ସବୁ ନଈ ଜହର: ପିଇବା ଦୂରର କଥା, ଛୁଇଁଲେ ରୋଗ

ଭୁବନେଶ୍ୱର: ରାଜ୍ୟର ସବୁ ନଦୀରେ ଏବେ ଜହର ବହୁଛି। ପାଣିରେ ଏହି ଜହର ଏମିତି ମିଶିକି ଅଛି ଯେ, ଯିଏ ଏହାକୁ ବ୍ୟବହାର କରିବ ସେ ଧୀରେ ଧୀରେ ଏହାଦ୍ୱାରା ପ୍ରଭାବିତ ହେବ। ଗାଧେଇଲେ ଚର୍ମ କର୍କଟ ହେବାର ଆଶଙ୍କା ବି ରହିଛି। ଯଦି ବିନା ବିଶୋଧନରେ ପିଇବ ତେବେ ଡାଏରିଆ, କିଡନି ଓ ଲିଭର ନଷ୍ଟ ଭୟକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ଆଉ ଏହି ପାଣିରେ ବଢ଼ୁଥିବା ମାଛ ଖାଇଲେ ଯେଉଁ ରୋଗ ନାଁ ଶୁଣି ନଥିବ ସେହି ରୋଗ ମାଡ଼ିଯିବା ଆଶଙ୍କା ରହିଛି। ରାଜ୍ୟର ସବୁ ନଦୀର ପାଣିର ପ୍ରଦୂଷଣ ମାତ୍ରା ଉପରେ ଓଡ଼ିଶା ଜଳ ଯୋଗାଣ ଏବଂ ସ୍ୱେରେଜ୍‌ ବୋର୍ଡ ଦେଇଥିବା ରିପୋର୍ଟରୁ ଏଭଳି ଚାଞ୍ଚଲ୍ୟକର ସୂଚନା ମିଳୁଛି। ଏହି ରିପୋର୍ଟରେ କୁହାଯାଇଛି ଯେ, ମହାନଦୀରୁ ଆରମ୍ଭ କରି ତା’ର ସବୁ ଶାଖା, ଉପଶାଖା ନଦୀ, ବ୍ରାହ୍ମଣୀ, ବୈତରଣୀ, ଖରସ୍ରୋତା, ପର୍ଯ୍ୟନ୍ତ ସବୁଥିରେ ବହଳ ବହଳ ଜହର ବହୁଛି। କୋଟି କୋଟି ଓଡ଼ିଆଙ୍କ ଜୀବନ ଜୀବିକା ପାଲଟିଥିବା ନଦୀ ଏବେ ଯମଦୂତ ଭଳି ବହୁଛି। ପାଣି ରୂପୀ ଜହରର ମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି। କେଉଁଠି ଶିଳ୍ପ ଯୋଗୁଁ ତ କେଉଁଠି ମଣିଷ କୃତ। ଓଡ଼ିଶା ଜଳ ଯୋଗାଣ ଏବଂ ସ୍ୱେରେଜ୍‌ ବୋର୍ଡ ଯଦିଓ ସବୁ ନଦୀର ପାଣି ପ୍ରଦୂଷଣ ମାତ୍ରାର ଉର୍ଦ୍ଧ୍ୱରେ ଥିବା ଦର୍ଶାଇଛି କିନ୍ତୁ କେଉଁଠି ବି ଏହାର ବ୍ୟବହାର ଉପରେ ରୋକ୍‌ ଲଗାଇନି।

ଆଜି ବିଧାନସଭାରେ ବିଧାୟକ କୈଳାଶ ଚନ୍ଦ୍ର କୁଲେସିକାଙ୍କ ପ୍ରଶ୍ନର ଉତ୍ତର ଦେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ରାଜ୍ୟର ସମସ୍ତ ନଦୀର ଜଳ କେତେ ପ୍ରଦୂଷଣ ତା’ର ଏକ ରିପୋର୍ଟ କାର୍ଡ ଦେଇଛନ୍ତି। ଯେଉଁ ମହାନଦୀ ପାଇଁ ଏବେ ସାରା ରାଜ୍ୟ ପଡ଼ୁଛି ଉଠୁଛି ତାହା ବି ବିଷାକ୍ତ ବୋଲି ଏହି ରିପୋର୍ଟ ପ୍ରମାଣ କରୁଛି। ମହାନଦୀ ସମୁଦ୍ରର ଯେତେ ନିକଟବର୍ତ୍ତୀ ହେଉଛି ପାଣିରେ ସେତେ ଅଧିକ ଜହର ମିଶୁଛି। ମହାନଦୀ ଓ ଏହାର ଶାଖା, ଉପଶାଖା ୨୬ଟି ନଦୀର ୫୫ଟି ଜାଗାରେ ପାଣିର ମାନ ମପା ଯାଇଥିଲା। ହେଲେ ୩୩ଟି ଜାଗାରେ ପାଣି ପିଇବା ଯୋଗ୍ୟ ନୁହେଁ। ସେହିପରି ବାକି ୧୬ଟି ନଦୀର ୪୧ଟି ସ୍ଥାନରେ ପାଣିର ମାନ ମପା ଯାଇଥିବାବେଳେ ଏଥିରୁ ୨୬ଟି ସ୍ଥାନରେ ପାଣି ପିଇବା ଯୋଗ୍ୟ କି ବ୍ୟବହାର ଉପାଯୋଗୀ ନୁହେଁ ବୋଲି ସୂଚନା ମିଳୁଛି।
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସୂଚନା ଅନୁଯାୟୀ, ଓଡ଼ିଶାରେ ଯେତେ ନଦୀ ବହୁଛି ସବୁ ‘ସି’ କ୍ୟାଟେଗୋରିର। ପାଣିରେ ପିଏଚ୍‌ ଭାଲ୍ୟୁ ଏବଂ ଦ୍ରବୀଭୂତ ଅମ୍ଳଜାନ ମାତ୍ରା ବିପଦ ସଙ୍କୁଳ ହୋଇନଥିଲେ ବି ବାଇଓଲୋଜିକାଲ ଅକ୍ସିଜେନ ଡିମାଣ୍ଡ (ବିଓଡି) ଏବଂ କଲିଫର୍ମ ବ୍ୟାକ୍ଟେରିଆ (ଟିସି) ଏତେ ଅଧିକ ରହିଛି ଯେ, ପାଣି ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତି, ଜୀବଜନ୍ତୁ ରୋଗାକ୍ରାନ୍ତ ହୋଇଯାଉଛନ୍ତି। ଏହାର ନିରାକରଣ ପାଇଁ ରାଜ୍ୟ ସରକାରଙ୍କୁ ବାରମ୍ବାର ସତର୍କ କରାଯାଇଛି, ହେଲେ କିଛି ସୁଫଳ ମିଳୁନି। ପାଣିରେ ଏବେ ରାଜ୍ୟର ସମସ୍ତ ସହରାଞ୍ଚଳର ବର୍ଜ୍ୟଜଳ ସିଧାସଳଖ ମିଶୁଛି, ବିଭିନ୍ନ ଶିଳ୍ପାନୁଷ୍ଠାନର ବର୍ଜ୍ୟ ଜଳ ମଧ୍ୟ। ଏହା ବିଶୋଧନ କରିବା ପାଇଁ ଆବଶ୍ୟକୀୟ ଟ୍ରିଟମେଣ୍ଟ ପ୍ଲାଣ୍ଟ ନଥିବାରୁ ସାରା ଓଡ଼ିଶାରେ ଏବେ ନୀଳ ଜହର ମାଡ଼ି ଚାଲିଛି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସୂଚନା ଅନୁଯାୟୀ, ଆମ ରାଜ୍ୟରେ ବହିଥିବା ନଦୀରେ ପିଏଚ୍‌ ଭାଲ୍ୟୁ ୬.୫ରୁ ୮.୫ ରହିବା ଦରକାର। ସେହିପରି ଦ୍ରବୀଭୂତ ଅମ୍ଳଜାନ ପରିମାଣ ପ୍ରତି ଏକ ଲିଟର ପାଣିରେ ୪ମିଲିଗ୍ରାମ ବା ଏହାଠାରୁ ଅଧିକ ରହିବା ଦରକାର। ବିଓଡି ୩ କିମ୍ବା କମ୍‌, ଟିସି ୫୦୦୦ରୁ କମ୍‌ ରହିବା ଦରକାର। କିନ୍ତୁ ବିଓଡି ଓ ଟିସି ସବୁ ନଦୀରେ ସ୍ୱାଭାବିକ ଠାରୁ ଯଥେଷ୍ଟ ଅଧିକ ରହିଛି।
ଗଙ୍ଗୁଆ ଅତିଶୟ ବିଷାକ୍ତ ହୋଇଯାଇଥିବାବେଳେ ଦୟା, କୁଆଖାଇ ବି ପୂରା ପ୍ରଦୂଷିତ। ବ୍ରାହ୍ମଣୀ ନଦୀ ରେଙ୍ଗାଳିରେ ସବୁଠୁ ବିଶୁଦ୍ଧ। ଏଠାରେ ବିଓଡି ୦.୭ଥିବାବେଳେ ଟିସି ୪୭୮ରହିଛି। ସେହିପରି ମହାନଦୀ ପାଣିରେ ପାଓ୍ଵାର ଚ୍ୟାନେଲର ଉପରମୁଣ୍ଡରେ ବିଓଡି ୦.୬ଥିବାବେଳେ ଟିସି ୩୪୫ରହିଛି। ଏହାବାଦ୍‌ କଟକ ଉପରମୁଣ୍ଡରେ ବିଓଡି ୦.୮ଥିବାବେଳେ ଟିସି ୬୨୬ ରହିଛି।
କେଉଁ ନଦୀ କେଉଁଠି ଅଧିକ ପ୍ରଦୂଷିତ

ମହାନଦୀ ବେସିନ୍‌ର ଇବ୍‌ ନଦୀ ଝାରସୁଗୁଡ଼ାରେ ଅଧିକ ପ୍ରଦୂଷିତ ହୋଇଥିବାବେଳେ ମହାନଦୀ ସମ୍ବଲପୁରର ଉପରମୁଣ୍ଡ ଓ ତଳମୁଣ୍ଡ, ହୁମା, କଟକର ତଳ ମୁଣ୍ଡ, କାଠଯୋଡ଼ି କଟକର ତଳ ମୁଣ୍ଡ, କତଗଞ୍ଜପୁର, କାମ ଶାସନ, ସେରୁଆ ନଦୀ ସାନକ୍ଷତ୍ରସାରେ, କୁଆଖାଇ ଭୁବନେଶ୍ୱରର ଉପର ଓ ତଳ ମୁଣ୍ଡରେ, ଦୟା ନଦୀ ସଂପୂର୍ଣ୍ଣ ପ୍ରଦୂଷିତ। ଗଙ୍ଗୁଆ ନାଳ ସମ୍ପୂର୍ଣ୍ଣ ପ୍ରଦୂଷିତ। ବିରୁପା, କୁଶଭଦ୍ରା, ଭାର୍ଗବୀ, ମଙ୍ଗଳା,ଗୋବରୀ, କୁସୁମୀ, କଂସାରୀ, ସବୁଳିଆ, ବଡ଼ଶଙ୍ଖ, ଲୁଣା, ରତ୍ନ ଚିରା ସଂପୂର୍ଣ୍ଣ ପ୍ରଦୂଷିତ। ସେହିପରି ମହାନଦୀ ବାଦ୍‌ ଯେଉଁ ଅନ୍ୟ ମୁଖ୍ୟ ନଦୀ ଓ ଶାଖା ନଦୀ ସଂପୂର୍ଣ୍ଣ ପ୍ରଦୂଷିତ ସେଗୁଡ଼ିକ ହେଲା ଶଙ୍ଖ, କୋଏଲ୍‌ ପ୍ରମୁଖ। ବ୍ରାହ୍ମଣୀ ତାଳଚେର, କବାଟବନ୍ଧ, ଭୁବନକୁ ଛାଡ଼ିଦେଲେ ସବୁଠି ପ୍ରଦୂଷିତ। ନଦିରାର ତଳମୁଣ୍ଡ, ଖରସ୍ରୋତାର ବିଞ୍ଝାରପୁର, ଅଉଲରେ ଦୂଷିତ, ଗୁରାଡ଼ିନାଳ ନଦୀ ବଡ଼ଝୋର ନାଳ, ବାଙ୍ଗୁରୁ ନାଳ, ବଙ୍ଗରୁ ସିଙ୍ଗଡା ଝୋର, କରୋ ନଦୀ ବଡ଼ବିଲରେ ପୂରା ପ୍ରଦୂଷିତ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ସୂଚାଉଛି।

ସମ୍ବନ୍ଧିତ ଖବର