ନଈ ମଝିକୁ ଟାଣିନେଲା କୁମ୍ଭୀର : ବାଳକର ପତ୍ତା ମିଳୁନି, ଉଦ୍ଧାର କାର୍ଯ୍ୟ ଜାରି

ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲାରେ ଆଜି ଦୁଇଟି ଘଟଣା ଦୁଃଖଦ ପରିବେଶ ସୃଷ୍ଟି କରିଛି। ଗୋଟିଏ ଘଟଣାରେ ସାନ ଭାଇ ସାମ୍ନାରେ ବଡ଼ ଭାଇକୁ କୁମ୍ଭୀର ଝାମ୍ପି ନେଇଥିବା ବେଳେ ଅନ୍ୟ ଏକ ଘଟଣାରେ ବଡ଼ ଭାଇ ସହ ଶନିଶ୍ଚରଙ୍କ ଜଳାଭିଷେକ ପାଇଁ ଯାଇଥିବା ସାନ ଭାଇ ନଈରେ ଭାସି ଯାଇଛି। ସୂଚନା ଅନୁଯାୟୀ ଆଜି ଦିନ ପ୍ରାୟ ୧୨ଟା ସମୟରେ ରାଜନଗର ହଂସୁଆ ନଈ କୂଳରେ ଥିବା ଡିଆପାରି ଗ୍ରାମର ବିଚିତ୍ର ସେଠୀଙ୍କ ବଡପୁଅ ଶ୍ରୀକାନ୍ତ ସେଠୀ ତା’ର ସାନଭାଇ ଚନ୍ଦ୍ରକାନ୍ତ ନଦୀରେ ଗାଧୋଉଥିଲେ। ସେହି ସମୟରେ ହଠାତ୍‌ ଏକ ବଉଳା କୁମ୍ଭୀର ଶ୍ରୀକାନ୍ତଙ୍କ ଉପରକୁ ଝାମ୍ପ ମାରିଥିଲା। ବଡ ଭାଇର ଚିତ୍କାର ଶୁଣି ଚନ୍ଦ୍ରକାନ୍ତ ଚାହିଁଲା ବେଳକୁ ଶ୍ରୀକାନ୍ତକୁ କୁମ୍ଭୀର ଟାଣି ନେଉଥିଲା। ଚନ୍ଦ୍ରକାନ୍ତର ଚିତ୍କାର ଶୁଶି ପରିବାର ଓ ଆଖପାଖର ଲୋକେ ନଦୀ କୂଳରେ ପହଞ୍ଚି ଥିଲେ। ବନବିଭାଗ କର୍ମଚାରୀ, ଅଗ୍ନିଶମ ବିଭାଗ, ପୁଲିସ୍‌ କର୍ମଚାରୀ ସ୍ଥାନୀୟ ମାଛଧରାଳିଙ୍କ ସହ ନଈରେ ଖୋଜାଖୋଜି କରିଥିଲେ ବି ଶ୍ରୀକାନ୍ତଙ୍କୁ ଠାବ କରାଯାଇ ପାରି ନାହିଁ। ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ କୁମ୍ଭୀରିଆ ନଈ ସହିତ ହଂସୁଆ ନଈ ସଂଯୋଗ ହୋଇଛି। ଅନେକ ସମୟରେ ବଉଳା କୁମ୍ଭୀର ଏହି ନଈରେ ଭାସୁଥିବାରୁ ରାଜନଗର ଏବଂ ଡିଆପାରି ଗାଁର ଲୋକଙ୍କ ସୁରକ୍ଷା ପାଇଁ ତୁଠ ନିର୍ମାଣ କରିବାକୁ ବନବିଭାଗ ନିକଟରେ ବାରମ୍ବାର ଦାବି ହେଉଥିଲେ ବି ତୁଠ ନିର୍ମାଣ କରାଯାଉ ନାହିଁ। ଏହାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ପତିକ୍ରିୟା ପ୍ରକାଶ ପାଇଛି।

ସେହିଭଳି ପାଟକୁରା ଥାନା ଅନ୍ତର୍ଗତ ବେଡାରୀ ପଞ୍ଚାୟତର ହରିଦାସପୁର ଠାରେ ଶନିଶ୍ଚରଙ୍କୁ ଜଳାଭିଷେକ କରିବାକୁ ଆସିଥିବା ଜଣେ ନାବାଳକ ନଈରେ ଭାସି ଯାଇ ପ୍ରାଣ ହରାଇଛି। ମୃତ ନାବାଳକ ହେଉଛନ୍ତି ମାର୍ଶାଘାଈ ବ୍ଲକ ନାରାୟଣପୁର ଗ୍ରାମର ପ୍ରଶାନ୍ତ ଦାସଙ୍କ ପୁଅ ଓମ୍‌(୧୦)।

ସମ୍ବନ୍ଧିତ ଖବର