ବାଙ୍କୀ: ଗରା ଭିତରେ ଫସିଗଲା ଶିଶୁ । ଖେଳୁଥିବା ସମୟରେ ଏକ ଷ୍ଟିଲ୍ ଗରା ଭିତରେ ପଶିଗଲା ଅଢେଇ ବର୍ଷର ଶିଶୁ । ସାହି ପଡ଼ିଶା ଯେତେ ଚେଷ୍ଟା କରିଥିଲେ ମଧ୍ୟ ଗରା ଭିତରୁ ପିଲାଟିକୁ ଉଦ୍ଧାର କରିପାରିନଥିଲେ । ଶେଷରେ ଏ ସଂପର୍କରେ ବାଙ୍କୀ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବିଭାଗର କର୍ମଚାରୀମାନେ ପ୍ରାୟ ଦେଢ଼ ଘଣ୍ଟା କାଳ ଅକ୍ଳାନ୍ତ ପରିଶ୍ରମ କରିବା ପରେ କଟର୍ ସାହାଯ୍ୟରେ ଷ୍ଟିଲ୍ ଗରାକୁ କାଟି ପିଲାଟିକୁ ଉଦ୍ଧାର କରିଥିଲେ ।
ସୂଚନା ଅନୁସାରେ, କଟକ ଜିଲ୍ଲାର ବାଙ୍କୀ ବ୍ଲକ୍ ଅନ୍ତର୍ଗତ ନୂଆଗାଁରେ ଦେଖିବାକୁ ମିଳିଥିଲା ଏଭଳି ଏକ ଅଭାବନୀୟ ଘଟଣା । ଗତକାଲି ସଂଧ୍ୟା ସମୟରେ ଏକ ଅଢେଇ ବର୍ଷର ଶିଶୁ ଖେଳୁଥିବା ସମୟରେ ଏକ ଷ୍ଟିଲ୍ ଗରା ଭିତରେ ପଶିଯାଇଥିଲା । କିନ୍ତୁ ଗରା ଭିତରୁ ଆଉ ବାହାରିପାରି ନ ଥିଲା ।
Sambad is now on WhatsApp
Join and get latest news updates delivered to you via WhatsApp
ସାହି ପଡ଼ିଶା ଯେତେ ଚେଷ୍ଟା କରିଥିଲେ ମଧ୍ୟ ପିଲାଟିର ଅଣ୍ଟା ଗରା ଭିତରେ ଫସି ରହିଥିବାରୁ ସେ ଆଉ ଗରା ଭିତରୁ ବାହାରି ପାରିନଥିଲା । ଶେଷରେ ଏସଂପର୍କରେ ଖବର ପାଇ ବାଙ୍କୀ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ କଟର୍ ସାହାଯ୍ୟରେ ଗରାଟିକୁ ସତର୍କତାର ସହ କାଟି ପିଲାଟିକୁ ଉଦ୍ଧାର କରିଥିଲା । ବର୍ତ୍ତମାନ ପିଲାଟିର ସ୍ୱାସ୍ଥ୍ୟାବସ୍ଥା ସ୍ୱାଭାବିକ ରହିଥିବା ଜଣାଯାଇଛି ।