ପୋକତୁଙ୍ଗା ଫେଡେରାଲ୍‌ ବ୍ୟାଙ୍କ୍‌ରୁ ଋଣ ଜାଲିଆତି : ମାରିନେଲେ ୪୦ ଲକ୍ଷ

ବନ୍ତଳା : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଶଙ୍ଖପୁର ଫେଡ଼େରାଲ୍‌ ବ୍ୟାଙ୍କ୍‌ ଶାଖାରୁ ୪୦ଲକ୍ଷ ଟଙ୍କାର ଋଣ ଜାଲିଆତି ପଦାକୁ ଆସିଛି। ଆଉ କେହି ନୁହେଁ, ଖୋଦ୍‌ ବ୍ୟାଙ୍କ୍‌ର ମ୍ୟାନେଜର ଶୁଭମ୍‌ ରାୟ ଚକ୍ରାନ୍ତ କରି ୪୨ଜଣ ଲୋକଙ୍କ ନାଁରେ ଋଣ ଟଙ୍କା ହଡ଼ପ କରିଛନ୍ତିି। ବ୍ୟାଙ୍କ୍‌ର ଆଞ୍ଚଳିକ ମୁଖ୍ୟ ନିରୋଜକାନ୍ତ ରାଉତଙ୍କ ଏତଲା କ୍ରମେ ବନ୍ତଳା ଥାନା ପୁଲିସ ଅଭିଯୁକ୍ତ ବ୍ୟାଙ୍କ୍‌ ମ୍ୟାନେଜର ଶ୍ରୀ ରାୟଙ୍କୁ ଆଜି ଗିରଫ କରିଛି।

ମିଳିଥିବା ସୂଚନା ଅନୁସାରେ, ଆଜକୁ ୮ମାସ ତଳେ ବ୍ୟାଙ୍କ୍‌ ମ୍ୟାନେଜର ଭାବେ ଶ୍ରୀ ରାୟ କାର୍ଯ୍ୟରେ ଯୋଗ ଦେଇଥିଲେ। ବ୍ୟାଙ୍କ୍‌ରେ ଥିବା ଅଚଳ ଏକାଉଣ୍ଟ୍‌ ଜରିଆରେ ଶ୍ରୀ ରାୟ ଋଣ ମଞ୍ଜୁର କରାଇ ନେଇଥିଲେ। ଏମିତି ମୋଟ୍‌ ୪୨ଟି ଏକାଉଣ୍ଟ୍‌ ଜରିଆରେ ପ୍ରାୟ ୪୦ଲକ୍ଷ ଟଙ୍କା ଜାଲିଆତି ହୋଇଥିବା ବ୍ୟାଙ୍କ୍‌ କର୍ତୃପକ୍ଷ ଜାଣିବାକୁ ପାଇଥିଲେ। ଘଟଣା ପଦାକୁ ଆସିବା ପରେ ଗତମାସ ୨୪ତାରିଖରୁ ମ୍ୟାନେଜର ଶ୍ରୀ ରାୟ ଫେରାର୍‌ ଥିଲେ। ଏନେଇ ବ୍ୟାଙ୍କ୍‌ର ଆଞ୍ଚଳିକ ମୁଖ୍ୟ ଶ୍ରୀ ରାଉତ ଗତ ୩ ତାରିଖରେ ବନ୍ତଳା ଥାନାରେ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ କରି ଅଭିଯୁକ୍ତ ବ୍ୟାଙ୍କ୍‌ ମ୍ୟାନେଜର ଶ୍ରୀ ରାୟଙ୍କୁ ଆଜି ଗିରଫ କରାଯାଇଛି ବୋଲି ବନ୍ତଳା ଥାନା ଅଧିକାରୀ ସବ୍ୟସାଚ୍ଚୀ ରାଉତ କହିଛନ୍ତି। କିନ୍ତୁ ଅଭିଯୁକ୍ତ ଶ୍ରୀ ରାୟଙ୍କୁ କେଉଁଠାରୁ ଗିରଫ କରାଯାଇଛି ସେ ସମ୍ପର୍କରେ କହିବାକୁ ଥାନା ଅଧିକାରୀ ଶ୍ରୀ ରାଉତ ମନା କରିଛନ୍ତି।

ସମ୍ବନ୍ଧିତ ଖବର