ମୋବାଇଲ୍‌ ଟାୱାର ପାଲଟିଛି ବିରଳ ପକ୍ଷୀଙ୍କ ଆଶ୍ରୟସ୍ଥଳୀ

ଚିଲିକା ନିକଟରେ ରହୁଛନ୍ତି ସ୍ପଟ୍‌-ବିଲ୍‌ଡ ପେଲିକାନ

ଭୁବନେଶ୍ବର: ମୋବାଇଲ୍‌ ଟାୱାର ପାଲଟିଛି ବିରଳ ସ୍ପଟ୍‌-ବିଲ୍‌ଡ ପେଲିକାନ୍‌ ତଥା ବଡ଼ ଚଞ୍ଚୁ ଥିବା ହଂସଜାତୀୟ ପକ୍ଷୀଙ୍କ ଆଶ୍ରୟସ୍ଥଳୀ। ଚିଲିକା ନିକଟରେ ଥିବା ମୋବାଇଲ୍‌ ଟାୱାରଗୁଡ଼ିକରେ ଏବେ ଏହି ପକ୍ଷୀମାନଙ୍କୁ ଦେଖିବାକୁ ମିଳୁଛି। ସାଙ୍ଗପ୍ରିୟ ଓ ସାମରିକ ବ୍ୟୂହରଚନା ପାଇଁ ଜଣାଶୁଣା ଏହି ପକ୍ଷୀ ଲୁପ୍ତପ୍ରାୟ ଅବସ୍ଥାରେ ପହଞ୍ଚିଲେଣି। ଓଡ଼ିଶାରେ ବି କ୍ବଚିତ ଏହି ପକ୍ଷୀମାନଙ୍କୁ ଦେଖିବାକୁ ମିଳେ। ଏଭଳି ସ୍ଥଳେ ଏହି ପକ୍ଷୀମାନଙ୍କୁ କୃତ୍ରିମ ଉପାୟରେ ବାସ ଯୋଗାଇ ଦେଇପାରିଲେ ବହୁ ପକ୍ଷୀଙ୍କ ସମାଗମ ହେବା ସହ ଚିଲିକାର ଶୋଭାରାଜି ଆହୁରି ବୃଦ୍ଧି ପାଇବା ନେଇ ସମ୍ଭାବନା ସୃଷ୍ଟି ହୋଇଛି।

‘ୱାଇଲ୍‌ଡ ଓଡ଼ିଶା’ ପକ୍ଷରୁ ‌ହୋଇଥିବା ଏକ କ୍ଷେତ୍ର ପର୍ଯ୍ୟବେକ୍ଷଣରୁ ଜଣାପଡ଼ିଛି ଯେ, ଚଳିତ ବର୍ଷ କେବଳ ଚିଲିକାରେ ଏହି ଧରଣର ପ୍ରାୟ ୩୦୦ ପକ୍ଷୀଙ୍କୁ ଚିହ୍ନଟ କରାଯାଇଛି। ନଳବଣରେ ବହୁ ସଂଖ୍ୟାରେ ଏମାନେ ଦେଖାଯାଇଥିବା ବେଳେ ମଙ୍ଗଳାଯୋଡ଼ି, ଭୁଷଣ୍ଡପୁର ଓ ତିନିମୁହାଣିରେ ମଧ୍ୟ କିଛି କିଛି ସଂଖ୍ୟାରେ ସ୍ପଟ୍‌-ବିଲ୍‌ଡ ପେଲିକାନ୍‌ଙ୍କୁ ଦେଖିବାକୁ ମିଳିଛି। ଏଥିସହ ଗଞ୍ଜାମର ଆର୍ଦ୍ରଭୂମି ଓ ରାଜନଗରର ହେନ୍ତାଳ ବନରେ ଏହି ପକ୍ଷୀମାନେ ଆଶ୍ରୟ ନେବାକୁ ପସନ୍ଦ କରୁଛନ୍ତି। ୱାଇଲ୍‌ଡ ଓଡ଼ିଶାର ଉପାଧ୍ୟକ୍ଷ ନନ୍ଦ କିଶୋର ଭୁଜବଳଙ୍କ କହିବା ମୁତାବକ, ସଂପ୍ରତି ବିଶ୍ବରେ ୮ଟି ପେଲିକାନ୍‌ ପ୍ରଜାତି ମଧ୍ୟରେ ଗୋଟିଏ ସ୍ପଟ୍‌-ବିଲ୍‌ଡ ପେଲିକାନ ପକ୍ଷୀ ଦେଖାଯାଏ। ମୁଖ୍ୟତଃ ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଏସିଆ ତଥା ଭାରତ, ଶ୍ରୀଲଙ୍କା, ଦକ୍ଷିଣ କାମ୍ବୋଡ଼ିଆ ଓ ସୁମାତ୍ରାର ପୂର୍ବାଞ୍ଚଳରେ ଏହି ପ୍ରଜାତିର ପକ୍ଷୀ ଦେଖାଯାଆନ୍ତି। ଭାରତରେ ମୁଖ୍ୟତଃ ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, କର୍ଣ୍ଣାଟକ ଓ ଆସାମରେ ଏହି ପକ୍ଷୀଙ୍କ ଉପସ୍ଥିତି ଦେଖିବାକୁ ମିଳେ। ମାତ୍ର ଓଡ଼ିଶାରେ ଏମାନେ କାଁ ଭାଁ ଦେଖାଯାଆନ୍ତି। ଏକାଠି ଖାଦ୍ୟ ଅନ୍ବେଷଣରେ ଯିବା, ଜଣେ ଯାହା କରେ ଅନ୍ୟ ପକ୍ଷୀମାନେ ତାହାକୁ ଅନୁକରଣ କରିବା, ଦଳଦଳ ହୋଇ ଗଛରେ ବସା ବାନ୍ଧି ରହିବା, ଇଂରାଜୀ ଅକ୍ଷର ‘ଭି’ ଆକାରରେ ଦଳଦଳ ହୋଇ ଉଡ଼ିବା ଏହି ପ୍ରଜାତିର ପକ୍ଷୀମାନଙ୍କର ବିଶେଷତ୍ବ।

ସବୁଠୁ ବଡ଼ କଥା ହେଉଛି, ଜଳାଶୟ ନିକଟରେ ଗଛରେ ବସା ବାନ୍ଧି ରହିବାକୁ ପସନ୍ଦ କରୁଥିବା ଏହି ପକ୍ଷୀମାନେ ଏବେ ମୋବାଇଲ୍‌ ଟାୱାରକୁ ବାସସ୍ଥଳୀ ଭାବେ ଆଦରି ନେଉଥିବା ଦେଖାଯାଉଛି। ଏହାକୁ ଆପଣାଇବା ପଛରେ ଏକ ସକାରାତ୍ମକ ଯୁକ୍ତି ବାଢ଼ି ଶ୍ରୀ ଭୁଜବଳ କହିଛନ୍ତି, ଆନ୍ଧ୍ରପ୍ରଦେଶର‌ କୋଲେରୁରେ ଥିବା ଆଟାପକା ଜଳାଶୟ ନିକଟ ଏହି ପ୍ରଜାତିର ପକ୍ଷୀଙ୍କ ପାଇଁ ଏକ ଅନୁକୂଳ ପରିବେଶ ପାଲଟିଛି। ଯେଉଁଠି ଏବେ ପ୍ରାୟ ୬ ହଜାର ସ୍ପଟ୍‌-ବିଲ୍‌ଡ ପେଲିକାନ୍‌ ଅଛନ୍ତି। ଏହି ପକ୍ଷୀମାନଙ୍କ ପାଇଁ ପ୍ରାକୃତିକ ଆବାସସ୍ଥଳୀର ଅଭାବ ଯୋଗୁ ଏକ ଦଶନ୍ଧି ତଳେ ଆନ୍ଧ୍ରପ୍ରଦେଶର ବନ ବିଭାଗ ସେମାନଙ୍କ ପ୍ରଜନନ ଓ ବସା ଉଦ୍ଦେଶ୍ୟରେ ‘ଲୁହା ଷ୍ଟାଣ୍ଡ୍‌’ର ବ୍ୟବସ୍ଥା କରିଥିଲେ। ଓଡ଼ିଶାରେ ମଧ୍ୟ ସେଇ ପକ୍ଷୀମାନଙ୍କୁ ମୋବାଇଲ୍‌ ଟାୱାର ଉପରେ ବସା ବାନ୍ଧିବାକୁ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି। ତେଣୁ ଯଦି ସେମାନଙ୍କ ପାଇଁ ଅନୁକୂଳ ଲୁହା ଷ୍ଟାଣ୍ଡ୍‌ର ବ୍ୟବସ୍ଥା କରାଯିବ ତେବେ ସ୍ପଟ୍‌-ବିଲ୍‌ଡ ପେଲିକାନଙ୍କ ସଂଖ୍ୟା ବୃଦ୍ଧି ପାଇପାରିବ। ଚିଲିକାର ଲୋକମାନଙ୍କଠାରୁ ମିଳିଥିବା ସୂଚନା ମୁତାବକ, ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାରୁ ଖାଦ୍ୟ ଅନ୍ବେଷଣରେ ଅନେକ ପକ୍ଷୀ ଚିଲିକାକୁ ଆସନ୍ତି। ଯଦି ଲୁହା ଷ୍ଟାଣ୍ଡ୍‌ର ବ୍ୟବସ୍ଥା ‌ହୁଏ ତେବେ କୋଲେରିରୁ ବହୁ ସଂଖ୍ୟାରେ ସ୍ପଟ୍‌-ବିଲ୍‌ଡ ପେଲିକାନ୍‌ ଖାଦ୍ୟ ଅନ୍ବେଷଣରେ ଚିଲିକାକୁ ଆସିବେ। ଏହା ଚିଲିକାରେ ପକ୍ଷୀମାନଙ୍କର ଉପସ୍ଥିତି ବଢ଼ାଇବା ସହ ଆକର୍ଷଣ ସାଜିପାରିବ। ପୂର୍ବ ବର୍ଷ ଏହି ସମୟରେ ପ୍ରାୟ ୧୪୦ ପକ୍ଷୀ ମୋବାଇଲ୍‌ ଟାୱାରରେ ଆଶ୍ରୟ ନେଉଥିବା ଦେଖିବାକୁ ମଳିଥିବା ବେଳେ ଚଳିତ ବର୍ଷ ଏହି ସଂଖ୍ୟା ୩ଶହକୁ ବୃଦ୍ଧି ପାଇଛି। କିଛି ସ୍ବତନ୍ତ୍ର ବ୍ୟବସ୍ଥା ଓ ସତର୍କତା ହିଁ ସେଇ ବିରଳ ପକ୍ଷୀମାନଙ୍କୁ ବହୁ ସଂଖ୍ୟାରେ ଓଡ଼ିଶା ଆସିବା ପାଇଁ ବାଟ ସୁଗମ କରିବା ସହିତ ଚିଲିକାର ଆକର୍ଷଣ ଆହୁରି ବୃଦ୍ଧି ପାଇପାରିବ ବୋଲି ଶ୍ରୀ ଭୁଜବଳ କହିଛନ୍ତି।

ସମ୍ବନ୍ଧିତ ଖବର