ଧର୍ମେନ୍ଦ୍ରଙ୍କ ଆଭିମୁଖ୍ୟ ନେଇ ପ୍ରଶ୍ନ ଉଠାଇଲା ବିଜେଡି : ଆନ୍ତରିକତା କମ୍‌, ବାଧ୍ୟବାଧକତା ବେଶୀ, ହୃଦୟର ସହ ଚାହୁଁଥିଲେ କେନ୍ଦ୍ରରେ ଚାପ ପକାନ୍ତୁ

ଭୁବନେଶ୍ୱର : ଛତିିଶଗଡ଼ ମହାନଦୀ ପାଣିକୁ ଅଟକାଉଛି ବୋଲି ଆଜି ସମ୍ବଲପୁରରେ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱୀକାର କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କିନ୍ତୁ କେନ୍ଦ୍ର ମନ୍ତ୍ରୀଙ୍କ ଏହି ସ୍ୱୀକାରୋକ୍ତିକୁ ବିଜେଡି ସହଜରେ ଗ୍ରହଣ କରି ନାହିଁ। ଶ୍ରୀ ପ୍ରଧାନଙ୍କ ଆନ୍ତରିକତା ନେଇ ପ୍ରଶ୍ନ ଉଠାଇଛି ଦଳ। ବିଜେଡି ଆଜି କହିଛି, ଆନ୍ତରିକତା ନୁହେଁ, ବିଜେପିର ବିପର୍ଯ୍ୟୟ ଦେଖି ବାଧ୍ୟବାଧକତାରେ କେନ୍ଦ୍ର ମନ୍ତ୍ରୀ ଏପରି ମନ୍ତବ୍ୟ ଦେଇଛନ୍ତି।

ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ, ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ଓ ସହଯୋଗୀଙ୍କ ଭୂମିକା ସ୍ପଷ୍ଟ ହେବା ଦରକାର। ଆରମ୍ଭରୁ ମହାନଦୀ ଉପରେ ବିଜେଡିର ଆଭିମୁଖ୍ୟ ସ୍ପଷ୍ଟ ରହିଛି। ମହାନଦୀର ସୁରକ୍ଷା ପାଇଁ ଦଳ ଯେଉଁ ଅଭିଯାନ କରୁଛି, ତାହା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି। ବର୍ତ୍ତମାନ ସମସ୍ୟା ହେଉଛି ଅଣମୌସୁମୀ ସମୟର। ଏହି ସମୟରେ ଛତିଶଗଡ଼ ପାଣି ଅଟକାଉଥିବାରୁ ଆମ ରାଜ୍ୟର ଲୋକମାନେ ପ୍ରଭାବିତ ହେଉଛନ୍ତି। ଏ ସମ୍ପର୍କରେ ବିଜେଡି କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି। କିନ୍ତୁ ଛତିଶଗଡ଼ରେ ବିଜେପି ସରକାର ଥିବାରୁ କେନ୍ଦ୍ର ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିପାରୁ ନାହାନ୍ତି। ସେଥି ପାଇଁ କେନ୍ଦ୍ର ଟାଳଟୁଳ ନୀତି ଗ୍ରହଣ କରୁଛି ଓ ଓଡ଼ିଶାର ଦାବି ଶୁଣୁନି। ଟ୍ରିବ୍ୟୁନାଲ୍‌ ଗଠନରେ ବି କେନ୍ଦ୍ର ସରକାର ଟାଳଟୁଳ ନୀତି ଗ୍ରହଣ କଲେ ଓ ସୁପ୍ରିମକୋର୍ଟର ଚାପରେ ଟ୍ରିବ୍ୟୁନାଲ୍‌ ଗଠନ କଲେ।

ଶ୍ରୀ ପଟ୍ଟନାୟକ କହିଥିଲେ, ଓଡ଼ିଶାରୁ କେନ୍ଦ୍ରରେ ଦୁଇ ଦୁଇ ଜଣ ପ୍ରଭାବଶାଳୀ କ୍ୟାବିନେଟ୍‌ ମନ୍ତ୍ରୀ ଅଛନ୍ତି। କିନ୍ତୁ ସେମାନେ ଓଡ଼ିଶାର ସ୍ୱାର୍ଥ ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରଭାବିତ କରି ନ ପାରିବା ଦୁର୍ଭାଗ୍ୟଜନକ। ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସହଯୋଗର ହାତ ବଢ଼ାଇବା କଥା କହୁଛନ୍ତି। କିନ୍ତୁ ସେଥିରେ ଆନ୍ତରିକତା ଥିଲା ପରି କେହି ଅନୁଭବ କରୁ ନାହାନ୍ତି। ଯଦି ଅଢ଼େଇ ବର୍ଷ ତଳେ ଏହା କହିଥା’ନ୍ତେ, ତେବେ ତାହାକୁ ସମସ୍ତେ ସ୍ୱାଗତ କରିଥା’ନ୍ତେ। କିନ୍ତୁ ଏବେ ଲଗାତର ଭାବେ ବିଜେପୁର ସମେତ ବିଭିନ୍ନ ନିର୍ବାଚନରେ ବିଜେପିର ବିପର୍ଯ୍ୟୟ ପରେ କେନ୍ଦ୍ର ମନ୍ତ୍ରୀ ବିବ୍ରତ ହୋଇ ଏପରି ମନ୍ତବ୍ୟ ଦେଉଛନ୍ତି। ଯଦି ସତରେ ଓଡ଼ିଶାର ସ୍ୱାର୍ଥ ପାଇଁ ଶ୍ରୀ ପ୍ରଧାନଙ୍କ ହୃଦୟ କାନ୍ଦୁଛି, ତେବେ କେନ୍ଦ୍ର ଉପରେ ପ୍ରଭାବ ବିସ୍ତାର କରି ଛତିଶଗଡ଼କୁ ବେଆଇନ୍‌ ବନ୍ଧବାଡ଼ ନିର୍ମାଣରୁ ବିରତ ରଖିବାକୁ ପଦକ୍ଷେପ ନିଅନ୍ତୁ। ଟ୍ରିବ୍ୟୁନାଲ୍‌ରେ ମାମଲା ଚାଲିବ, କିନ୍ତୁ ଓଡ଼ିଶାର ସ୍ୱାର୍ଥକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଅନ୍ତରୀଣ ପଦକ୍ଷେପ ନିଅନ୍ତୁ। ଶ୍ରୀ ପ୍ରଧାନଙ୍କ ବକ୍ତବ୍ୟକୁ ଓଡ଼ିଶାବାସୀ ସେତେବେଳେ ଗ୍ରହଣ କରିବେ, ଯେତେବେଳେ ଛତିଶଗଡ଼ର କାମ ବନ୍ଦ ପାଇଁ କେନ୍ଦ୍ର ସରକାର ଠୋସ୍‌ ପଦକ୍ଷେପ ନେବେ।

ବିଜେଡି ସାଧାରଣ ସମ୍ପାଦକ ତଥା ବିଧାୟକ ସଞ୍ଜୟ ଦାସବର୍ମା କହିଥିଲେ, ୨୦୧୬ରୁ ମହାନଦୀକୁ ନେଇ ବିଜେଡି ପକ୍ଷରୁ ବିଭିନ୍ନ ପର୍ଯ୍ୟାୟରେ ଛତିଶଗଡ଼ ଓ କେନ୍ଦ୍ର ସରକାରଙ୍କ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ କରାଯାଇଛି। ଯେତେବେଳେ ଏ ସମ୍ପର୍କରେ ଆଲୋଚନା କରାଯାଇଛି, କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଯୁଗ୍ମ ନିୟନ୍ତ୍ରଣ ବୋର୍ଡ, ଛତିଶଗଡ଼-ଓଡ଼ିଶା ମଧ୍ୟରେ ମଧ୍ୟସ୍ଥତାର କରିବାର ପ୍ରସ୍ତାବ, ମହାନଦୀ ଉପରେ ଶ୍ୱେତପତ୍ର ପ୍ରଦାନ, ମହାନଦୀ ଉପରେ ଏକକ ଟ୍ରିବ୍ୟୁନାଲ୍‌ ଗଠନ ଆଦି ସଂପର୍କରେ ମତ ଦେଉଥିଲେ। ଛତିଶଗଡ଼ର ବେଆଇନ୍‌ ବ୍ୟାରେଜ୍‌ ନିର୍ମାଣ ବନ୍ଦ କରିବାକୁ ଦୁଇ ବର୍ଷ ଭିତରେ ଥରୁଟିଏ ବି କହି ନାହାନ୍ତି। ଏବେ ବିଜେପିକୁ ରାଜ୍ୟରେ ବଞ୍ଚାଇବା ପାଇଁ ଶ୍ରୀ ପ୍ରଧାନ ଏପରି ମନ୍ତବ୍ୟ ନ ଦିଅନ୍ତୁ। ଜଣେ କେନ୍ଦ୍ର ମନ୍ତ୍ରୀ ଭାବେ ସେ ତୁରନ୍ତ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ପାଇଁ ପଦକ୍ଷେପ ନିଅନ୍ତୁ। ବିଜେପି ଶାସିତ ଛତିଶଗଡ଼ ସରକାରକୁ ମହାନଦୀ ଉପରମୁଣ୍ଡରେ ସମସ୍ତ ବେଆଇନ୍‌ ବ୍ୟାରେଜ୍‌ ବନ୍ଦ କରିବା ସହ ନୂଆ ବ୍ୟାରେଜ୍‌ର ଟେଣ୍ଡର୍‌ ପ୍ରକ୍ରିୟାକୁ ଅଟକାଇବା ପାଇଁ ଉପଯୁକ୍ତ ପଦକ୍ଷେପ ନିଅନ୍ତୁ।

ଅର୍ଥ ମନ୍ତ୍ରୀ ଶଶୀଭୂଷଣ ବେହେରା କହିଥିଲେ, ସଂଘୀୟ ବ୍ୟବସ୍ଥାରେ ଯେତେବେଳେ ରାଜ୍ୟ-ରାଜ୍ୟ ଭିତରେ ନଦୀ ସମସ୍ୟା ସୃଷ୍ଟି ହୁଏ, ସେତେବେଳେ କେନ୍ଦ୍ର ସରକାରଙ୍କର ଗୁରୁ ଦାୟିତ୍ୱ ରହିଛି। କିନ୍ତୁ ଏ କ୍ଷେତ୍ରରେ କେନ୍ଦ୍ର ସରକାର ତାଙ୍କ ଦାୟିତ୍ୱ ଠିକ୍‌ ଭାବେ ନିର୍ବାହ କରି ନାହାନ୍ତି। ସତରେ ଯଦି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଦରଦ ଥାଏ, ତେବେ କେନ୍ଦ୍ର ସରକାରଙ୍କ ଉପରେ ପ୍ରଭାବ ପକାଇ ଛତିଶଗଡ଼ର କାମ ବନ୍ଦ ପାଇଁ ପଦକ୍ଷେପ ନିଅନ୍ତୁ। ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା, ମୁଖପାତ୍ର ସସ୍ମିତ ପାତ୍ର ଓ ବିଜୁ ଛାତ୍ର ଜନତା ଦଳ ସଭାପତି ରାଣାପ୍ରତାପ ପାତ୍ର ଉପସ୍ଥିତ ଥିଲେ।

ମହାନଦୀ ପ୍ରସଙ୍ଗରେ ବିଜେଡିର ଏକ ଷ୍ଟିୟରିଂ କମିଟି ଗଠନ କରାଯାଇଛି। ଏହି କମିଟିର ବୈଠକ ଖୁବ୍‌ ଶୀଘ୍ର ଅନୁଷ୍ଠିତ ହେବ। ତୃତୀୟ ପର୍ଯ୍ୟାୟ ମହାନଦୀ ଆନ୍ଦୋଳନ ପାଇଁ ଏଥିରେ ରୂପରେଖ ପ୍ରସ୍ତୁତ ହେବ ବୋଲି ଶ୍ରୀ ଦାସବର୍ମା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର