ଭୁବନେଶ୍ୱର: ଶିବରାତ୍ରିରେ ଶ୍ରଦ୍ଧାଳୁଙ୍କ ପାଇଁ ପାଗ ଅନୁକୂଳ ହୋଇ ନ ପାରେ। ବିଶେଷ କରି ଉପକୂଳ ଓଡ଼ିଶାରେ ବୁଧବାର ଅପରାହ୍ନରୁ ପାଗ ବଦଳି ଯାଇପାରେ। କୋହଲ ପାଗ ସାଙ୍ଗକୁ କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ। ଏପରିକି ଘଣ୍ଟା ପ୍ରତି ୬୦ କି.ମି. ବେଗରେ ପବନ ବହିବାର ସମ୍ଭାବନା ବି ରହିଛି। ସେହିପରି ୧୫ ତାରିଖରେ ମଧ୍ୟ ଉପକୂଳ ଓ ଉତ୍ତର ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ପୁରୀ, ଭଦ୍ରକ, ବାଲେଶ୍ୱର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ମୟୂରଭଞ୍ଜ ଓ ଖୋର୍ଧା ଜିଲ୍ଲାରେ ଏଭଳି ଅଦିନିଆ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସତର୍କ କରି ଦେଇଛି। ଦୁଇ ଦିନ ହେଲା ରାଜ୍ୟର କେତେକ ଅଞ୍ଚଳରେ ଲାଗି ରହିଛି ଖରା ବର୍ଷାର ଲୁଚକାଳି ଖେଳ। ଗୋଟିଏ ପାର୍ଶ୍ୱରେ ଖରା ହେଉଥିବା ବେଳେ ଅନ୍ୟ ପାର୍ଶ୍ୱରେ କୋହଲା ପାଗ। ଝାରସୁଗୁଡ଼ାର କେତେକ ସ୍ଥାନରେ ବର୍ଷା ବି ହୋଇଛି। ଏଭଳି ସ୍ଥିତି ଆଉ ଦୁଇ ଦିନ ଧରି ଜାରି ରହିବ। ୧୪ ତାରିଖ ସକାଳେ ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ଥିବାବେଳେ ଅପରାହ୍ଣରୁ ଉପକୂଳ ଓଡ଼ିଶାରେ ପବନ ବୋହିବା ସହ ବର୍ଷା ହେବ ବୋଲି କୁହାଯାଉଛି। କିନ୍ତୁ ଏହି ସମୟରେ ଦକ୍ଷିଣ ଓଡ଼ିଶାରେ ପାଗ ଶୁଖିଲା ରହିବ। ରାଜ୍ୟର ଅନ୍ୟ ଅଞ୍ଚଳ ତୁଳନାରେ ତାପମାତ୍ରା ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପାଣିପାଗ କେନ୍ଦ୍ରର ନିର୍ଦେଶକ ଶରତ ସାହୁଙ୍କ କହିବାନୁଯାୟୀ ୧୫ ତାରିଖ ପର୍ଯ୍ୟନ୍ତ ବର୍ଷାର ଅନୁମାନ କରାଯାଉଛି। ୧୬ ତାରିଖରୁ କିନ୍ତୁ ପାଗରେ ପରିବର୍ତନ ଆସିବ। ପୁଣିଥରେ ଦିନର ତାପମାତ୍ରା ବଢ଼ିବ। ପାଗ ଶୁଖିଲା ରହିବା ସହ ତାତି ବଢ଼ିବ। ୧୮ ତାରିଖ ପର୍ଯ୍ୟନ୍ତ ଦୁଇରୁ ତିନି ଡିଗ୍ରି ପର୍ଯ୍ୟନ୍ତ ଏପାଖ ସେପାଖ ହୋଇପାରେ। ୧୭ ତାରିଖ ବେଳକୁ ଉପକୂଳ ଓଡ଼ିଶାରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଥିବା ସେ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଅନ୍ୟପକ୍ଷରେ ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ତାତି ବଢ଼ିଛି। ମାଲକାନଗିରିର ତାପମାତ୍ରା ୩୫ ଡିଗ୍ରି ଡେଇଁ ୩୫.୪ ଡିଗ୍ରିରେ ପହଞ୍ଚିଛି। ଏଠାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ତାଳଚେର ଓ ଅନୁଗୁଳରେ ୩୩.୧, ଟିଟିଲାଗଡ଼ରେ ୩୨.୫, ସମ୍ବଲପୁରରେ ୩୨.୧, ଭବାନୀପାଟଣାରେ ୩୨ ଡିଗ୍ରି ରହିଥିଲା। ରାତି ସମୟରେ କେତେକ ସ୍ଥାନରେ ଥଣ୍ଡା ଅନୁଭୂତ ହେଉଥିବାରୁ ସର୍ବନିମ୍ନ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ଗତ ୨୪ ଘଣ୍ଟାରେ ସବୁ ସହରର ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରି ତଳକୁ ଖସି ଆସିଛି।