ବୋର୍ଡରେ ପ୍ରିୟାପ୍ରୀତିରେ ଠିକା ନିଯୁକ୍ତି: ମାସକୁ ବ୍ୟୟ ଦେଢଲକ୍ଷ

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ରେ ଦିନ ମଜୁରିଆ ଭିତ୍ତିରେ ନିଯୁକ୍ତିକୁ ନେଇ ଏବେ ପ୍ରଶ୍ନ ଉଠିଛି। ସେମାନଙ୍କ ପାଇଁ ବୋର୍ଡ ମାସକୁ ଲକ୍ଷାଧିକ ଟଙ୍କା ଖର୍ଚ କରୁଛି। ଏଭଳି ନିଯୁକ୍ତି ଆଉ ଅର୍ଥ ବ୍ୟୟକୁ ନେଇ ସଂପୃକ୍ତ ବିଭାଗର କିଛି ଅଧିକାରୀ ପ୍ରଶ୍ନ ଉଠାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଏହି ଦିନ ମଜୁରିଆମାନେ ବୋର୍ଡର କିଛି ପ୍ରଭାବଶାଳୀ ଅଧିକାରୀଙ୍କ ସଂପର୍କୀୟ ହୋଇଥିବାରୁ ବର୍ଷସାରା କାମ ଥାଉ ବା ନଥାଉ କିନ୍ତୁ ଦରମା ଦିଆଯାଇଛି।

ସୂଚନା ଅନୁଯାୟୀ ବୋର୍ଡର କଟକସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ସମେତ ବିଭିନ୍ନ ଜୋନ୍‌ କାର୍ଯ୍ୟାଳୟରେ ଦିନ ମଜୁରିଆ ନିୟମରେ ଅନେକଙ୍କୁ ନିଯୁକ୍ତି ଦିଆଯାଇଛି। ୧୯୯୩ରୁ ବୋର୍ଡରେ ଦିନମଜୁରିଆ ନିଯୁକ୍ତିକୁ ବନ୍ଦ କରାଯାଇଥିଲେ ମଧ୍ୟ ୨୦୧୪ରୁ ଏଭଳି ବେଆଇନ ନିଯୁକ୍ତି ଚାଲିଛି। ବୋର୍ଡର ମୁଖ୍ୟ କାର୍ଯ୍ୟାଳୟ ପାଠ୍ୟପୁସ୍ତକ ବିଭାଗର ୨ଟି ଷ୍ଟୋରରେ ପାଖାପାଖି ୧୫ଜଣ କାର୍ଯ୍ୟ କରୁଛନ୍ତି। ଦଶମ ଶ୍ରେଣୀ ଓ ନବମ ଶ୍ରେଣୀ ପାଠ୍ୟପୁସ୍ତକ ବିକ୍ରୟ ପାଇଁ ଥିବା ୨ଟି କେନ୍ଦ୍ରରେ ଜଣେ ଲେଖାଏଁ ସ୍ଥାୟୀ କର୍ମଚାରୀ ଅଛନ୍ତି। ଏହା ବ୍ୟତୀତ ଦୁଇଟି କେନ୍ଦ୍ରରେ ପାଖାପାଖି ୧୫ଜଣଙ୍କୁ ନିଯୁକ୍ତି ମିଳିଛି। ମାର୍ଚ/ଏପ୍ରିଲ୍‌ ଶିକ୍ଷାବର୍ଷ ଆରମ୍ଭରେ ବିକ୍ରିୟ କେନ୍ଦ୍ରରେ ଭିଡ ରହୁଥିବାରୁ ସେତେବେଳେ ଅଧିକ ଲୋକଙ୍କ ଆବଶ୍ୟକତା ପଡ଼େ। କିନ୍ତୁ ଏବେ ଅଫ ସିଜିନ୍‌ ଥିବାରୁ ବୋର୍ଡର ଜଣେ/ଦୁଇ ଜଣ ସ୍ଥାୟୀ କର୍ମଚାରୀରେ କାମ ହୋଇପାରିବ। କିନ୍ତୁ ଆବଶ୍ୟକତା ନଥାଇ ବି ସେମାନଙ୍କୁ ମଜୁରି ଦିଆଯାଉଥିବା ଅଭିଯୋଗ ହେଉଛି।

ନିକଟରେ ପାଠ୍ୟପୁସ୍ତକ ସଂକ୍ରାନ୍ତରେ ବୋର୍ଡରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଦୁଇ ଜଣ ଅଧିକାରୀ ଏ ସଂକ୍ରାନ୍ତରେ ପ୍ରଶ୍ନ ଉଠାଇଥିଲେ। ଏବେ ଦିନ ମଜୁରିଆଙ୍କ ଆବଶ୍ୟକତା ନାହିଁ ବୋଲି ସେମାନେ କହିଥିଲେ। କିନ୍ତୁ ବୈଠକରେ ଉପସ୍ଥିତ ବୋର୍ଡର ବରିଷ୍ଠ ଅଧିକାରୀମାନେ ଏ ସଂପର୍କରେ କୌଣସି ପ୍ରତିକ୍ରିୟା ରଖି ନଥିଲେ। ଏହି ୧୫ରୁ ୨୦ଜଣ ଦିନ ମଜୁରିଆଙ୍କ ପାଇଁ ମାସିକ ଲକ୍ଷେରୁ ଦେଢ଼ ଲକ୍ଷ ଟଙ୍କା ଖର୍ଚ ହେଉଥିବା ସୂଚନା ମିଳିଛି। ଏପରିକି ରବିବାର ଦିନ ମଧ୍ୟ ସେମାନଙ୍କୁ ଦରମା ଦିଆଯାଇଛି। ବୋର୍ଡର ବିଭିନ୍ନ ଜୋନ୍‌ରେ ମଧ୍ୟ ଦିନ ମଜୁରିଆଙ୍କୁ ପ୍ରିୟାପ୍ରୀତିରେ ନିଯୁକ୍ତି ଦିଆଯାଇଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହେଉଥିବା ବେଳେ ବୋର୍ଡ କର୍ତ୍ତୃପକ୍ଷ କିନ୍ତୁ ପ୍ରତିକ୍ରିୟା ରଖିବାକୁ ମନା କରି ଦେଇଛନ୍ତି।

ସମ୍ବନ୍ଧିତ ଖବର