କଟକ : ଗଙ୍ଗା-ଯମୁନାଙ୍କ ପୂର୍ଣ୍ଣାଂଗ ଏମ୍ଆର୍ଆଇ ରିପୋର୍ଟ ଆଜି ଶିଶୁଭବନ ଡାକ୍ତରୀ ଟିମ୍ର ହସ୍ତଗତ ହୋଇଛି । ରିପୋର୍ଟକୁ ନେଇ ଆଜି ଦୁଇ ଘଣ୍ଟା କାଳ ବିଚାରବିମର୍ଷ କରାଯାଇଥିଲା । ଏମ୍ଆର୍ଆଇର ଫିଲ୍ମ ଡାକ୍ତରୀ ଟିମ୍ ଦେଖିଥିଲେ। କିନ୍ତୁ ଆଜି ରିପୋର୍ଟ ଆଧାରରେ ଟିମ୍ ନିସ୍କର୍ଷରେ ପହଞ୍ଚି ପାରିନାହିଁ । ଆସନ୍ତାକାଲି ପୁନର୍ବାର ଏକ ସ୍ୱତନ୍ତ୍ର ବୈଠକରେ ଏ ସମ୍ପର୍କରେ ଟିମ୍ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ସେହି ରିପୋର୍ଟ ଆଧାରରେ ଅପରେସନ୍ ପାଇଁ ଭବିଷ୍ୟତ କାର୍ଯ୍ୟପନ୍ଥା ଡାକ୍ତରୀ ଟିମ୍ ସ୍ଥିର କରିବା ନେଇ ଯୋଜନା କରୁଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ ଯେ ବଡ଼ ମେଡିକାଲ୍ରେ ୭ ତାରିଖରେ ଗଙ୍ଗା-ଯମୁନାଙ୍କର ଏମ୍ଆର୍ଆଇ ସ୍କାନ୍ କରାଯାଇଥିଲା । ଶୁକ୍ରବାର ଦିନ ପ୍ରାଥମିକ ରିପୋର୍ଟ ଆସିଥିବା ବେଳେ ଆଜି ପୂର୍ଣ୍ଣାଙ୍ଗ ରିପୋର୍ଟ ଆସିଛି । ଏହି ରିପୋର୍ଟରୁ ହୃତ୍ପିଣ୍ଡରେ ହୋଇଥିବା ତ୍ରୁଟି ସମ୍ପର୍କରେ ତଥ୍ୟ ସାମ୍ନାକୁ ଆସିପାରିବ । ଅନ୍ୟପଟେ ଆଜି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ବେଳେ ଡବା କ୍ଷୀର ପରିମାଣକୁ ବୃଦ୍ଧି କରାଯାଇଛି । ଡାକ୍ତରୀ ଟିମ୍ ସେମାନଙ୍କ ପାକସ୍ଥଳୀରେ ହଜମ ପ୍ରକ୍ରିୟା ଉପରେ ନଜର ରଖିଛନ୍ତି । ଶିଶୁଭବନ ଅଧୀକ୍ଷକ ଡାକ୍ତର ସରୋଜ ଶତପଥୀ କହିଛନ୍ତି ଯେ ଏମ୍ଆର୍ଆଇ ରିପୋର୍ଟ ଆଜି ଆସିଛି। ଆଜି ଏ ସଂକ୍ରାନ୍ତରେ ବଡ଼ ମେଡିକାଲ୍ରେ ଡାକ୍ତର ଟିମ୍ ସହିତ ଆଲୋଚନା କରାଯାଇଛି । ଆଜି ବୈଠକ ଅଧାରୁ ଶେଷ ହୋଇଥିବା ବେଳେ ଆସନ୍ତାକାଲି ରିପୋର୍ଟ ସମ୍ପର୍କରେ ଅଧିକ ଆଲୋଚନା ପରେ ହୃତପିଣ୍ଡର ତ୍ରୁଟି ସାମ୍ନାକୁ ଆସିବ ବୋଲି ଡାକ୍ତର ଶତପଥୀ କହିଛନ୍ତି ।