ଶତ୍ରୁ ଥିଲେ, କୋଳାକୋଳି ହେଲେ

ବିଜେପି, ଧର୍ମେନ୍ଦ୍ରଙ୍କୁ ମନଇଚ୍ଛା ଗାଳି ଦେଇଥିଲେ ଦାମ, ବିଜେପି ବି କହିଥିଲା, ଦାମ ବାବୁ ପାଗଳ ମେଣ୍ଟାଲ ହସ୍ପିଟାଲ ପଠାଯାଉ

ଭୁବନେଶ୍ବର : ବିଜେଡି ସରକାରରେ ମନ୍ତ୍ରୀ ଥିଲା ବେଳେ ଦା‌େମାଦର ରାଉତଙ୍କ କିଛି ମନ୍ତବ୍ୟ ସରକାରଙ୍କୁ ବେଶ ଅଡ଼ୁଆରେ ପକାଇଥିଲା। କେତେବେଳେ ବ୍ରାହ୍ମଣଙ୍କ ପ୍ରତି ତ କେତେବେଳେ ଚାଷୀଙ୍କ ପ୍ରତି, ପୁଣି କେତେବେଳେ ମହିଳାଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ଦାମ। ଏହାକୁ ବିଜେପି ସମେତ ଅନ୍ୟ ବିରୋଧୀ ଦଳ କଡ଼ା ଭାଷାରେ ନିନ୍ଦା କରୁଥିଲେ। ପୁଣି ବିଜେପି ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମନଇଚ୍ଛା ଗାଳି ଦେବାର କୌଣସି ସୁଯୋଗ ହାତଛଡ଼ା କରୁ ନ ଥିଲେ ଦାମ। ଆଉ ବିଜେପି ବି ଦାମଙ୍କୁ ପାଗଳ କହିବାକୁ ପଛାଇ ନ ଥିଲା।

ଦୁଇ ବର୍ଷ ତଳେ ପୁରୀରେ ବିଜେଡିର ଏକ ସଭାରେ ଧର୍ମେନ୍ଦ୍ରଙ୍କ ଉଦ୍ଦେଶ୍ୟରେ ଦାମ ଶାଣିତ ମନ୍ତବ୍ୟ ଦେଇ କହିଥିଲେ, ତୋତେ ଗାଁରେ କିଏ ଭୋଟ୍ ଦେଲେନି। ୨୫ ହଜାର ଭୋଟ୍‌ରେ ହାରି ପଳେଇଲୁ। ହିନ୍ଦୀ ଭଲ କହୁ ବୋଲି ବିହାରରୁ ରାଜ୍ୟସଭାକୁ ଯାଇଛୁ। ତୁ ଏଠି ଆଗେ ୱାର୍ଡମେ‌ମ୍ବର ହଅ, ତା’ ପରେ ମୁଖ୍ୟମନ୍ତ୍ରୀ ହବୁ। ମୁଁ ଘୋଷଣା କରୁଛି, ଧର୍ମେନ୍ଦ୍ର ପ୍ରଧାନ ଯେଉଁଠି ଠିଆ ହେବ, ମୁଁ ସେଠିକି ଯିବି ଆଉ ପ୍ରଚାର କରିବିନ। ଦେଖିବି ସେ କେମିତି ଜିତିବ।

ଏହାର କିଛି ମାସ ପରେ ଧର୍ମେନ୍ଦ୍ରଙ୍କୁ ନିଚ୍ଚା ଦେଖା‌ଇବା ଉଦ୍ଦେଶ୍ୟରେ ସେ ପୁଣି କହିଥିଲେ, ପାଳଗଦା ଉପରେ ଠିଆ ହୋଇ ନିଜକୁ ଉଚ୍ଚା ଭାବୁଛନ୍ତି। କିନ୍ତୁ ତଳୁ କିଏ ନିଆଁ ଲଗାଇଦେଲେ କାମ ସରିଲା। ଧର୍ମେନ୍ଦ୍ର ବାବୁ ଯୁବକ ଲୋକ। ଓଡ଼ିଶାରେ ଜନ୍ମ ହୋଇଛନ୍ତି ଓ ଏଇଠି ବଢ଼ିଛନ୍ତି। ନିଜ ନିର୍ବାଚନମଣ୍ଡଳୀ ଲୋକ କାହିଁକି ଫୋପାଡ଼ିଦେଲେ ? ସେ ତ ପୋଷା ପୁଅ ପରି ବିହାର ରାଜ୍ୟରୁ ଯାଇଛନ୍ତି, ଓଡ଼ିଶା ବିଷୟରେ କ’ଣ ଜାଣିଛନ୍ତି।

କଂଗ୍ରେସ ସହ ବିଜେଡିର ମେଣ୍ଟ ନେଇ ଏକ ପ୍ରଶ୍ନରେ ଦାମ କହିଥିଲେ,ବର୍ତ୍ତମାନ ରାଜ୍ୟରେ ପ୍ରମୁଖ ବିରୋଧୀ ଦଳ ହେଉଛି କଂଗ୍ରେସ। ବିଜେପି ପରି ସାମ୍ପ୍ରଦାୟିକ ଦଳ ବିରୋଧରେ ଅଭିଯାନରେ କଂଗ୍ରେସ ସାମିଲ ହେଲେ ଆମେ ସ୍ବାଗତ କରିବୁ।

ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ, ନବୀନ ହେଲେ ‘ଧ୍ରୁତରାଷ୍ଟ୍ର’ ଓ ଦାମ ରାଉତ ହେଲେ ‘ଶିଖଣ୍ଡି’। ଯାଜପୁରର ଏକ ସଭାରେ ଭ‌ାଷଣ ପ୍ରସଙ୍ଗରେ ଦାମ ଏହାର ପ୍ରତିବାଦ କରି କହିଥିଲେ, ‘ସ୍ବାମୀ ଛାଡ଼ି ଅଙ୍ଗନବାଡ଼ି।’ ଏହା ପରେ ବିଜେପି ମହିଳା ମୋର୍ଚ୍ଚା ସଭା‌େନତ୍ରୀ ପ୍ରଭାତି ପରିଡ଼ା ଏହାର ତୀବ୍ର ବିରୋଧ କରି କହିଥି‌େଲ, ଏପରି ମନ୍ତବ୍ୟ କୌଣସି ମାନସିକ ସ୍ଥିତିରେ ଥିବା ଲୋକ ଦେଇପାରିବେ ନାହିଁ। ଦାମ ବାବୁ ପାଗଳ ହୋଇଗଲେଣି। ତାଙ୍କୁ ତୁରନ୍ତ ମେଣ୍ଟାଲ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଉ। ସେ ବେଶୀ ଦିନ ଆଉ ମନ୍ତ୍ରୀ ରହିବା କଥା ନୁହେଁ।

ମାଲକାନଗିରିରେ ଏକ ସଭାରେ ଦାମ କହିଥିଲେ, ‘ଆଦିବାସୀମାନେ କୌଣସି ଜାଗାରେ ହାତ ପତାଇ ଭିକ ମାଗିବାର ଆପଣ ଦେଖିଛନ୍ତି ? ବ୍ରାହ୍ମଣମାନେ ହାତ ପ‌ତାଇ ଭିକ ମାଗିପାରିବେ। କିନ୍ତୁ ଆଦିବାସୀମାନେ ନୁହଁନ୍ତି।’ ଏତିକି କଥା ରାଜ୍ୟରେ ବ୍ରାହ୍ମଣ ସମାଜରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଥିଲା।

ଚାଷୀଙ୍କୁ ଋଣ ଛାଡ଼ ପ୍ରସଙ୍ଗରେ ଦାମ କହିଥିଲେ, ‘ବହୁ ଚାଷୀ ଋଣ ନେଇ ଶୁଝୁ ନାହାନ୍ତି। ସେମାନେ ଋଣ ନେଇ ଝିଅ ବାହାଘର କରୁଛନ୍ତି, ମଦ ପିଉଛନ୍ତି।’ ଏହି ଘଟଣା ପରେ ଚାଷୀମାନେ ସରକାରଙ୍କ ବିରୋଧରେ ତାତିଥିଲେ।

ଜୟୀ ରାଜଗୁରୁଙ୍କ ସମ୍ପର୍କରେ ଦାମ କହିଥିଲେ, ‘ଜୟୀ ରାଜଗୁରୁଙ୍କୁ ସ୍ବାଧୀନତା ସଂଗ୍ରାମୀ କହିବାନି। ସେ ସ୍ବାଧୀନତା ପାଇଁ ବିଦ୍ରୋହ କରି ନ ଥିଲେ। ତାଙ୍କ କଥା ଇଂରେଜମାନେ ରଖି ନ ଥିବାରୁ ଓ ପ୍ରତିଶ୍ରୁତି ଭାଙ୍ଗିଥିବାରୁ ସେ ବିଦ୍ରୋହ କରିଥିଲେ।’ ଏହି ମନ୍ତବ୍ୟକୁ ନେଇ ବୌଦ୍ଧିକ ସ୍ତରରେ ବିବାଦ ଦେଖାଦେଲା ଓ ସରକାର ବି ଅଡ଼ୁଆରେ ପଡ଼ିଲେ।

ସମ୍ବନ୍ଧିତ ଖବର