ଭୁବନେଶ୍ୱର: ରାଜ୍ୟ ସରକାର ଓ ଅଙ୍ଗନବାଡ଼ି କର୍ମୀ ସଂଘ ମଧ୍ୟରେ ହୋଇଥିବା ଆଲୋଚନା ଆଜି ବିଫଳ ହୋଇଛି। ସଂଘର ବିଭିନ୍ନ ଦାବି ଉପରେ ସରକାର ପଦକ୍ଷେପ ଗ୍ରହଣ କରିବାକୁ ୪୫ଦିନ ସମୟ ମାଗିଥିବା ଜଣାପଡ଼ିଛି। ଏହି ସମୟ ମଧ୍ୟରେ ଆନ୍ଦୋଳନରୁ ଓହରିଯିବାକୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଅନୁରୋଧ କରିଥିଲେ ହେଁ ସଂଘ ପୂର୍ବଭଳି ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛି। ଆଜିକୁ ମିଶାଇ ଅଙ୍ଗନବାଡ଼ି କର୍ମୀଙ୍କ ଧାରଣା ୨୯ଦିନରେ ପହଞ୍ଚିଛି। ଆସନ୍ତାକାଲି କୋରାପୁଟ ଜିଲ୍ଲା ଅଙ୍ଗନବାଡ଼ି କର୍ମୀ ଧାରଣାରେ ସାମିଲ ହେବେ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
୧୨ ଦଫା ଦାବି ନେଇ ଲୋୟର ପିଏମ୍ଜିରେ ଅଲ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍ ଓ୍ଵାର୍କରସ ଆସୋସିଏସନ୍ ପକ୍ଷରୁ ଧାରଣା ଜାରି ରହିଛି। ଆଜି ରାଜ୍ୟ ସରକାର ସଂଘ ସହିତ ଆଲୋଚନା କରିଥିଲେ। ସଂଘର ସାଧାରଣ ସଂପାଦିକା ସୁମିତା ମହାପାତ୍ର କହିଛନ୍ତି, ବିଭିନ୍ନ ଟ୍ରେଡ୍ ୟୁନିୟନ ସହିତ ଜଡ଼ିତ ଥିବା ଅଙ୍ଗନବାଡ଼ି କର୍ମୀଙ୍କୁ ରାଜ୍ୟ ସରକାର ସଂଘ ସହ ଆଲୋଚନାକୁ ଡାକିଥିଲେ। ମାତ୍ର ଏହି ଆଲୋଚନାରେ କୌଣସି ସମାଧାନର ବାଟ ବାହାରି ପାରିନାହିଁ। ମନ୍ତ୍ରୀ ଶ୍ରୀ ସାମଲ ଏଥିପାଇଁ ୨ମାସ ସମୟ ମାଗିଛନ୍ତି। ମାତ୍ର ଗଣମାଧ୍ୟମ ସମ୍ମୁଖରେ ୪୫ଦିନ ସମୟ ମାଗିଥିବା ଜଣାପଡ଼ିଛି। ଆଲୋଚନା ବିଫଳ ହେବା ଯୋଗୁଁ ସଂଘ ପୂର୍ବଭଳି ଆନ୍ଦୋଳନ ଜାରି ରଖିବ ବୋଲି ଶ୍ରୀମତୀ ମହାପାତ୍ର କହିଛନ୍ତି।
ସଂଘର ଦାବିଗୁଡ଼ିକ ମଧ୍ୟରେ ରହିଛି ଅଙ୍ଗନବାଡ଼ି କର୍ମୀ, ସହାୟିକା ଓ ଅଙ୍ଗନବାଡ଼ି କର୍ମଚାରୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଦିଆଯାଉ। ଯେତେଦିନ ପର୍ଯ୍ୟନ୍ତ ସରକାରୀ ମାନ୍ୟତା ପାଇ ନାହାନ୍ତି ସେ ପର୍ଯ୍ୟନ୍ତ ସର୍ବନିମ୍ନ ୧୮ହଜାର ଓ ସହାୟିକାଙ୍କୁ ୯ହଜାର ଟଙ୍କା ପ୍ରଦାନ କରାଯାଉ। ସୁପରଭାଇଜର ପଦବିକୁ କେବଳ ଅଙ୍ଗନବାଡ଼ି କର୍ମୀଙ୍କୁ ପଦୋନ୍ନତି ଦିଆଯାଉ। ଯେଉଁ ଜିଲ୍ଲାଗୁଡ଼ିକରେ ଦୀର୍ଘଦିନ ପର୍ଯ୍ୟନ୍ତ ପୂରଣ ହୋଇ ନ ଥିବା ସୁପରଭାଇଜର ପଦବି ପୂରଣ କରାଯାଉ। ସରକାର ଅଙ୍ଗନବାଡ଼ି କର୍ମୀଙ୍କ ଦାବିକୁ ବିଚାରକୁ ନ ନେବା ପର୍ଯ୍ୟନ୍ତ କୌଣସି ନୂତନ କାମରେ ସାମିଲ କରା ନ ଯାଉ। ମିନି ଅଙ୍ଗନବାଡ଼ି କର୍ମୀଙ୍କୁ ଅଙ୍ଗନାବାଡ଼ି କର୍ମୀର ମାନ୍ୟତା ପ୍ରଦାନ କରିବା ସହିତ ସେହି କେନ୍ଦ୍ରରେ ଜଣେ ସହାୟିକା ନିଯୁକ୍ତି ଦେବାର ବ୍ୟବସ୍ଥା କରିିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି।