କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସାଇନ୍‌ ଡାଏ

ବିଶ୍ୱବିଦ୍ୟାଳୟ ଇତିହାସରେ ପ୍ରଥମ
ପ୍ରଶାସନ ନିକଟରେ ଫେରାଦ ହେଲେ ଛାତ୍ରଛାତ୍ରୀ
କୁଳପତି କହିଲେ, ବିକଳ୍ପ ନ ଥିଲା

କୋରାପୁଟ : ସୁନାବେଡାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି ସୃଷ୍ଟି ହେବା ପରେ ବିଶ୍ୱବିଦ୍ୟାଳୟକୁ ସାଇନ୍‌ ଡାଏ ଘୋଷଣା କରାଯାଇଛି। ଆଜି ଦିନ ୧୦ଟା ସୁଦ୍ଧା ସମସ୍ତ ଛାତ୍ରଛାତ୍ରୀ କ୍ୟାମ୍ପସ୍‌ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯିବା ପରେ ସମସ୍ତେ ବିଶ୍ୱବିଦ୍ୟାଳୟରୁ ଘରମୁହାଁ ହୋଇଛନ୍ତି। ହଠାତ ଏଭଳି ଘୋଷଣା ହେବାରୁ ଦୂର ଦୂରାନ୍ତରରୁ ଆସିଥିବା ଛାତ୍ରଛାତ୍ରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏପଟେ ସାଇନ୍‌ ଡାଏ ବ୍ୟତୀତ ଆଉ କିଛି ବିକଳ୍ପ ନ ଥିଲା ବୋଲି କହିଛନ୍ତି କର୍ତ୍ତୃପକ୍ଷ। ପ୍ରଥମ ଥର ପାଇଁ ଏହି ବିଶ୍ୱବିଦ୍ୟାଳୟରେ ସାଇନ୍‌ ଡାଏ ହୋଇଥିଲା ବେଳେ କ୍ୟାମ୍ପସ ଭିତରେ ଓ ବାହାରେ ପୁଲିସ କଡ଼ା ନଜର ରଖିଛି।

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଗତକାଲି ସନ୍ଧ୍ୟା ପ୍ରାୟ ୫ଟା ବେଳେ ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲେ। ସେମାନେ ମୁଖ୍ୟ ଫାଟକରେ ତାଲା ପକାଇ ଦେବା ସହ ଛାତ୍ରୀ ନିବାସ ପାଖରେ ଧାରଣାରେ ବସିଥିଲେ। କୁଳପତି ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି ଘଟଣାସ୍ଥଳକୁ ଆସି ଉତ୍ତ୍ୟକ୍ତ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଛାତ୍ରଛାତ୍ରୀ ସେମାନଙ୍କ ଦାବି ପୂରଣ କରିବାକୁ ଅଡ଼ି ବସିଥିଲେ। ଏହାକୁ ନେଇ ଛାତ୍ରଛାତ୍ରୀ ଓ କୁଳପତିଙ୍କ ମଧ୍ୟରେ ଯୁକ୍ତିତର୍କ ଓ କଥା କଟାକଟି ହୋଇଥିଲା। ରାତି ପ୍ରାୟ ୯ଟା ବେଳକୁ ଛାତ୍ରଛାତ୍ରୀ ହଷ୍ଟେଲକୁ ଫେରି ଯାଇଥିଲେ। ତେବେ ହଠାତ୍‌ ଆଜି ସକାଳୁ ବିଶ୍ୱବିଦ୍ୟାଳୟକୁ ସାଇନ୍‌ ଡାଏ ଘୋଷଣା କରି ପୂର୍ବାହ୍ନ ୧୦ଟା ସୁଦ୍ଧା କ୍ୟାମ୍ପସ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ। ଏପଟେ ବିଶ୍ୱବିଦ୍ୟାଳୟରେ ସଶସ୍ତ୍ର ପୁଲିସ ମୁତୟନ କରାଗଲା। ଫଳରେ ସମସ୍ତ ଛାତ୍ରଛାତ୍ରୀ କ୍ୟାମ୍ପସ ଛାଡି ଚାଲି ଯାଇଛନ୍ତି। ହଷ୍ଟେଲରେ ରହୁଥିବା ୪ଶହରୁ ଅଧିକ ଛାତ୍ରଛାତ୍ରୀ ହଷ୍ଟେଲ ଖାଲି କରିଛନ୍ତି। ଆଖପାଖରେ ଘର ଥିବା ଛାତ୍ରଛାତ୍ରୀ ଘରକୁ ଫେରି ଯାଇଥିଲାବେଳେ ଦୂର ଦୂରାନ୍ତରୁ ଆସିଥିବା ଛାତ୍ରଛାତ୍ରୀ ହଇରାଣ ହୋଇଛନ୍ତି। ସୁନାବେଡା, ସେମିଳିଗୁଡା ଓ କୋରାପୁଟରୁ ବସ୍‌ କି ଟ୍ରେନ ଧରିବାକୁ ସେମାନେ ଦିନ ତମାମ ସେଠାରେ ଅପେକ୍ଷା କରି ରହିଛନ୍ତି।

ଏହାପରେ କୁଳପତି ପ୍ରଫେସର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଅପରାଧିକ ମାନସିକତା ଥିବା କିଛି ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟରେ ଅଯଥାରେ ଅଶାନ୍ତି ସୃଷ୍ଟି କରିବାକୁ ଚାହୁଁଥିଲେ। ବିଶ୍ୱବିଦ୍ୟାଳୟକୁ ସମ୍ପୂର୍ଣ୍ଣ ଦଖଲ କରିବାକୁ ସେମାନେ ଚେଷ୍ଟା କରୁଥିଲେ। ସେମାନଙ୍କ ଦାବି ପୂରଣ କରିବା ଅପେକ୍ଷା ବ୍ୟକ୍ତିଗତ ଏଜେଣ୍ଡାକୁ ଅଧିକ ଗୁରୁତ୍ୱ ଦେଉଥିଲେ। ତେଣୁ ସବୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟକୁ ସାଇନ ଡାଏ ଘୋଷଣା କରାଯାଇଛି। ଏହା ବ୍ୟତୀତ ଆଉ କିଛି ବିକଳ୍ପ ନ ଥିଲା ବୋଲି ସେ କହିଛନ୍ତି। ତେବେ ଛାତ୍ରଛାତ୍ରୀଙ୍କର ଯେମିତି କିଛି ଅସୁବିଧା ନ ହେବ ସେ ଦିଗରେ ଧ୍ୟାନ ଦିଆଯାଇଥିବା ସେ ସୂଚନା ଦେଇଛନ୍ତି।

ଏପଟେ ବିଶ୍ୱବିଦ୍ୟାଳୟର ଶତାଧିକ ଛାତ୍ର କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ଜିଲ୍ଲାପାଳ ନ ଥିବାରୁ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନଙ୍କୁ ସେମାନେ ଦୁଃଖ ଜଣାଇଥିଲେ। ଛାତ୍ରଛାତ୍ରୀ କିପରି ଅଯଥାରେ ହଇରାଣ ହେଉଛନ୍ତି ତାହା ବଖାଣିଥିଲେ। ପ୍ରଶାସନ ତୁରନ୍ତ ଏଥିରେ ହସ୍ତକ୍ଷେପ କରିବାକୁ ସେମାନେ ଅନୁରୋଧ କରିଥିଲେ। ପରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ଯେ, ଛାତ୍ରଛାତ୍ରୀ ସେମାନଙ୍କ ସମସ୍ୟା ନେଇ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଘଟଣାରେ ଜିଲ୍ଲା ପ୍ରଶାସନର କୌଣସି ଭୂମିକା ନ ଥିବାରୁ ଦାବିପତ୍ରକୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପଠାଇ ଦିଆଯିବ।

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଇତିହାସରେ ପ୍ରଥମ ଥର ପାଇଁ ସାଇନ ଡାଏ ହୋଇଛି। ହଠାତ ଏମିତି ସାଇନ ଡାଏକୁ ଛାତ୍ରଛାତ୍ରୀ ସହଜରେ ଗ୍ରହଣ କରି ପାରି ନାହାନ୍ତି। ସେମାନେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେଇଥିଲା ବେଳେ କେଉଁ ଆଧାରରେ ସାଇନ ଡାଏ କରାଗଲା ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଛାତ୍ରଛାତ୍ରୀ କହିଛନ୍ତି ଯେ, ବିଶ୍ୱବିଦ୍ୟାଳୟରେ ସ୍ଥାୟୀ ପ୍ରଫେସର ନିଯୁକ୍ତି, ୨୪ଘଣ୍ଟିଆ ଚିକିତ୍ସା ସେବା, ବସ୍‌ଗୁଡିକର ଉପଯୁକ୍ତ ରକ୍ଷଣାବେକ୍ଷଣ, ହାଲ ସହ ହୋଇଥିବା ଚୁକ୍ତି ବାତିଲ, ଗବେଷଣାରତ ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ସୁବିଧା, ଛାତ୍ରଛାତ୍ରୀଙ୍କ ଧମକଚମକ ନ ଦେବା, ଅଯଥା ଚାପ ସୃଷ୍ଟି ନ କରିବା, ହଷ୍ଟେଲରେ ଜେରକ୍ସ ମେସିନ ରଖିବା, ବଣଭୋଜି ବ୍ୟବସ୍ଥାକୁ ଅନୁମତି ଦେବା, ଜିମନାସିୟମ ପ୍ରତିଷ୍ଠା କରିବା, ପକ୍କା ବ୍ୟାଡମିଣ୍ଟନ କୋର୍ଟ, ହଷ୍ଟେଲ ପରିସରକୁ ଅଟୋ ରିକ୍ସା ଚଳାଚଳ ପାଇଁ ଅନୁମତି ଦେବା ପାଇଁ କିଛି ନ୍ୟାୟ ସଙ୍ଗତ ଦାବି ରଖିଥିଲେ। କିନ୍ତୁ କୁଳପତି ଏହାକୁ ଶୁଣିବା ପରିବର୍ତ୍ତେ ଛାତ୍ରଛାତ୍ରୀଙ୍କୁ ଖରାପ ବ୍ୟବହାର କରିଥିଲେ। ଏପରିକି ଗାଳି ଗୁଲଜ କରିଥିଲେ ବୋଲି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। କଲେଜରେ ଅଶାନ୍ତର ବାତାବରଣ ନ ଥିଲା କିମ୍ବା କୌଣସି ସଂପତ୍ତି ନଷ୍ଟ ହୋଇନାହିଁ। ତେବେ ସାଇନ ଡାଏ ଘୋଷଣା କରି ଛାତ୍ରଛାତ୍ରୀଙ୍କ ସ୍ୱରକୁ ଚାପି ଦେବା ପାଇଁ ଚେଷ୍ଟା କରାଯାଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ସାଇନ ଡାଏ ହଟିଲା ପରେ ପୁଣି ଥରେ ଛାତ୍ରଛାତ୍ରୀ ଏକାଠି ହୋଇ ଦାବି ପୂରଣ ଦିଗରେ ଲଢେଇ କରିବେ ବୋଲି ଚେତାବନୀ ଦେଇଛନ୍ତି। ସୁନାବେଡା ଥାନା ଅଧିକାରୀ ଯୋଗେଶ୍ୱରୀ ବେହେରା କହିଛନ୍ତି ଯେ, ପୁଲିସ ବିଶ୍ୱବିଦ୍ୟାଳୟ ଉପରେ କଡା ନଜର ରଖିଛି। ଏକ ସେକ୍ସନ ଫୋର୍ସ ମୁତୟନ କରାଯିବା ସହ ପାଟ୍ରୋଲିଂକୁ ବଢାଇ ଦିଆଯାଇଛି।

ବ୍ୟକ୍ତିଗତ ଲଢେଇ ପାଇଁ ଛାତ୍ରଙ୍କ ଭବିଷ୍ୟତକୁ ବାଜି

କୋରାପୁଟ : ବିବାଦ ବ୍ୟକ୍ତିଗତ। କିନ୍ତୁ ବଳି ପଡିଗଲେ ଛାତ୍ରଛାତ୍ରୀ। ସେମାନଙ୍କୁ ମୋହରା କରି ସେମାନଙ୍କ ଭବିଷ୍ୟତକୁ ନେଇ ଖେଳ ଖେଳିଲେ ସମସ୍ତେ। କେହି ବି ଭାବିଲେନି ଏମାନଙ୍କ କ୍ୟାରିୟର କଥା। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସାଇନ ଡାଏ ହେବା ପଛରେ ରହିଛି ଏମିତିି ସାଂଘାତିକ ସତ। ବ୍ୟକ୍ତିଗତ ବିବାଦର ଭୟଙ୍କର ପରିଣତିକୁ ସାମନା କରିଛନ୍ତି ଛାତ୍ରଛାତ୍ରୀ। ଖୋଦ୍‌ କୁଳପତି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏମିତି ବିସ୍ଫୋରକ ବୟାନ ଦେଇଛନ୍ତି।

ସୁନାବେଡାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ୧୪ଟି ବିଭାଗରେ ପାଖାପାଖି ୭ଶହ ଛାତ୍ରଛାତ୍ରୀ ପଢୁଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୪ଶହ ଛାତ୍ରଛାତ୍ରୀ ହଷ୍ଟେଲରେ ରହନ୍ତି। ଗତକାଲି ସନ୍ଧ୍ୟାରେ କିଛି ଛାତ୍ରଛାତ୍ରୀ ସେମାନଙ୍କ ଦାବି ପୂରଣ ପାଇଁ ଧାରଣା ଦେବା ପରେ ଆଜି ସକାଳୁ ହଠାତ ବିଶ୍ୱବିଦ୍ୟାଳୟକୁ ସାଇନ ଏ ଡାଏ କରି ଦିଆଗଲା। ଏହା ସବୁ ଛାତ୍ରଛାତ୍ରୀଙ୍କୁ ତାଜୁବ କରି ଦେଇଥିଲାବେଳେ ଏହା ପଛରେ ସାଂଘାତିକ ଷଢଯନ୍ତ୍ର ଥିବା ଖୋଦ୍‌ କୁଳପତି ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି ଅଭିଯୋଗ କରିଛନ୍ତି।

ଆଜି ବିଶ୍ୱବିଦ୍ୟାଳୟର ପ୍ରଶାସନିକ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରି ସେ କହିଛନ୍ତି ଯେ, ବିଶ୍ୱବିଦ୍ୟାଳୟର ମାତ୍ର କିଛି ଛାତ୍ରଛାତ୍ରୀ ଧାରଣା ଦେଇଥିଲେ। ଜଣେ ପୂର୍ବତନ କୁଳସଚିବ ଓ ଅନ୍ୟ ଜଣେ ଅଧିକାରୀଙ୍କ ପ୍ରରୋଚନାରେ ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟରେ ଅଶାନ୍ତି ସୃଷ୍ଟି କରିବାକୁ ଚାହିଁଥିଲେ। ଏହି ଦୁଇ କର୍ମଚାରୀ ଅନୈତିକ ଭାବେ ବିଶ୍ୱବିଦ୍ୟାଳୟରେ ରହିଥିଲେ। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରେ ଅପରାଧିକ ମାନସିକତା ଥିବା କିଛି ଛାତ୍ରଛାତ୍ରୀଙ୍କୁ ନେଇ ବିଶ୍ୱବିଦ୍ୟାଳୟରେ ଗଣ୍ଡଗୋଳ କରିବାକୁ ଚାହିଁଥିଲେ। କୁଳପତିଙ୍କୁ ବିଶ୍ୱବିଦ୍ୟାଳୟରୁ ହଟାଇବା ସେମାନଙ୍କ ମୁଖ୍ୟ ଏଜେଣ୍ଡା ଥିଲା। ଏପରିକି ଗତକାଲି ଧାରଣା ସ୍ଥଳରେ ସେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେହି ପୂର୍ବତନ ଅଧିକାରୀଙ୍କ ଦ୍ୱାରା ପରିଚାଳିତ ଛାତ୍ରଛାତ୍ରୀମାନେ ଏହା କରାଇ ଦେଇ ନ ଥିଲେ। ବରଂ କୁଳପତିଙ୍କୁ ଦୁର୍ବ୍ୟବହାର କରିବା ସହ ବ୍ଲାକମେଲ କରିବାକୁ ଚେଷ୍ଟା କରିଥିଲେ। ବ୍ୟକ୍ତିଗତ ଭାବେ ତାଙ୍କୁ ଆକ୍ଷେପ କରିଥିଲେ ବୋଲି କୁଳପତି ସାମ୍ବାଦିକମାନଙ୍କୁ କହିଛନ୍ତି। ଏପରିକି କୁଳପତିଙ୍କୁ ବିଶ୍ୱବିଦ୍ୟାଳୟରୁ ହଟାଇବା ପାଇଁ ସେହି ଗୋଷ୍ଠୀ ଚକ୍ରାନ୍ତ କରୁଥିବା ସେ ସୂଚନା ଦେଇଛନ୍ତି।

କୁଳପତିଙ୍କ ଏହି ବୟାନ ଏବେ ଏକ ଭିନ୍ନ ବିବାଦ ପାଇଁ ବାଟ କଢାଇଛି। ତାଙ୍କ ବକ୍ତବ୍ୟରୁ ସ୍ପଷ୍ଟ ହୋଇ ଯାଇଛି ଯେ, ଦୁଇ ଜଣ ପୂର୍ବତନ ଅଧିକାରୀ କୁଳପତିଙ୍କୁ ହଟାଇବାକୁ ଚେଷ୍ଟା କରୁଛନ୍ତି। ଆଉ ଏଥିରେ ମୋହରା ସାଜିଛନ୍ତି ଛାତ୍ରଛାତ୍ରୀ। ସେମାନଙ୍କୁ ବ୍ୟବହାର କରି ଖେଳାଯାଉଛି ଭୟଙ୍କର ଖେଳ। ପୁଣି ସେମାନଙ୍କ କ୍ୟାରିୟର ଆଉ ଭବିଷ୍ୟତକୁ ବାଜି ରଖି। ଅପରପକ୍ଷରେ ଏକ ଛୋଟିଆ ଘଟଣାକୁ କେନ୍ଦ୍ର କରି ସାଇନ ଡାଏ ଘୋଷଣା କରିବାକୁ ନେଇ ଉଠିଛି ପ୍ରଶ୍ନ। କୁଳପତିଙ୍କ କହିବା ଅନୁସାରେ ମାତ୍ର ୬୦ଜଣ ଛାତ୍ରଛାତ୍ରୀ ଧାରଣା ଦେଇଥିଲେ। ସେମାନେ ବିଶ୍ୱବିଦ୍ୟାଳୟରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ଏହି ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ପାଇଁ ୭ଶହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପ୍ରତି ଆଖି ବୁଜି ଦିଆଗଲା। ଆଗକୁ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଥିଲାବେଳେ ଏ ପର୍ଯ୍ୟନ୍ତ ପାଠ୍ୟକ୍ରମ ଶେଷ ହୋଇ ନାହିଁ। ତେଣୁ ଏବେ ଜୋରସାର୍‌ରେ ପଢାପଢି ଚାଲିଥିଲା। ଏଭଳି ସ୍ଥିତିରେ ସାଇନ ଡାଏ ଘୋଷଣା କରି ଦିଆଯିବାରୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଆଶଙ୍କା ଘେରକୁ ଚାଲି ଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। କିନ୍ତୁ କୁଳପତି କହିଛନ୍ତି ଏହା ବ୍ୟତୀତ ଆଉ କିଛି ଚାରା ନ ଥିଲା।

କୁଳପତି ବ୍ୟକ୍ତିଗତ ବିବାଦ କଥା କହୁଥିଲାବେଳେ ଛାତ୍ରଛାତ୍ରୀ କିନ୍ତୁ ପାଲଟା କୁଳପତିଙ୍କ ଉପରେ ଦୋଷ ଲଦିଛନ୍ତି। ଜିଲ୍ଲା ପ୍ରଶାସନକୁ ଲିଖିତ ଭାବେ ସେମାନେ ଜଣାଇଛନ୍ତି ଯେ, ଛାତ୍ରଛାତ୍ରୀ କୌଣସି ଗଣ୍ଡଗୋଳ କରିବା ମାନସିକତାରେ ନ ଥିଲେ। ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେଇ ସେମାନଙ୍କ ଦାବି ପୂରଣ ପାଇଁ କର୍ତ୍ତୃପକ୍ଷଙ୍କ ଉପରେ ଚାପ ପକାଉଥିଲେ। କିନ୍ତୁ କୁଳପତି ସେମାନଙ୍କୁ ବୁଝାସୁଝା କରିବା ପରିବର୍ତ୍ତେ ଅଯଥାରେ ଗାଳିଗୁଲଜ କରି ଧମକ ଚମକ ଦେଉଛନ୍ତି। ଏପଟେ କୁଳପତି ଯେଉଁ ଅଭିଯୋଗ ଆଣିଛନ୍ତି ତାହାକୁ ଛାତ୍ରଛାତ୍ରୀ ଖଣ୍ଡନ କରିଛନ୍ତି। ସେମାନେ କହିଛନ୍ତି ଯେ, କୌଣସି ବାହ୍ୟଶକ୍ତି ଦ୍ୱାରା ଛାତ୍ରଛାତ୍ରୀ ପ୍ରଭାବିତ ହୋଇଛନ୍ତି ବୋଲି ଯାହା କୁହାଯାଉଛି ତାହା ଠିକ ନୁହେଁ। କୁଳପତି କରିଥିବା ଦୁର୍ନୀତି ସଂପର୍କରେ ପୂର୍ବତନ କୁଳସଚିବ ଲେଖିଥିବା ଲମ୍ବା ଚିଠିକୁ ସେମାନେ ଦେଖାଇବାରୁ ସେ ଏମିତି ଭାବୁଛନ୍ତି। ହେଲେ ଛାତ୍ରଛାତ୍ରୀ କେବଳ ସେମାନଙ୍କ ହକ୍‌ ପାଇଁ ଧାରଣା ଦେଇଥିବା ସେମାନେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର