ସବୁଜ, ସମୃଦ୍ଧ, ସ୍ବଚ୍ଛ ବାଙ୍କୀର ଆହ୍ବାନ ଆଚରଣ ଓ ଉଚ୍ଚାରଣରେ ପରିଣତ ହେଉ: ସୌମ୍ୟରଂଜନ

ବାଙ୍କୀ ମହୋତ୍ସବର ଦ୍ବିତୀୟ ସଂଧ୍ୟା

ବାଙ୍କୀ : ସବୁଜ, ସମୃଦ୍ଧ, ସ୍ବଚ୍ଛ ବାଙ୍କୀର ଆହ୍ବାନ ବାଙ୍କୀବାସୀଙ୍କର ଉଚ୍ଚାରଣ ଏବଂ ଆଚରଣରେ ପ୍ରତିଫଳିତ ହେବା ଆବଶ୍ୟକ ବୋଲି ‘ସମ୍ବାଦ’ର ସମ୍ପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି। ପା‌ଞ୍ଚ ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ୨୦ତମ ବାଙ୍କୀ ମହୋତ୍ସବର ଦ୍ବିତୀୟ ସଂଧ୍ୟାରେ ଆଜି ଶ୍ରୀ ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗ ଦେଇ କହିଛନ୍ତି ଯେ ନିଜ ଭାଷା ଓ ସଂସ୍କୃତିକୁ ପରିବ୍ୟାପ୍ତ କରିବାରେ ଏଭଳି ଉତ୍ସବର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଆଜିର ଯୁବପିଢି କାହାର ଦୟା ଉପରେ ନିର୍ଭରଶୀଳ ନହୋଇ ନିଜ ଗୋଡ଼ରେ ନିଜେ ଛିଡ଼ା ହେବାର ଆତ୍ମବିଶ୍ବାସ ସୃଷ୍ଟି କରନ୍ତୁ ବୋଲି ଏହି ଅବସରରେ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି।

ମହୋତ୍ସବ କମିଟିର ସଭାପତି ତଥା ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍କଳର ଉତ୍କର୍ଷ ପରମ୍ପରାରେ ସଂସ୍କୃତି ଓ ପରମ୍ପରା ପ୍ରମୁଖ ସ୍ଥାନ ଗ୍ରହଣ କରିଥିବା ବେଳେ ରାଜ୍ୟରେ ସଂସ୍କୃତି ଓ ପର୍ଯ୍ୟଟନର ଭିତ୍ତିଭୂମିକୁ ପରିବ୍ୟାପ୍ତ କରିବା ଉପରେ ଗୁରୁତ୍ବାରୋପ କରିଥିଲେ। ବାଲିଯାତ୍ରାର ଭ୍ରମ ସୃଷ୍ଟି କରିଥିବା ବାଙ୍କୀ ମହୋତ୍ସବକୁ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ସମସ୍ତ ସହଯୋଗ ପ୍ରଦାନ ପାଇଁ ମୁଖ୍ୟ ଅତିଥି ଶ୍ରୀ ପାଣିଗ୍ରାହୀ ଘୋଷଣା କରିଥିଲେ। ବିଶିଷ୍ଟ ସାହିତ୍ୟିକ ମୃତ୍ୟୁଞ୍ଜୟ ରଥ, ଉପସଭାପତି ଅନନ୍ତ ଚରଣ ଦାସ, ସୁରଞ୍ଜନ ପଣ୍ତା, ଭରତ ବେହେରା, ଅନୁପ ବଥୁୱାଲ ଏବଂ ଡମପଡା ତହସିଲଦାର ସୁଶ୍ରୀ ଇନ୍ଦିରା ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମହୋତ୍ସବ କମିଟିର ସଂପାଦକ ତଥା ବିଜେଡି ରାଜ୍ୟ ସଂପାଦକ ଆଶିଷ ସାହୁ, ସନାତନ ବେହେରା ଏବଂ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ସୁବାସ ଚନ୍ଦ୍ର ପାଢୀ ଅତିଥିମାନଙ୍କୁ ସ୍ବାଗତ କରିଥିଲେ। ମହୋତ୍ସବ କମିଟି ଉପସଭାପତି ସନ୍ତୋଷ କୁମାର ରଣା ଅତିଥି ପରିଚୟ ଏବଂ ସଂପାଦକ ଡ. ଗଣେଶ୍ବର ସ୍ବାଇଁ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀଙ୍କ ସଂଚାଳନରେ ରବିନାରାୟଣ ମଙ୍ଗରାଜଙ୍କ ଲିଖିତ ‘ସୁବର୍ଣ୍ଣ ସ୍ମୃତି’ ପୁସ୍ତକ ଓ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ‘ତୁମେ ଗଲାପରେ’ କ୍ୟାସେଟକୁ ମୁଖ୍ୟବକ୍ତା ଏବଂ ମୁଖ୍ୟ ଅତିଥି ଉନ୍ମୋଚନ କରିଥିଲେ। ପରେ ମହୋତ୍ସବ ପାଇଁ ଅନୁଷ୍ଠିତ କ୍ରୀଡା ପ୍ରତିଯୋଗିତାରେ ଚାମ୍ପିଅନ ହୋଇଥିବା ଫୁଟବଲ ପାଇଁ ପଣ୍ତାଳମ, ଭଲିବଲ ପାଇଁ ପଦନପୁର ଏବଂ ବିଦ୍ୟାଳୟ ସ୍ତରୀୟ କବାଡି ପ୍ରତିଯୋଗିତା ପାଇଁ ବାଆଁରା ହାଇସ୍କୁଲକୁ ପୁରସ୍କୃତ କରାଯାଇଥିଲା। ଉପସଭାପତି ଅନନ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର