ପୁରୀରେ କଂଗ୍ରେସ ବୈଠକ : ବାହାର ନେତାଙ୍କୁ ନା, ଦଳ ଲଦିଲେ ସମୂହ ଇସ୍ତଫା

ପୁରୀ : ବାହାରୁ ପ୍ରାର୍ଥୀ ଆଣି ପୁରୀ ଉପରେ ଲଦିଲେ ବରଦାସ୍ତ କରାଯିବନି। ସମସ୍ତେ ଏକଜୁଟ୍‌ ହୋଇ ଇସ୍ତଫା ଦେବୁ। ଆଜି ଏମିତି ନିଷ୍ପତ୍ତି ନେଇଛନ୍ତି ପୁରୀ କଂଗ୍ରେସର ଶତାଧିକ ପୁରୁଖା କର୍ମୀ ଓ‌ ନେତା। ପ୍ରାର୍ଥୀ କରାଯିବାର ଅଛି ତ ପୁରୀରୁ କରାଯାଉ ବୋଲି ସେମାନେ ରୋକଠୋକ୍‌ ଶୁଣାଇଛନ୍ତି।

ନିର୍ବାଚନ ମୁଣ୍ଡ ଉପରେ। ପ୍ରାର୍ଥୀ ପାଇଁ ଦଳ ଭିତରେ ଟଣାଓଟରା ଚାଲିଥିବା ବେଳେ କର୍ମୀ ଓ ନେତାଙ୍କ ଏହି ନିଷ୍ପତ୍ତି ଦଳୀୟ କର୍ତ୍ତୃପକ୍ଷଙ୍କ ପାଇଁ ମୁଣ୍ଡବିନ୍ଧା ସୃଷ୍ଟି କରିଛି।

ପୀତବାସ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆଜି ଖଣ୍ଡିଆବନ୍ଧ ନାରାୟଣୀ ମଣ୍ଡପଠାରେ ଏକାଠି ହୋଇଥିଲେ ଶତାଧିକ କର୍ମୀ। ଆଗାମୀ ନିର୍ବାଚନ ପାଇଁ ଦଳର ପ୍ରସ୍ତୁତି ନେଇ ହୋଇଥିଲା ଆଲୋଚନା। ପଞ୍ଚାୟତ ନିର୍ବାଚନରେ ବିଜେପି ମୁହାଁ ହୋଇଥିବା କର୍ମୀଙ୍କୁ ଫେରାଇ ଆଣିବା ପାଇଁ ନିଷ୍ପତ୍ତି ହୋଇଥିଲା। ସେଥି ପାଇଁ ପୂର୍ବତନ ସରପଞ୍ଚ ରାଜକିଶୋର ସ୍ବାଇଁ, ଲକ୍ଷ୍ମଣ ପ୍ରଧାନ ପ୍ରମୁଖଙ୍କ ନେତୃତ୍ବରେ ଏକ ଟିମ୍‌ ଗଠନ ହୋଇଥିଲା। ପୁରୀରେ ନିର୍ବାଚନ ଲଢ଼ିବା ପାଇଁ ବାହାରୁ ପ୍ରାର୍ଥୀ ଆଣି ଲଦି ଦେବାକୁ ନାପସନ୍ଦ କରାଯାଇଥିଲା। ଏଠାରେ ସଂଗଠନ ସହ ବର୍ଷ ବର୍ଷ ଧରି ଯୋଡ଼ି ହୋଇଥିବା ନେତାଙ୍କୁ ସୁଯୋଗ ଦିଆଯାଉନଥିବାରୁ ଦଳର ସ୍ଥିତି ଦିନକୁ ଦିନ ବିଗୁଡ଼ୁଥିବା ନେତାମାନେ କହିଥିଲେ। ବୈଠକରେ ଦଳର ସ୍ଥିତି ନେଇ ବି ତର୍ଜମା କରାଯାଇଥିଲା। ଏବେ ପୁରୀରେ ୨ ଲକ୍ଷ ୩୯ ହଜାର ୪୩୧ ଭୋଟର ରହିଛନ୍ତି। ସମସ୍ତେ ଦଳୀୟ କର୍ମୀ ନୁହନ୍ତି। ଏଥର ସାଧାରଣ ଲୋକଙ୍କୁ ଦଳ ଆଡ଼କୁ ଆକୃଷ୍ଟ କରିବା ପାଇଁ ଏଜେଣ୍ଡା ପ୍ରସ୍ତୁତ କରାଯାଇଥିଲା। କଂଗ୍ରେସ ସପକ୍ଷରେ ଅନୂନ୍ୟ ୪୨ ହଜାର ଭୋଟ୍‌ ରହିଛି। ଏହାବ୍ୟତୀତ ମହେଶ୍ବର ମହାନ୍ତିଙ୍କ ବିରୋଧରେ ଥିବା ଜନ ଆକ୍ରୋଶକୁ ପ୍ରଚାର କରିପାରିଲେ ସେଥିରୁ ଭଲ ଭୋଟ୍‌ ହାତେଇ ନିଆଯାଇପାରିବ। ସେହି ଭୋଟ୍‌ ମିଳିଲେ ଦଳ ପୁରୀରେ ଜିତିବା କିଛି ବଡ଼ କଥା ହେବନାହିଁ ବୋଲି ନେତାମାନେ କହିଥିଲେ। ଏହି ବୈଠକରେ କଂଗ୍ରେସର ବରିଷ୍ଠ ନେତା ବିନାୟକ ଦାସ ମହାପାତ୍ର, ସୁଜିତ ମହାପାତ୍ର, ବିଷ୍ଣୁ ମିଶ୍ରଙ୍କ ସମେତ ବହୁ ପୁରୁଖା ନେତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର