ଦଶପଲ୍ଲା: ବସ୍‌ରେ ଧକ୍କା ଖାଇ ଦୁଇ ବାଇକ୍‌ ଆରୋହୀ ମୃତ

ଦଶପଲ୍ଲା: ମଙ୍ଗଳବାର-ବୁଧବାର ମଧ୍ୟ ରାତ୍ରୀ ପରେ ରଥ ଗାଁ ଠାରେ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ ଉପରେ ଗୋଟାଏ ବସ୍‌ ଓ ବାଇକ୍‌ ମଧଞରେ ସାମ୍ନାସାମ୍ନି ଧକ୍କା ହେବାରୁ ଦୁଇ ଜଣ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ଘଟିଛି।

ରାତି ପ୍ରାୟ ୧ଟା ବେଳେ ରାସ୍ତାର ୟୁ-ଟର୍ଣ୍ଣରେ ବୁଲି ଫୁଲବାଣୀ ଆଡ଼କୁ ଯାଉଥିବା ଗୋଟାଏ ବାଇକ୍‌ ଭୁବନେଶ୍ୱର ଆଡ଼କୁ ଆସୁଥିବା ଘରୋଇ ଯାତ୍ରୀବାହୀ ବସ୍‌ ‘ଦୀକ୍ଷିତ’ ଉପରେ ଧକ୍କା ଖାଇଥିଲା।

ବାଇକ୍‌ର ଦୁଇ ଆରୋହୀଙ୍କ ମଧ୍ୟରୁ ଦୁର୍ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ଆରୋହୀଜଣଙ୍କୁ ଗୁରୁତର ଆହତ ଅବସ୍ଥାରେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡ୍ରେସିଙ୍ଗ୍‌ ହେବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ଉଭୟ ମଦ୍ୟପାନ କରିଥିବା ଜଣାପଡ଼ିଛି।

ମୃତ ବାଇକ୍‌ ଆରୋହୀ ଦୁହେଁ ହେଉଛନ୍ତି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା କୁଟିବାରି ଗାଁର ବିଶ୍ୱଜିତ ପ୍ରଧାନ ଏବଂ କଳାହାଣ୍ଡି ଜିଲ୍ଲା ଜୟପାଟଣା ଅନ୍ତର୍ଗତ ବାନେର ଗାଁ’ର କୃଷ୍ଣ ନାୟକ।

ଖବର ପାଇ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ବାଇକ୍‌ ଓ ବସ୍‌କୁ ଥାନାକୁ ଆଣିଛି।

ମୃତ ବାଇକ୍‌ ଆରୋହୀଙ୍କ ପରିବାରକୁ ପୁଲିସ ଖବର ଦେଇଛି। ସେମାନେ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ କରାଯିବ।

ସେ ବସ୍‌ରେ ଆସୁଥିବା ଯାତ୍ରୀମାନେ ଅନ୍ୟାନ୍ୟ ବସ୍‌ଗୁଡ଼ିକରେ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ଯାଇଛନ୍ତି।

ସମ୍ବନ୍ଧିତ ଖବର