ସୋହେଲାରେ ବିଜେପି ନେତାଙ୍କୁ ମରଣାନ୍ତକ ଆକ୍ରମଣ

ବରଗଡ଼/ସୋହେଲା : ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଂପାଦକ ଇରାଶିଷ ଆଚାର୍ଯ୍ୟଙ୍କୁ ସୋହେଲାରେ ମରଣାନ୍ତକ ଆକ୍ରମଣ ହୋଇଛି। ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡ ଫାଟିଥିବାବେଳେ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି। ସେ ଯାଇଥିବା ଗାଡ଼ିକୁ ମଧ୍ୟ ଦୁର୍ବୃତ୍ତମାନେ ଭାଂଗିରୁଜି ଦେଇଛନ୍ତି। ଶନିବାର ସଂଧ୍ୟା ସାଢ଼େ ୫ଟା ବେଳେ ସୋହେଲା ବ୍ଲକ ଛକ ପାଖରେ ଏହି ଆକ୍ରମଣ ହୋଇଛି।

ମିଳିଥିବା ସୂଚନା ଅନୁସାରେ ବନାବିରା ଆକ୍ରମଣ ମାମଲାରେ ଗିରଫ ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ରଙ୍କୁ ସୋହେଲା ଜେଲ୍‌ ହାଜତରେ ସାକ୍ଷାତ କରିବା ପାଇଁ ବିଜେପି ରାଜ୍ୟ ସଂପାଦକ ରଂଜନ ପଟେଲ, ଇରାଶିଷ, ବରିଷ୍ଠ ନେତା ସୁଶାନ୍ତ ମିଶ୍ର ଏବଂ ସମ୍ବଲପୁରର କିଛି କର୍ମକର୍ତା ଯାଇଥିଲେ। ଶ୍ରୀ ମିଶ୍ରଙ୍କୁ ସାକ୍ଷାତ କରିବା ପରେ ସେମାନେ ଶ୍ରୀ ପଟେଲଙ୍କ ନୂଆ ଗାଡ଼ିରେ ବ୍ଲକ ଛକ ପାଖକୁ ଆସିଥିଲେ। ଛକ ପାଖ ଦୋକାନରେ ସମସ୍ତେ ଚା’ ପିଉଥିବାବେଳେ ହଠାତ କେତେକ ବାଇକ୍‌ରେ ୨୫/୨୬ଜଣ ଯୁବକ ଆସିଥିଲେ। ‘ଇରାଶିଷ’ କିଏ ବୋଲି ପଚାରିଥିଲେ। ଜଣେ ଯୁବକ ଇରାଶିଷଙ୍କୁ ଚିହ୍ନଟ କରିବା ପରେ ଲୁହାରଡ୍‌ ଏବଂ କାଠ ଫାଳିଆରେ ଆକ୍ରମଣ ହୋଇଥିଲା। ଅନ୍ୟ ବିଜେପି ନେତା ଇରାଶିଷଙ୍କୁ ମୁକୁଳାଇବାକୁ ଚେଷ୍ଟା କରିଥିଲେ ହେଁ ଦୁର୍ବୃତ୍ତମାନେ ମାଡ଼ ମାରି ଚାଲିଥିଲେ। ଏଥିରେ ଇରାଶିଷ ବେହୋସ ହୋଇଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଏହି ଘଟଣା ନେଇ ଶ୍ରୀ ପଟେଲ ବରଗଡ଼ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଇଂଗିତରେ ଏହି ଆକ୍ରମଣ ହୋଇଥିବା ସେ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି।

ଅନ୍ୟପକ୍ଷରେ ସୋହେଲାର ସନ୍ତୋଷ ସୁନା ନାମକ ଜଣେ ଯୁବକ ଇରାଶିଷଙ୍କ ବିରୋଧରେ ସୋହେଲା ଥାନାରେ ଏତଲା ଦେଇଛନ୍ତି। ଶନିବାର ଅପରାହ୍ନରେ ଇରାଶିଷ ତାଙ୍କୁ ଜାତିଆଣ ଆକ୍ଷେପ କରିବା ସହ ହତ୍ୟା ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ସୋହେଲା ସହରରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଛି।

ବିଧାନସଭାରେ ଧାରଣାରେ ବସିଲେ ବିଧାୟକ ରବି ନାଏକ

ଭୁବନେଶ୍ୱର : ସୋହେଲାରେ ବିଜେପି ଯୁବ ନେତାଙ୍କୁ ଆକ୍ରମଣ ଘଟଣା ପ୍ରସଙ୍ଗ ଆଜି ବିଧାନସଭାରେ ଉଠିଛି। ଅପରାହ୍ନରେ ଅର୍ଥ ମନ୍ତ୍ରୀ ବଜେଟ୍‌ ଉପରେ କହୁଥିଲା ବେଳେ ବିଜେପି ବିଧାୟକ ରବି ନାଏକ ନିଜ ଆସନରେ ଛିଡ଼ା ହୋଇ ସୋହେଲା ଆକ୍ରମଣ ବିଷୟରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ କହିଲେ, ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ରଙ୍କୁ ଜେଲ୍‌ରେ ଦେଖା କରି ଫେରିଲା ବେଳେ ବିଜେପି ଯୁବମୋର୍ଚ୍ଚା ସଂପାଦକ ଇରାଶିଷ ଆଚାର୍ଯ୍ୟ ଓ ବିଜେପି ରାଜ୍ୟ ସଂପାଦକ ରଂଜନ ପଟେଲଙ୍କ ଉପରେ ଆକ୍ରମଣ ହୋଇଛି। ଶ୍ରମ ମନ୍ତ୍ରୀଙ୍କ ଭାଇ ଏହି ଆକ୍ରମଣରେ ଜଡ଼ିତ। ଶ୍ରୀ ନାଏକଙ୍କ କଥା ପ୍ରତି ବାଚସ୍ପତି ଧ୍ୟାନ ନ ଦେବାରୁ ସେ ଗୃହ ମଧ୍ୟ ଭାଗକୁ ଆସି ବାଚସ୍ପତିଙ୍କ ପୋଡିୟମ୍‌ ତଳେ ଧାରଣାରେ ବସିଥିଲେ। ବାଚସ୍ପତି ତାଙ୍କୁ ଆସନକୁ ଫେରିଯିବା ପାଇଁ କହିଥିଲେ ମଧ୍ୟ ସେ ଧାରଣାରୁ ଉଠି ନ ଥିଲେ। ଗୃହ ମୁଲତବୀ ହେବା ପର୍ଯ୍ୟନ୍ତ ସେ ସେଠାରେ ବସି ରହିଥିଲେ। ଏହି ସମୟରେ ବିଜେପିର ଅନ୍ୟ କୌଣସି ସଦସ୍ୟ ଗୃହରେ ଉପସ୍ଥିତ ନ ଥିଲେ।

ସମ୍ବନ୍ଧିତ ଖବର