କଟକ: ହନୁମାନ୍ ଚାଳିଶାରେ ଗୋସ୍ୱାମୀ ସନ୍ଥ ତୁଳସୀ ଦାସ ହନୁମାନଙ୍କୁ ଜ୍ଞାନୀ, ଗୁଣୀ, ଚତୁର ବୋଲି ବର୍ଣ୍ଣନା କରିଛନ୍ତି। ହନୁମାନ ଉଭୟ ଅପରାବିଦ୍ୟା(ଆଧ୍ୟାତ୍ମିକ ବିଦ୍ୟା) ଓ ପରାବିଦ୍ୟାରେ ପାରଙ୍ଗମ ଥିବାରୁ ସେ ଜ୍ଞାନୀ। ହନୁମାନ ନିଜ ଗୁଣକୁ ଚିହ୍ନିବା ସହିତ ଅନ୍ୟ ଗୁଣକୁ ମଧ୍ୟ ସମ୍ମାନ ଦେଇଥିବାରୁ ଗୁଣୀ। ରାମସେବା ସଂପାଦନ ବେଳେ ନିଜ ଜ୍ଞାନର ସଠିକ୍ ଉପଯୋଗ କରିଥିବାରୁ ସେ ଅତି ଚତୁର ବୋଲି କହିଛନ୍ତି ଅନ୍ତରାଷ୍ଟ୍ରୀୟ ଚିନ୍ମୟ ମିଶନ ମୁଖ୍ୟ ସ୍ୱାମୀ ତେଜୋମୟାନନ୍ଦ ସରସ୍ୱତୀ। ବାଲିଯାତ୍ରା ପଡ଼ିଆରେ ଚାଲିଥିବା ଚିନ୍ମୟ ହନୁମତ ମହୋତ୍ସବର ତୃତୀୟ ସଂଧ୍ୟାରେ ସନ୍ଥ ତୁଳସୀ ଦାସଙ୍କ ରଚିତ ‘ହନୁମାନ ଚାଳିଶା’ ଉପରେ ଆଲୋଚନା କରି ସ୍ୱାମୀଜୀ କହିଲେ, ରାମକଥା ଯେଉଁଠି ଆଲୋଚନା ହୁଏ, ସେଠାରେ ହନୁମାନ ସ୍ୱତଃ ବିଦ୍ୟମାନ ହୁଅନ୍ତି। ହନୁମାନଙ୍କ ସମୁଦ୍ର ସଦୃଶ କାନରେ ରାମକଥା ଯେତେ ପ୍ରବେଶ କଲେ ମଧ୍ୟ ତାହା କମ୍ ହୁଏ। ଏଥି ପାଇଁ ହନୁମାନ ଭକ୍ତରାଜ ବୋଲି ସ୍ୱାମୀଜୀ ଅବତାରଣା କରି କହିଲେ, ‘‘ଶ୍ରୀରାମ ଜ୍ଞାନ ଓ ଆନନ୍ଦ, ମା’ ସୀତା ଶାନ୍ତି ଓ ପ୍ରସନ୍ନତା, ଲକ୍ଷ୍ମଣ ବୈରାଗ୍ୟ, ହନୁମାନ ସେବା ଓ ଭକ୍ତିର ସଂକେତ।’’ ହନୁମାନଙ୍କ ସେବା ଓ ସମର୍ପଣ ପାଇଁ ରାମଚନ୍ଦ୍ର ତାଙ୍କୁ ଭରତସମ ଭାଇ ବୋଲି ସମ୍ବୋଧନ କରିଛନ୍ତି। ହନୁମାନଙ୍କ ଗୁଣକୁ ଯେତେ ବନ୍ଦନା କଲେ ତାହା କମ୍ ହେବ ବୋଲି ସ୍ୱାମୀଜୀ ପ୍ରକାଶ କରିଥିଲେ। ରାମକଥା ଅଧିକରୁ ଅଧିକ ଆଲୋଚନା କରିବାକୁ ସ୍ୱାମୀଜୀ ପରାମର୍ଶ ଦେଇଥିଲେ। ସମାରୋହରେ ସ୍ୱାମୀଜୀ ‘ଶ୍ରୀ ହନୁମାନ: ଦି ସିମ୍ବଲ ଅଫ୍ ସର୍ଭିସ୍’ ସ୍ମରଣିକାକୁ ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମରେ ମହୋତ୍ସବ କମିଟି ଅଧ୍ୟକ୍ଷ ପୁରୀ ଗଜପତି ଦିବ୍ୟସିଂହ ଦେବ ମହାରାଜ, ଉପାଧ୍ୟକ୍ଷ କିଶନଲାଲ୍ ଭରିତିଆ ପ୍ରମୁଖ ଉପସ୍ଥିତ ଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ସକାଳେ ୧୦୮ହନୁମାନ ଚାଳିଶ ପଠନ ହୋଇଥିଲା। ପରେ ଚିନ୍ମୟ ମିଶନ ଓଡ଼ିଶା ମୁଖ୍ୟ ସ୍ୱାମୀ ସଦାନନ୍ଦ ସରସ୍ୱତୀ ଭାଗବତ ଗୀତାର ଭକ୍ତିଯୋଗ ଉପରେ ପ୍ରବଚନ ଦେଇ ସକଳବସ୍ତୁରେ ଭଗବତ ସତ୍ତା ଅନୁଭବ କରିବା ହିଁ ଭକ୍ତିଯୋଗ ବୋଲି ଉଦ୍ବୋଧନ ଦେଇଥିଲେ। ଅପରାହ୍ଣ ୨ଟାରୁ ସାଢ଼େ ୩ଟା ପର୍ଯର୍୍ୟନ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ‘ଲକ୍ଷ୍ୟ ପ୍ରାପ୍ତିର ଉପାୟ’ ଶୀର୍ଷକ ଆଲୋଚନାଚକ୍ର ଆୟୋଜନ କରାଯାଇଥିଲା। ଅତିଥି ଭାବେ ପାରଳାଖେମୁଣ୍ଡି ଚିନ୍ମୟ ମିଶନ ଆଚାର୍ଯ୍ୟ ସ୍ୱାମୀ ନିଗମାନନ୍ଦ ସରସ୍ୱତୀ, କିସ୍ ବିଶ୍ୱବିଦ୍ୟାଳୟ କୁଳପତି ଡକ୍ଟର ହରେକୃଷ୍ଣ ଶତପଥୀ, ‘ପ୍ରମେୟ’ ସଂପାଦକ ଗୋପାଳକୃଷ୍ଣ ମହାପାତ୍ର ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇଥିଲେ। କଟକର ବିଭିନ୍ନ ସ୍କୁଲର ୩ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ। ସ୍ୱାମୀ କେବଳାନନ୍ଦ ସରସ୍ୱତୀ, ସ୍ୱାମୀ କୃଷ୍ଣପ୍ରେମାନନ୍ଦ, ସ୍ୱାମୀ ସର୍ବପ୍ରିୟାନନ୍ଦ, ସ୍ୱାମୀ ଅମୀୟନନ୍ଦ, ସ୍ୱାମୀ ଜଗଦୀଶାନନ୍ଦ, ବ୍ରହ୍ମାଚାରୀ ଗର୍ଗ ଚୈତନ୍ୟ, ବ୍ରହ୍ମଚାରୀ ଜନାର୍ଦ୍ଦନା, ବ୍ରହ୍ମଚାରୀ ଅନୁରାଗ, ସୁନିଲ ମିତ୍ର, ଲକ୍ଷ୍ମୀନାରାୟଣ ପଣ୍ଡା, ସୁଧାଂଶୁ ଶେଖର ସାମଲ, ରମେଶ ସାହୁ, ସନ୍ତୋଷ ବାରିକ, ଅମରେନ୍ଦ୍ର ଦାସ, ସଂଗ୍ରାମ କେଶରୀ କରଣ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆସନ୍ତା ୯ତାରିଖ ପର୍ଯ୍ୟନ୍ତ ପ୍ରବଚନ ଓ ୧୦ତାରିଖରେ ହନୁମତ୍ ମହାଯଜ୍ଞ ଅନୁଷ୍ଠିତ ହେବ।