ବାଚସ୍ପତିଙ୍କୁ ପତ୍ର ଲେଖିଲେ ଭର୍ତ୍ତୃହରି

ବୈଜୟନ୍ତଙ୍କ ଇସ୍ତଫା ଗ୍ରହଣ କରାଯାଉ

ଭୁବନେଶ୍ୱର: ସାଂସଦ ପଦରୁ ବୈଜୟନ୍ତ ପଣ୍ଡାଙ୍କ ସ୍ୱେଚ୍ଛାକୃତ ଇସ୍ତଫାକୁ ଗ୍ରହଣ କରିନେବା ଲାଗି ଆଜି ବିଜେଡି ଲୋକସଭା ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଛି। ବିଜେଡି ସଂସଦୀୟ ଦଳର ନେତା ଭର୍ତ୍ତୃହରି ମହତାବ ବାଚସ୍ପତି ସୁମିତ୍ରା ମହାଜନଙ୍କୁ ଏ ସଂକ୍ରାନ୍ତରେ ଏକ ପତ୍ର ଲେଖିଛନ୍ତି। ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ ଚିଠି ଲେଖି ଭର୍ତୃହରି କହିଛନ୍ତି, ଦୀର୍ଘଦିନ ଧରି ବୈଜୟନ୍ତ ଦଳବିରୋଧୀ କାମରେ ଲିପ୍ତ ଥିଲେ। ତେଣୁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା। ବୈଜୟନ୍ତ, ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ମଧ୍ୟ ଦେଇସାରିଛନ୍ତି। ସ୍ୱଇଚ୍ଛାରେ କେନ୍ଦ୍ରାପଡା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ତେଣୁ ସମ୍ବିଧାନର ଦଶମ ଅନୁଚ୍ଛେଦରେ ରହିଥିବା ଦଳବଦଳ ନିରୋଧ ବ୍ୟବସ୍ଥା ମୁତାବକ, ସାଂସଦ ଭାବରେ ରହିବାର ତାଙ୍କର ଆଉ କୌଣସି ଅଧିକାର ନାହିଁ। ତେଣୁ ବୈଜୟନ୍ତଙ୍କ ଇସ୍ତଫାପତ୍ର ଗ୍ରହଣ କରିବାକୁ ସେ ବାଚସ୍ପତିଙ୍କୁ ନିବେଦନ କରିଛନ୍ତି। ଭର୍ତ୍ତୃହରିଙ୍କ ଏଭଳି ଚିଠି ରାଜନୈତିକ ମହଲରେ ଚର୍ଚ୍ଚାର ଖୋରାକ ଯୋଗାଇଛି। ଭର୍ତୃହରିଙ୍କ ଚିଠି ପରେ ଟୁଇଟ୍‌ କରି ବୈଜୟନ୍ତ ପଣ୍ଡା ଲେଖିଛନ୍ତି,ତାଙ୍କର ସ୍ୱାଭିମାନ ଅଛି ତେଣୁ ସେ ଇସ୍ତଫା ଦେଇ ସାରିଛନ୍ତି। ଦଳ ତରଫରୁ ତାଙ୍କୁ ସାଂସଦ ପଦରୁ ହଟାଇବା ପାଇଁ କୌଣସି ପକ୍ରିୟା ଆରମ୍ଭ କରିବାର ଆବଶ୍ୟକତା ନାହିଁ। ଉଲ୍ଲେଖଯୋଗ୍ୟ, ବୈଜୟନ୍ତଙ୍କ ଇସ୍ତଫାକୁ ବାଚସ୍ପତି ଏଯାଏ ଗ୍ରହଣ କରିନାହାନ୍ତି। ସେ ବାଚସ୍ପତିଙ୍କୁ ନିଜେ ଭେଟିବା ପରେ ମଧ୍ୟ ବାଚସ୍ପତି ଏହି ପ୍ରସଙ୍ଗକୁ ନିଜ ବିଚାରରେ ରଖିଛନ୍ତି।

ସମ୍ବନ୍ଧିତ ଖବର