କଟକ : ବ୍ରହ୍ମପୁର ଏସିଡ୍ ଫିଙ୍ଗା ଘଟଣାର ପୀଡ଼ିତାଙ୍କ ବାମ ଆଖିର ସ୍ୱଚ୍ଛପଟଳ ପ୍ରତିରୋପଣ କରାଯାଇଛି। ଭୁବନେଶ୍ୱରସ୍ଥିତ ଏଲ୍.ଭି. ପ୍ରସାଦ ଚକ୍ଷୁ ଚିକିତ୍ସାଳୟରେ ସୋମବାର ସଂଧ୍ୟାବେଳେ ପୀଡ଼ିତାଙ୍କ ଚକ୍ଷୁରେ କୃତ୍ରିମ ସ୍ୱଚ୍ଛପଟଳ ପ୍ରତିରୋପଣ କରାଯାଇଛି। ଏସ୍ସିବି ମେଡକାଲ୍ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ ପ୍ରଫେସର ଡାକ୍ତର ଅରୁଣ ଚୌଧୁରୀ ଓ ଏଲ୍ଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟର ନିର୍ଦ୍ଦେଶିକା ଡାକ୍ତର ଶ୍ରୀଜାତା ମହାପାତ୍ରଙ୍କ ପ୍ରଚେଷ୍ଟାରେ ଏହି ପ୍ରତିରୋପଣ ସମ୍ଭବ ହୋଇଥିବା କୁହାଯାଇଛି। ପ୍ରତିରୋପଣ ପରେ ସଂଧ୍ୟାରେ ପୀଡ଼ିତାଙ୍କୁ ପୁଣି ଏସ୍ସିବି ମେଡିକାଲ୍କୁ ଫେରାଇ ଅଣାଯାଇଛି। ଧିରେଧିରେ ପୀଡ଼ିତା ତାଙ୍କର ଦୃଷ୍ଟି ଶକ୍ତି ଫେରିପାଇବେ। ଆଉ କିଛି ଦିନ ପରେ ତାଙ୍କର ପ୍ଲାଷ୍ଟିକ୍ ସର୍ଜରୀ ଚିକିତ୍ସା ଆରମ୍ଭ ହେବ ବୋଲି ଡାକ୍ତର ଚୌଧୁରୀ କହିଛନ୍ତି।