୩ ମାସରେ ରାଜ୍ୟରେ ୫ଟି ବ୍ୟାଙ୍କ ଡକାୟତି : ସିକ୍ୟୁରିଟି ଗାର୍ଡଙ୍କୁ ବନ୍ଧୁକ ଲାଇସେନ୍ସ ପ୍ରଦାନ କୋହଳ କର

ଜିଲ୍ଲା ଏସ୍‌ପି ଓ କମିସନରେଟ ପୁଲିସକୁ ଚିଠି

ଭୁବନେଶ୍ୱର : ମାତ୍ର ୩ ମାସ ମଧ୍ୟରେ ରାଜ୍ୟର ୫ଟି ସ୍ଥାନରେ ବ୍ୟାଙ୍କରେ ଡକାୟତି ଘଟିଛି। ଏଥି ମଧ୍ୟରୁ କେବଳ ନୟାଗଡ଼ ଗ୍ରାମ୍ୟବ୍ୟାଙ୍କ ଡକାୟତି ଘଟଣାକୁ ଛାଡ଼ିଦେଲେ ଅନ୍ୟ ୪ଟି ଘଟଣାରେ ପୁଲିସକୁ ସେଭଳି କୌଣସି ସଫଳତା ମିଳିନାହିଁ। ଏଭଳି ପରିସ୍ଥିତିିିରେ ଓଡ଼ିଶା ପୁଲିସର କ୍ରାଇମ୍‌ବ୍ରାଞ୍ଚ ଓ ବ୍ୟାଙ୍କ ଅଧିକାରୀମାନଙ୍କ ମଧ୍ୟରେ ବସିଥିବା ବୈଠକରେ ଯେଉଁ ନିର୍ଯାସ ବାହାରିଛି ତାହା ହେଉଛି, ଯେଉଁଠି ବି ବ୍ୟାଙ୍କ ଡକାୟତି ଘଟିଛି ସେଠାରେ ସିକ୍ୟୁରିଟି ଗାର୍ଡ ନିୟୋଜିତ ହୋଇ ନାହାନ୍ତି। ଯଦି ହୋଇଛନ୍ତି ସେମାନଙ୍କ ହାତରେ ବନ୍ଧୁକଟିଏ ନାହିଁ। ଏହି ସବୁ ଢିଲା ସୁରକ୍ଷା ବ୍ୟବସ୍ଥାର ଫାଇଦା ଉଠାଉଛନ୍ତି ବ୍ୟାଙ୍କ ଡକାୟତ। ତେଣୁ ବ୍ୟାଙ୍କରେ ଡ୍ୟୁଟି କରୁଥିବା ସିକ୍ୟୁରିଟିଗାର୍ଡମାନେ କିଭଳି ବନ୍ଧୁକ ବ୍ୟବହାର କରିବେ ତାହା ଉପରେ ଜୋର ଦିଆଯାଇଛି। ଏଥିପାଇଁ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ କମିସନରେଟ୍‌ ପୁଲିସ ଓ ଜିଲ୍ଲା ଏସ୍‌ପିମାନଙ୍କୁ ଚିଠି କରାଯାଇଛି। ଯେଉଁ ବ୍ୟାଙ୍କ କର୍ତୃପକ୍ଷ ସେମାନଙ୍କ ସିକ୍ୟୁରିଟିଗାର୍ଡ ପାଇଁ ବନ୍ଧୁକ ଲାଇସେନ୍ସ ଆବେଦନ କରିବେ ସେମାନଙ୍କୁ ତୁରନ୍ତ ଲାଇସେନ୍ସ ପ୍ରଦାନ କରାଯିବାକୁ ଏଥିରେ ଉଲ୍ଲେଖ ରହିଛି। ଏହି ନିୟମରେ କୋହଳ କରିବାକୁ କୁହାଯାଇଛି।

ଅନୁଗୁଳ, ନୟାଗଡ଼, ରାଉରକେଲା ଓ ପୁଣି ଥରେ ୩ ଦିନ ତଳେ ଅନୁଗୁଳ ହରିମହୁରୀ ଇଣ୍ଡିଆନ୍‌ ବ୍ୟାଙ୍କରୁ ଡକାୟତି ହେବା ପରେ ପୁଲିସ ଅକଳରେ ପଡିଯାଇଛି। ରାଜ୍ୟ ପୁଲିସ ପକ୍ଷରୁ ସମସ୍ତ ଜିଲ୍ଲା ଏସ୍‌ପି, କମିସନରେଟ ପୁଲିସର ଡିସିପିମାନଙ୍କୁ ଏକ ସର୍କୁଲାର ଜାରି କରାଯାଇଛି। ଯେଉଁଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି କି, ବ୍ୟାଙ୍କ ସମ୍ମୁଖରେ ପୁଲିସ କର୍ମଚାରୀମାନେ କଡ଼ା ସୁରକ୍ଷା ବନ୍ଦୋବସ୍ତ କରିବା ସହିତ ପାଟ୍ର୍ରୋଲିଂ କରିବେ। ଜିଲ୍ଲାରେ ଯେଉଁମାନଙ୍କ ନାଁରେ ଲୁଟପାଟ୍‌, ଛିନତାଇ ଓ ଡକାୟତି ଭଳି ସଂଗିନ ମାମଲା ରହିଛି ସେମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବେ। ସେମାନଙ୍କ ମଧ୍ୟରୁ କେଉଁମାନେ ଏବେ କେଉଁଠି ଅଛନ୍ତି, କିଏ ଜେଲ୍‌ରେ ଅଛନ୍ତି, କିଏ ବାହାରେ ଅଛି ତାର ତାଲିକା ପ୍ରସ୍ତୁତ କରିବାକୁ ସମସ୍ତ ଏସ୍‌ପିଙ୍କୁ କୁହାଯାଇଛି।

ଏହା ଛଡ଼ା ବ୍ୟାଙ୍କ କର୍ତୃପକ୍ଷମାନଙ୍କୁ ମଧ୍ୟ କୁହାଯାଇଛି କି, ସେମାନେ ସେମାନଙ୍କ ବ୍ୟାଙ୍କରେ ହାଇରିଜଲ୍ୟୁସନ୍‌ କ୍ୟାମେରା ଲଗାଇବା ସହିତ, ସୁରକ୍ଷାକର୍ମୀ ନିୟୋଜନ କରିବେ। ବ୍ୟାଙ୍କର ସମସ୍ତ କର୍ମଚାରୀଙ୍କ ସବିଶେଷ ତଥ୍ୟ ସ୍ଥାନୀୟ ଥାନାରେ ଜିମା ଦେବେ।

ଏଠାରେ ପ୍ରକାଶଥାଉକି, ଗତ ଏପ୍ରିଲ ମାସ ୭ ତାରିଖରେ ଅନୁଗୁଳ ଆନ୍ଧ୍ରାବ୍ୟାଙ୍କରୁ ୨୫ ଲକ୍ଷ ଟଙ୍କା ଓ ସୁନାଗହଣା, ନୟାଗଡ଼ ରଣପୁର ଗ୍ରାମ୍ୟବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଓ ସୁନାଗହଣା ଆଦି ଡକାୟତି ହୋଇଥିଲା। ଗତ ମାସ ୧୯ ତାରିଖରେ ରାଉରକେଲା ଇଣ୍ଡିଆନ ଓଭରସିଜ୍‌ ବ୍ୟାଙ୍କରୁ ୫୦ ଲକ୍ଷ ଟଙ୍କା ବ୍ୟାଙ୍କ ଡକାୟତି ହୋଇଥିଲା। ସେହିପରି ୩ ଦିନ ତଳେ ଅନୁଗୁଳର ଇଣ୍ଡିଆନ୍‌ ବ୍ୟାଙ୍କ ଭିତରେ ପଶି ସୁନାଗହଣା ଓ ଲକ୍ଷାଧିକ ଟଙ୍କା ଡକାୟତି କରିଥିଲେ। ୫ରୁ ୬ ଜଣ ଦୁର୍ବୃତ୍ତ ମୁହଁରେ ମୁଖା ପିନ୍ଧି ବ୍ୟାଙ୍କ ଭିତରେ ପଶି ଏଭଳି ଲୁଟପାଟ୍‌ କରିଥିଲେ। ଯାହାର ପର୍ଦାଫାସ କରିବା ରାଜ୍ୟ ପୁଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି।

ସମ୍ବନ୍ଧିତ ଖବର