ଓଡ଼ିଆ ସିନେ ଏବଂ ନାଟ୍ୟ ଜଗତରେ ଶୋକ : ଅମୀୟ ଥିଲେ ଅନନ୍ୟ

ଭୁବନେଶ୍ୱର: ଓଡ଼ିଆ ସିନେଜଗତର ଲୋକପ୍ରିୟ ପ୍ରଯୋଜକ-ନିର୍ଦ୍ଦେଶକ ଅମୀୟ ପଟ୍ଟନାୟକ ଆଉ ନାହାନ୍ତି। ନୂଆଦିଲ୍ଲୀର ମେଦାନ୍ତ ହସ୍ପିଟାଲରେ ଆଜି ସକାଳ ୮ଟା ସମୟରେ ତାଙ୍କର ପରଲୋକ ଘଟିଛି। ସେ ପାନକ୍ରିୟାସ୍‌ ସଂକ୍ରମଣରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ତାଙ୍କର ମୃତ୍ୟୁ ଶଯ୍ୟା ନିକଟରେ ପରିବାର ବର୍ଗଙ୍କ ସମେତ  ବଡ଼ଭାଇ ତଥା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ଉପସ୍ଥିତ ଥିଲେ। ଅମୀୟ ପଟ୍ଟନାୟକ ଅଶୀ ଦଶକରେ ସିନେଶିଳ୍ପରେ ପାଦ ଦେଇ ପ୍ରଥମ ପ୍ରୟାସରେ ଲୋକପ୍ରିୟତା ହାସଲ କରିଥିଲେ ଓଲିଉଡରେ। ସେ ୧୯୮୫ ମସିହାରେ ପ୍ରଥମେ ନିର୍ମାଣ କରିଥିଲେ ‘ହାକିମ ବାବୁ’। ଏହାର ନିର୍ଦ୍ଦେଶନା ଦେଇଥିଲେ ଜଣାଶୁଣା ନିର୍ଦ୍ଦେଶକ ପ୍ରଣବ ଦାସ। ଏଥିରେ ଅଜିତ ଦାସ, ଜୟା ଡଲି ଜେନା ,ହେମନ୍ତ ଦାସ, ସାମୁଏଲ ସାହୁ,ପ୍ରସନ୍ନ ମିଶ୍ର ,ଦୁଃଖୀରାମ ସ୍ୱାଇଁ , ଜୟୀ ଏବଂ ଅସିତ ପତି ପ୍ରମୁଖ ଅଭିନୟ କରିଥିଲେ। ଏହାକୁ ରାଜ୍ୟ ଏବଂ ରାଷ୍ଟ୍ରୀୟ ପୁରସ୍କାର ବି ମିଳିଥିଲା। ଏହାପରେ ସେ ପ୍ରଯୋଜନା ସହ ନିର୍ଦ୍ଦେଶନା କ୍ଷେତ୍ରକୁ ଓହ୍ଲାଇ ନିର୍ମାଣ କରିଥିଲେ ‘ମମତା ମାଗେ ମୂଲ’। ଏହାର ମୁଖ୍ୟ କଳାକାର ଥିଲେ ଉତ୍ତମ ମହାନ୍ତି, ବିଜୟ ମହାନ୍ତି,ଅପରାଜିତା,ରାଜା,ଦୁଖିୀରାମ ସ୍ୱାଇଁ ଏବଂ ଅନୀତା ଦାସ ପ୍ରମୁଖ। ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି। ୧୯୮୫ରେ ରିଲିଜ୍‌ ହୋଇଥିବା ଏହି ସିନେମା ସୁପରହିଟ୍‌ ହୋଇଥିଲା।

ତା’ପରେ ରାଜୁ ମିଶ୍ରଙ୍କ ନିର୍ଦ୍ଦେଶନାରେ ଅମୀୟ ପଟ୍ଟନାୟକ ‘ପୁଅ ମୋର କଳାଠାକୁର’, ‘ଚକା ଆଖି ସବୁ ଦେଖୁଛି’ ଏବଂ ‘ଆସୁଚି ମୋ କାଳିଆ ସୁନା’ ଭଳି ସିନେମାର ପ୍ରଯୋଜନା କରିଥିଲେ। ଏହି ତିନିଟି ସିନେମାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି। ତା’ପରେ ସେ ହର ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ‘ଚକାଡୋଳା କରୁଚି ଲୀଳା’ ଏବଂ ‘ପରଦେଶୀ ବାବୁ’ ସିନେମା ନିର୍ମାଣ କରିଥିଲେ।

ଅମୀୟ ପଟ୍ଟନାୟକ ହେଉଛନ୍ତି ପ୍ରଥମ ଓଡ଼ିଆ ନିର୍ମାତା ଯିଏ ଏକ ତ୍ରିଭାଷୀ (ଓଡ଼ିଆ,ବଙ୍ଗଳା-ବାଂଲାଦେଶୀ) ଚଳଚ୍ଚିତ୍ର‘ ପରଦେଶୀ ବାବୁ’ର ପ୍ରଯୋଜନା କରିଥିଲେ। ଏହାପରେ ସେ ଚୌଧୁରୀ ବିକାଶ ଦାସଙ୍କ ନିର୍ଦ୍ଦେଶନାରେ ‘ପରୀମହଲ’ ଏବଂ କେଶବଙ୍କ ନିର୍ଦ୍ଦେଶନାରେ ‘ରାଜାରାଣୀ’ର ପ୍ରଯୋଜନା କରିଥିଲେ। । ତେବେ ବହୁ ବର୍ଷପରେ ସେ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ବାୟୋପିକ୍ ‘ତୁଳସୀ ଅପା’ର  ନିର୍ଦ୍ଦେଶନା ଦେଇଥିଲେ ଯାହାର ପ୍ରଯୋଜନା କରିଥିଲେ ଅନୁପମ ପଟ୍ଟନାୟକ। ତାଙ୍କୁ ‘ତୁଳସୀ ଅପା’ ଚଳଚ୍ଚିତ୍ର ଲାଗି ଶ୍ରେଷ୍ଠ ନିର୍ଦ୍ଦେଶକଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା।

ଏହାଛଡ଼ା ସେ ‘ଜାଗତେ ରହୋ’,‘ଆନି’ ଭଳି ହିନ୍ଦୀ ଟେଲି ଧାରାବାହିକ ମାୟାର ସଂସାର ,ଶାସ୍ତି,ବିତର୍କିତ ଅପରାହ୍ନ ,ମହାଯଜ୍ଞ ଏବଂ ଗୋଟିଏ ମନ କୋଟିଏ ସ୍ୱପ୍ନ ଭଳି ଓଡ଼ିଆ ଟେଲି ଧାରାବାହିକର ପ୍ରଯୋଜନା କରିଥିଲେ। ଅମୀୟ ପଟ୍ଟନାୟକ ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ସଂଘର ବି ସଭାପତି ଥିଲେ। ଓଡ଼ିଶାର ଅଗ୍ରଣୀ ନାଟ୍ୟସଂସ୍ଥା ପଞ୍ଚମବେଦର ସେ ସଭାପତି ମଧ୍ୟ। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ରାଜ୍ୟସଭା ସାଂଦ ସୌମ୍ୟରଂଜନ ପଟ୍ଟନାୟକଙ୍କର ସେ ହେଉଛନ୍ତି ସାନଭାଇ।

ତାଙ୍କ ପରଲୋକରେ ସିନେ ଏବଂ ନାଟ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି।  ଅମୀୟ ପଟ୍ଟନାୟକ ଜଣେ ମେଳାପୀ ଏବଂ ମିଷ୍ଟ ଭାଷୀ ବ୍ୟକ୍ତିଭାବେ ଜଣାଶୁଣା ଥିଲେ। ଅମୀୟ ପଟ୍ଟନାୟକ ଅନନ୍ୟ  ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର