କୋଟି କୋଟି ଟଙ୍କାର ମୋରମ ଲୁଟ୍‌

୨୦ ଏକର ଜଙ୍ଗଲ ଜମି ଧ୍ୱଂସ, ଉଦୟଗିରି ବୌଦ୍ଧସ୍ତପ ପ୍ରଭାବିତ

ଯାଜପୁର,: ଅସିଆ ପର୍ବତରୁ କୋଟି କୋଟି ଟଙ୍କାର ମୋରମ୍‌ ଲୁଟ୍‌ ହେଉଛି। ଯଦି ଏଭଳି ହିସାବ କରାଯାଏ ତେବେ ମାସିକ ପ୍ରାୟ କୋଟିଏ ଟଙ୍କାର ମୋରମ୍‌ ଚୋରା ଚାଲାଣ ହେଉଛି। ମୋରମ ଚାଲାଣ ଯୋଗୁଁ ପ୍ରାୟ ୨୦ ଏକର ଜଙ୍ଗଲ ଜମି ଲୋପ ପାଇଗଲାଣି। ସେପଟେ ଜଙ୍ଗଲ କ୍ଷୟ ଯୋଗୁ ବନ୍ୟଜନ୍ତୁ ବିପଦରେ ପଡ଼ିଛନ୍ତି। ଉଦୟଗିରିର ବୌଦ୍ଧସ୍ତପ ବି ପ୍ରଭାବିତ ହେଉଛି। ଗୋଟିଏ ପଟେ ବିଶ୍ୱ ପ୍ରସିଦ୍ଧ ଐତିହ୍ୟ ବିପଦକୁ ଟାଣି ହୋଇଯାଉଥିବା ବେଳେ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି। ମାତ୍ର ରାଜନେତା, ପୁଲିସ ଓ ତହସିଲ୍‌ କର୍ମଚାରୀ ମାଲାମାଲ ହେଉଛନ୍ତି।
ଦର୍ପଣ ତହସିଲ ଅଧୀନ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଅସିଆ ପର୍ବତମାଳାର ଅଚ୍ୟୁତବସନ୍ତ ଗ୍ରାମ ନିକଟରୁ ଦୈନିକ ଶହଶହ ଟ୍ରିପ୍‌ ମୋରମ ଲୁଟ୍‌ ହେଉଛି। କାରବାରରେ ଦର୍ପଣ ତହସିଲ, ପୁଲିସ, ଜଙ୍ଗଲ ବିଭାଗ ସାମିଲ୍‌ ଅଛି ବୋଲି ଅଭିଯୋଗ ହେଉଛି। ଜନୈକ ପୂର୍ବତନ ସରପଞ୍ଚଙ୍କ ନେତୃତ୍ଵରେ ମାସମାସ ଧରି କୋଟିକୋଟି ଟଙ୍କାର ମୋରମ ଚୋରା ଚାଲାଣ ହେଉଛି। ହରିଦାସପୁର-ପାରାଦ୍ଵୀପ ରେଳ ଲାଇନ୍‌ ପାଇଁ ମୋରମ ଉତ୍ତୋଳନ ଆଳରେ କୋଟିକୋଟି ଟଙ୍କାର ମୋରମ ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ ପ୍ରଭୃତି ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଚାଲାଣ ହେଉଛି। ମୋରମ ଟ୍ରିପ୍‌ ୪୫୦୦ ଟଙ୍କାରେ ବ୍ୟବସାୟୀ ବିକ୍ରି କରୁଥିବା ବେଳେ ପ୍ରତି ରାତି ଓ ଦିନରେ ଶହେ ଟ୍ରକ୍‌ ମୋରମ ଚୋରା ଚାଲାଣ ହେଉଛି। ପ୍ରତିଦିନ ୪.୫ ଲକ୍ଷ ଟଙ୍କା ଏହି ଅସାଧୁ ମେଣ୍ଟ ନିକଟକୁ ଯାଉଛି। ଖାଦାନ ନାମରେ ଜଙ୍ଗଲ ଜମିକୁ ନଷ୍ଟ କରିବା ସହିତ ପରିବେଶ ମଞ୍ଜୁରି ଓ ମାଇନିଂ ପ୍ଲାନ୍‌ ଊର୍ଧ୍ୱରେ ଚାଲିଛି ଧ୍ୱଂସଲୀଳା। ପ୍ରାୟ ଶହେ ଫୁଟ୍‌ ଗଭୀର ଗାତ କରି ମୋରମ୍‌ ଚାଲାଣ କରୁଥିବା ଗୋଷ୍ଠୀଙ୍କ ବାହୁବଳ ଓ ଅର୍ଥବଳ ସମ୍ମୁଖରେ ଅଚ୍ୟୁତବସନ୍ତ ଗ୍ରାମବାସୀ ତ୍ରାହିତ୍ରାହି ଡ଼ାକିଲେଣି। ପାହାଡ଼ ଧସିବାର ଆଶଙ୍କା ସୃଷ୍ଟି ହୋଇଛି। ଅସିଆ ପର୍ବତ ମାଳାର ଅଚ୍ୟୁତବସନ୍ତ ଗ୍ରାମ ନିକଟ ଏହି ଜଙ୍ଗଲରେ ବହୁ ସଂଖ୍ୟାରେ ଚନ୍ଦନ ଗଛ ଥିଲା। ଜଙ୍ଗଲରେ ହରିଣ, କୁଟୁରା, ବାର୍‌ହା, ଠେକୁଆ ଭଳି ବହୁ ବନ୍ୟଜନ୍ତୁ ରହୁଥିଲେ। ବର୍ଷସାରା ଏଠାରେ ବସନ୍ତ ଋତୁର ପରିବେଶ ସୃଷ୍ଟି ହେଉଥିବାରୁ ସ୍ଥାନୀୟ ଗ୍ରାମର ନାମ ଅଚ୍ୟୁତବସନ୍ତ ବୋଲି ନାମ କରଣ ହୋଇଥିଲା। ମାତ୍ର ରାଜସ୍ୱ ବୃଦ୍ଧି ଆଳରେ ଦର୍ପଣ ତହସିଲ୍‌ ଅଚ୍ୟୁତବସନ୍ତର ୩ଟି କ୍ୱାରି (୪ ହେକ୍ଟର) ଜମିକୁ ପରିବେଶ ମଞ୍ଜୁରି କରାଇ ଏହି ଅସାଧୁ ମେଣ୍ଟ ହାତରେ ଟେକି ଦିଆଯାଇଛି। ଯେଉଁ ଅଞ୍ଚଳରେ ପରିବେଶ ମଞ୍ଜୁରି ମିଳିଛି ସେଠାରେ ମୋରମ ନଥିବାରୁ ପଥର ବ୍ୟବସାୟୀ ଅନ୍ୟସ୍ଥାନରେ ଜଙ୍ଗଲ ଧ୍ୱଂସ କରି କୋଟିକୋଟି ଟଙ୍କାର ମୋରମ ଚୋରି କରି ଚାଲିଛନ୍ତି। ଲଘୁ ଖଣିଜ ସଂପଦ ଲୁଟ୍‌ ରୋକିବା ପାଇଁ ପୁଲିସ ଡିଜିଙ୍କ ତାଗିଦ୍‌, ଜିଲ୍ଲାପାଳ ଓ ଏସ୍‌ପିଙ୍କ ରାସ୍ତାରେ ଚେକିଂ କାରବାର ଏହି ଲୁଟ୍‌ କାରବାର ଉପରେ ସେପରି ପ୍ରଭାବ ପକାଇ ପାରୁନାହିଁ।

ସମ୍ବନ୍ଧିତ ଖବର