ସମ୍ବଲପୁର: ବୁର୍ଲା ଭିମ୍ସାର ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀ ଶୁକ୍ରବାର ପଦ ଛାଡ଼ିଛନ୍ତି। ଲୁଣ ଚିକିତ୍ସା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ସେ ପଦ ଛାଡ଼ିଥିବା ସ୍ୱୀକାର କରିଛନ୍ତି। ଲୁଣ ଥେରାପି ଚିକିତ୍ସା ସଂପର୍କିତ ଭିଡିଓ ଭାଇରାଲ ହେବା ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ଏହା ପରେ ୪ ଜଣିଆ ଟିମ ତଦନ୍ତ କରି ଡାକ୍ତର ଅଶ୍ୱିନୀ ପୂଜାହାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ନିର୍ଦ୍ଦେଶକ ପଦ ଛାଡ଼ିବା ପରେ ଡାକ୍ତର ଅଶ୍ୱିନୀ କହିଛନ୍ତି, ତାଙ୍କୁ ବିରୋଧ କରି ଯେଉଁ ଜୁନିଅର ଡାକ୍ତରମାନେ ଆନ୍ଦୋଳନ କରୁଛନ୍ତି, ତାହା ବନ୍ଦ କରନ୍ତୁ। ଜୁନିଅର ଡାକ୍ତରମାନେ ବିଜୟୀ ହୋଇଛନ୍ତି। ଭିମ୍ସାରରେ ଯେପରି ଡାକ୍ତରୀ ଚିକିତ୍ସାରେ ଅବହେଳା ନହୁଏ, ସେଥିପ୍ରତି ଜୁନିଅର ଡାକ୍ତର ଦୃଷ୍ଟି ଦିଅନ୍ତୁ।
ସୂଚନାଯୋଗ୍ୟ ନିକଟରେ ଭିମ୍ସାର ନିର୍ଦ୍ଦେଶକ ଡାକ୍ତର ଅଶ୍ୱିନୀ ପୂଜାହାରୀଙ୍କ ପରୀକ୍ଷାନିରୀକ୍ଷା ଏବଂ ଅସ୍ତ୍ରୋପଚାର ବେଳେ ଲୁଣ ପ୍ରୟୋଗ କରିଥିବାର ଭିଡ଼ିଓ ଭାଇରାଲ ହୋଇଥିଲା। ଆଉ ଏଭଳି ଚିକିତ୍ସା ପାଇଁ ରୋଗୀଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ଏହା ପରେ ଜୁନିଅର ଡାକ୍ତର ସଂଘ ଆନ୍ଦୋଳନକୁ ଓହ୍ଲାଇଥିଲେ।
ଜୁନିଅର ଡାକ୍ତର ସଂଘ (ଜେଡିଏସ୍) ରାଜ୍ୟ ଗୁରୁବାର ସରକାରଙ୍କୁ ୪୮ ଘଣ୍ଟା ମହଲତ ଦେଇଥିଲା। କଟକରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଭିମ୍ସାର, ଏସ୍ସିବି ଏବଂ ଏମ୍କେସିଜି କନିଷ୍ଠ ଡାକ୍ତର ଯୋଗଦେଇଥିଲେ। ଜୁନିଅର ଡାକ୍ତର ସଂଘ ଚେତାବନୀ ଦେଇଥିଲା ଯେ, ୪୮ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନିଆ ନଗଲେ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ।