଯ୍ୟକାରୀ ହେଉଥିବା ଯୋଜନାର ହିତାଧିକାରୀଙ୍କ ପାଇଁ ‘ଆଧାର’ ନମ୍ବର ବାଧ୍ୟତାମୂଳକ ହେବ। ସେହିପରି ଆଉ ସିବିଏସଇ, ନିଟ୍, ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଟି) ଓ ୟୁଜିସି ପରୀକ୍ଷା ପାଇଁ ଆଧାର ନମ୍ବର ଆବଶ୍ୟକ ପଡ଼ିବ ନାହିଁ। ଚଳିତ ବର୍ଷ କେନ୍ଦ୍ର ସରକାର ଆଧାର ଆଇନ ସଂଶୋଧନ କରିବା ପରେ ଏ ନେଇ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏ ସମ୍ପର୍କରେ କେନ୍ଦ୍ରରୁ ସର୍କୁଲାର୍ ମିଳିବା ପରେ ରାଜ୍ୟ ଅର୍ଥ ବିଭାଗ ସମସ୍ତ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, କମିସନର, ଶାସନ ସଚିବ ଓ ସ୍ବତନ୍ତ୍ର ସଚିବଙ୍କୁ ସଂଗଠିତ ପାଣ୍ଠି ଦ୍ବାରା ପରିଚାଳିତ ହେଉଥିବା ଯୋଜନାଗୁଡ଼ିକୁ ଚିହ୍ନଟ କରିବା ସହ ତଦନୁଯାୟୀ ହିତାଧିକାରୀଙ୍କ ଆଧାର ବୈଧକରଣ ପାଇଁ ପଦକ୍ଷେପ ନେବାକୁ ଚିଠି ଲେଖିଛି।
Sambad is now on WhatsApp
Join and get latest news updates delivered to you via WhatsApp
ବିଭିନ୍ନ ସରକାରୀ ଯୋଜନାରେ ଆର୍ଥିକ ସହାୟତା ଓ ଲାଭ ପାଉଥିବା ହିତାଧିକାରୀଙ୍କ ପାଇଁ ‘ଆଧାର’ ନମ୍ବର କଡ଼ାକଡ଼ି ହେବ। ଏକ ରିଟ୍ ଆବେଦନର ବିଚାର କରି ଗତବର୍ଷ ସେପ୍ଟେମ୍ବର ୨୬ ତାରିଖରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଆଧାରରେ କେନ୍ଦ୍ର ସରକାର ଆଧାର ଆଇନ ୨୦୧୬ରେ ସଂଶୋଧନ କରିଥିଲେ। ସଂଶୋଧିତ ଆଧାର ଆଇନ ୨୦୧୯ ଅନୁଯାୟୀ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କଲ୍ୟାଣମୂଳକ ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀମାନଙ୍କୁ ସରକାରୀ ସୁବିଧା ଓ ସହାୟତା ପାଇବାକୁ ହେଲେ ଆଧାର ନମ୍ବର ଦେବାକୁ ପଡ଼ିବ। ଏଥାପାଇଁ ମୂଳ ଆଇନର ଧାରା ୭ରେ ଆବଶ୍ୟକ ସଂଶୋଧନ କରାଯାଇଛି। ଯଦି ଜଣେ ହିତାଧିକାରୀ ପାଖରେ ଆଧାର ନମ୍ବର ନାହିଁ ତାହେଲେ ସରକାରୀ ଯୋଜନାର ଲାଭ ପାଇବାରୁ ସେ ବଞ୍ଚିତ ହେବେ ନାହିଁ। ଏଥିପାଇଁ ପ୍ରଥମେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ନିକଟସ୍ଥ ଆଧାର ପଞ୍ଜୀକରଣ କେନ୍ଦ୍ର ଯାଇ ଆବେଦନ କରିବାକୁ ପଡ଼ିବ। ଆଧାର କାର୍ଡ଼ ନ ମିଳିବା ପର୍ଯ୍ୟନ୍ତ ହିତାଧିକାରୀ ତାଲିକାରେ ସାମିଲ ହେବାକୁ ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆଧାର ଏନରୋଲମେଣ୍ଟ ନମ୍ବର ସହିତ ୧୦ଟି ପରିଚୟ ପତ୍ରରୁ ଯେ କୌଣସି ଗୋଟିଏ ପରିଚୟ ପତ୍ର ନକଲ ଦେବାକୁ ପଡ଼ିବ। ସେଗୁଡ଼ିକ ହେଲା ବ୍ୟାଙ୍କ କିମ୍ବା ପୋଷ୍ଟ୍ ଅଫିସ ପ୍ରଦତ୍ତ ପାସବୁକ୍, ପାନ୍ ନମ୍ବର, ପାସପୋର୍ଟ, ରାସନ କାର୍ଡ଼, ଭୋଟର ପରିଚୟ ପତ୍ର, ଏମଜିଏନଆରଇଜିଏ କାର୍ଡ଼, କିଷାନ୍ ପାସବୁକ୍, ଡ୍ରାଇଭିଂ ଲାଇସେନ୍ସ ଓ ତହସିଲଦାର କିମ୍ବା ଗେଜେଟେଡ୍ ଅଫିସର ଦ୍ବାରା ପ୍ରଦତ୍ତ ପ୍ରମାଣ ପତ୍ର ଗ୍ରହଣୀୟ ହେବ।
ଆଧାର ବୈଧକରଣ ବେଲେ ଯଦି କିଛି ଅସୁବିଧା ହୁଏ ସେଥିପାଇଁ ନୂତନ ସଂଶୋଧିତ ଆଇନରେ ବିକଳ୍ପ ବ୍ୟବସ୍ଥା କରାଯାଇଛି। ବୈଧକରଣ ବେଳେ ପଞ୍ଜୀକୃତ ବ୍ୟକ୍ତିଙ୍କ ଟିପଚିହ୍ନ ମେସିନ୍ ଦ୍ବାରା ଠିକ ଭାବେ ଚିହ୍ନଟ ହୋଇନପାରିଲେ ସେ କ୍ଷେତ୍ରରେ ଯୋଜନା କାର୍ଯ୍ୟକାରୀ କରୁଥିବା ବିଭାଗ ଇଣ୍ଟିଗ୍ରେଟେଡ଼ ରିସ୍କ ଇନଫରମେସନ୍ ସିଷ୍ଟମ ଜରିଆରେ ସମ୍ପୃକ୍ତ ହିତାଧିକାରୀଙ୍କ ମୁହଁ ଓ ସାନି ଟିପଚିହ୍ନ ନେଇ ଯୋଜନାର ଲାଭ ପ୍ରଦାନ କରିବେ। ବାୟୋମେଟ୍ରିକ ପଦ୍ଧତିରେ ଆଧାର ବୈଧକରଣ ବେଳେ ତ୍ରୁଟି ପରିଲକ୍ଷିତ ହେଲେ ସମ୍ପୃକ୍ତ ହିତାଧିକାରୀଙ୍କ ମୋବାଇଲକୁ ଵାନ୍ ଟାଇମ୍ ପାସଵାର୍ଡ଼ (ଓଟିପି) ପଠାଯିବ। ଏତଦ ଭିନ୍ନ ଆଧାର ବୈଧକରଣ ପାଇଁ ଆଧାର ପତ୍ରରେ ଥିବା କ୍ୟୁ ଆର୍ କୋଡ୍ର ସହାୟତା ନେବା ପାଇଁ ବ୍ୟବସ୍ଥା କରାଯାଇଛି। କିନ୍ତୁ କୌଣସି ବି ପରିସ୍ଥିତିରେ ଆଧାର ନମ୍ବର ନଥିବା ଯୋଗୁଁ ଜଣେ ବି ଯୋଗ୍ୟ ହିତାଧିକାରୀ ଯେପରି ସରକାରୀ ଯୋଜନାର ଲାଭ ପାଇବାରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ ସମ୍ପୃକ୍ତ ବିଭାଗ ସବୁ ପ୍ରକାର ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି।
ସେହିପରି ନୂତନ ସଂଶୋଧିତ ଆଇନରେ ଛାତ୍ରଛାତ୍ରୀଙ୍କ ପାଇଁ ସମାନ ବ୍ୟବସ୍ଥା କରାଯାଇଛି। ଯେ କୌଣସି ସରକାରୀ କଲ୍ୟାଣମୂଳକ ଯୋଜନାରେ ଜଣେ ଛାତ୍ର କିମ୍ବା ଛାତ୍ରୀ ହିତାଧିକାରୀ ହେବାକୁ ହେଲେ ତାଙ୍କୁ ଆଧାର ନମ୍ବର ଦେବାକୁ ପଡ଼ିବ। ଆଧାର ନମ୍ବର ନ ଥିଲେ ବି ସମ୍ପୃକ୍ତ ଛାତ୍ର କିମ୍ବା ଛାତ୍ରୀ ଆବେଦନ କରିପାରିବେ। କିନ୍ତୁ ତାଙ୍କୁ ପ୍ରଥମେ ଆଧାର ପଞ୍ଜୀକରଣ କେନ୍ଦ୍ରରେ ଆବେଦନ କରିବାକୁ ପଡ଼ିବ। ଯଦି ସେ ଛାତ୍ର କିମ୍ବା ଛାତ୍ରୀ ୫ ବର୍ଷ ବୟସ ପରେ ଆଧାର ପଞ୍ଜୀକରଣ ପାଇଁ ଆବେଦନ କରିଥାନ୍ତି ତାହେଲେ ସେ ଆଧାର ଏନରୋଲମେଣ୍ଟ ନମ୍ବର ସହିତ ଜନ୍ମ ପ୍ରମାଣ ପତ୍ର କିମ୍ବା ସ୍କୁଲ ପରିଚୟ ପତ୍ରର ନକଲ ଦେବାକୁ ପଡ଼ିବ। ପିଲାର ଅଭିଭାବକ ଭାବେ ୮ଟି ପ୍ରମାଣ ପତ୍ରରୁ ଯେ କୌଣସି ଗୋଟିଏ ଦେବାକୁ ପଡ଼ିବ। ଦାଖଲ ହୋଇଥିବା ଏସବୁ ପ୍ରମାଣ ପତ୍ରକୁ ଯୋଜନା କାର୍ଯ୍ୟକାରୀ କରୁଥିବା ବିଭାଗର ଜଣେ ଅଧିକାରୀ ଯାଞ୍ଚ କରିବେ ବୋଲି ସଂଶୋଧିତ ଆଇନରେ ବ୍ୟବସ୍ଥା ରହିଛି।
କେନ୍ଦ୍ର ସରକାରଙ୍କ ସର୍ତ୍ତାବଳୀ ଅନୁଯାୟୀ, ରାଜ୍ୟ ସରକାର ପ୍ରଥମେ ସଂଗଠିତ ପାଣ୍ଠି ଦ୍ବାରା ପରିଚାଳିତ ସେମାନଙ୍କ କଲ୍ୟାଣମୂଳକ ଯୋଜନାଗୁଡ଼ିକୁ ଚିହ୍ନଟ କରି ବିଭାଗୀୟ ବିଜ୍ଞପ୍ତି ପ୍ରକାଶ କରିବେ। ବିଜ୍ଞପ୍ତି ପ୍ରକାଶ କରିବା ପୂର୍ବରୁ ସମ୍ପୃକ୍ତ ବିଭାଗ ରାଜ୍ୟ ଆଇନ ବିଭାଗର ଆବଶ୍ୟକ ପରାମର୍ଶ ନେବା ଦରକାର। ଯଦି ଛାତ୍ରଛାତ୍ରୀ ସରକାରଙ୍କ କଲ୍ୟାଣମୂଳକ ଯୋଜନାର ହିତାଧିକାରୀ ହୋଇଥାନ୍ତି, ତାହେଲେ ବିଜ୍ଞପ୍ତି ପ୍ରକାଶ କରିବାବେଳେ ସେହି ଯୋଜନାଗୁଡ଼ିକୁ ଉଲ୍ଲେଖ କରିବା ବାଞ୍ଛନୀୟ। ଧାରା ୭ ଅନୁଯାୟୀ, ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଜ୍ୟ ସରକାର ୟୁଆଇଡିଏଆଇ ମୁଖ୍ୟାଳୟକୁ ଜଣାଇ ଅନଲାଇନ୍ ଜରିଆରେ ଆଧାର ନମ୍ବରଗୁଡ଼ିକର ବୈଧକରଣ ପାଇଁ ପଦକ୍ଷେପ ନେବେ।