ସିଟି ହସ୍‌ପିଟାଲ୍‌ରେ ମିଳିବ କେମୋ ଥେରାପି

କଟକ : ଏଣିକି ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରରେ କର୍ଟକ ରୋଗୀଙ୍କୁ କେମୋ ଥେରାପି ନେବାକୁ ଧାଡ଼ି ବାନ୍ଧିବାକୁ ପଡ଼ିବ ନାହିଁ । ସେମାନେ କଟକ ସିଟି ହସ୍‌ପିଟାଲ୍‌ରେ ମାଗଣାରେ କେମୋ ନେଇପାରିବେ । ହସ୍‌ପିଟାଲ୍‌ କର୍ତ୍ତୃପକ୍ଷ ଏ ନେଇ ସମସ୍ତ ପ୍ରସ୍ତୁତି ପର୍ବ ଶେଷ କରିଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ରାଜ୍ୟରେ କର୍କଟ ରୋଗୀଙ୍କ ସ୍ଥିତି ସଂକଟଜନକ ସ୍ଥିତିରେ ପହଞ୍ଚିଛି । ତମାଖୁ ସେବନ ଦ୍ୱାରା ସାଧାରଣତଃ କର୍କଟ ରୋଗ ରୋଗରେ ବିଭିନ୍ନ ବର୍ଗର ଲୋକେ ଆକ୍ରାନ୍ତ ହେଉଥିବା କୁହାଯାଉଛି। ଏଭଳି ସ୍ଥିତିରେ କର୍କଟ ରୋଗୀଙ୍କ ଚିକିତ୍ସା ପାଇଁ ପ୍ରଦାନ କରାଯାଉଥିବା କେମୋ ଥେରାପି ବିଭିନ୍ନ ଘରୋଇ ହସ୍‌ପିଟାଲ୍‌ରେ ପ୍ରାୟ ୧୦ ଲକ୍ଷ ଟଙ୍କା ଥିବା ବେଳେ କଟକସ୍ଥତି ଆଚାର୍ଯ୍ୟ ହରିହରି ଆଞ୍ଚଳିକ କର୍କଟ କେନ୍ଦ୍ରରୁ କେମୋ ମାଗଣାରେ ପ୍ରଦାନ କରାଯାଉଛି । ରୋଗୀଙ୍କ ସଂଖ୍ୟା ଅନୁଯାୟୀ, କର୍କଟ କେନ୍ଦ୍ରରେ ଆବଶ୍ୟକୀୟ ବେଡ୍‌ ନଥିବାରୁ ରାଜ୍ୟର ଶହଶହ ରୋଗୀ କେମୋ ଥେରାପି ପାଇଁ ସମସ୍ୟାରେ ପଡ଼ୁଛନ୍ତି। ଏସବୁ ସମସ୍ୟାକୁ ଏଡ଼ାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ବର୍ଷ ମେ ୩୧ ତାରିଖରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କେମୋ ମାଗଣାରେ ପ୍ରଦାନ କରାଯିବା ସମ୍ପର୍କରେ ଘୋଷଣା କରାଯାଇଥିଲା ।

ନିଷ୍ପତ୍ତି ଆଧାରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରେଡ଼ିଓ ଥେରାପିଷ୍ଟ ଅନୁପସ୍ଥିତ ଥିବାରୁ ଆଠଗଡ଼ ଉପଖଣ୍ଡ ହସ୍‌ପିଟାଲ୍‌ର ଜଣେ ଥେରାପିଷ୍ଟ ଦିଲ୍ଲୀରେ ଗଲା ମାସରେ ପ୍ରଶିକ୍ଷଣ ନେବାକୁ ଯାଇଥିଲେ । ଏବେ ସେ ଫେରିବା ପରେ ସ୍ୱାସ୍ଥ୍ୟ ବିଭାଗର ଚିଠି ମିଳିଲେ କଟକ ସିିଟି ହସ୍‌ପିଟାଲ୍‌ରେ ଯୋଗ ଦେଇ କେମୋ ଥେରାପି ପ୍ରଦାନ କରିବେ । ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରରେ ରୋଗୀଙ୍କ ନାମରେ କେମୋ ଇସ୍ୟୁ କରାଯିବା ପରେ ତାକୁ ନେଇ ସିଟି ହସ୍‌ପିଟାଲ୍‌ ଆସିବେ। ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯିବା ପରେ ସେମାନଙ୍କୁ କେମୋ ଥେରାପି ପ୍ରଦାନ କରାଯିବ। ସିଟି ହସ୍‌ପିଟାଲ୍‌ର ସର୍ଜରୀ ଓ୍ଵାର୍ଡରେ କେମୋ ଦିଆଯିବାକୁ ନିଷ୍ପତ୍ତି ହୋଇଛି । ରୋଗୀଙ୍କ ସଂଖ୍ୟା ଅନୁଯାୟୀ ଆବଶ୍ୟକ ପଡ଼ିଲେ କେମୋ ପ୍ରତ୍ୟେକ ଦିନ ହସ୍‌ପିଟାଲ୍‌ରେ ପ୍ରଦାନ କରାଯିବାକୁ କର୍ତ୍ତୃପକ୍ଷ ଯୋଜନା କରୁଛନ୍ତି ।

ଅନ୍ୟପଟେ ଓଡ଼ିଶାର ଏକ ସର୍ଭେ ରିପୋର୍ଟ ଅନୁଯାୟୀ ୨୦୦୧ରୁ ୨୦୧୧ ମଧ୍ୟରେ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରରେ ପ୍ରାୟ ୭୪ ହଜାର ୮୬୧ ଜଣ କର୍କଟ ରୋଗୀ ଭର୍ତ୍ତି ହୋଇଛନ୍ତି । ସେମାନଙ୍କୁ କେନ୍ଦ୍ରରେ ଭର୍ତ୍ତି କରାଯାଇ କେମୋ ଥେରାପି ମାଧ୍ୟମରେ ଚିକିତ୍ସା କରାଯାଇଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର