ଏସ୍‌ସିବିରେ ବର୍ଷର ଦ୍ୱିତୀୟ ଡେଙ୍ଗୁ ମୃତ୍ୟୁ

କଟକ: କଟକ ଏସ୍‌ସିବିରେ ବୁଧବାର ଡେଙ୍ଗୁ ରୋଗରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ପୁରୀ ସାକ୍ଷୀଗୋପାଳ ଅଞ୍ଚଳର ରମା ବାରିକ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତ ୮ ତାରିଖ ଦିନ କଟକ ଏସ୍‌ସିବିରେ ସ୍ୱତନ୍ତ୍ର ଡେଙ୍ଗୁ ଓ୍ଵାର୍ଡର ଆଇସିୟୁରେ ରମା ବାରିକ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏହି ମୃତ୍ୟୁ ଚଳିତବର୍ଷ ଡେଙ୍ଗୁ ଜ୍ୱରରେ ଦ୍ୱିତୀୟ ବୋଲି ଜଣାପଡ଼ିଛି।

ଏହାପୂର୍ବରୁ କେନ୍ଦ୍ରାପଡା ଜିଲ୍ଲା ବାଳକାଟୀ ଗ୍ରାମର ଦେବକୀ ବେହେରା(୬୦)ଙ୍କ ଡେଙ୍ଗୁରେ ମୃତ୍ୟୁ ହୋଇଥିଲା। ଦେବକୀ ଏସ୍‌ସିବି ଡେଙ୍ଗୁ ଆଇସିୟୁରେ ଜୁଲାଇ ୨୯ ତାରିଖରୁ ଚିକିତ୍ସିତ ହେଉଥିବାବେଳେ ଗତ ଅଗଷ୍ଟ ୧୩ ତାରିଖ ଭୋର ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା।

ଗତକିଛି ଦିନ ତଳେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ଏସ୍‌ସିବି ମେଡିକାଲରେ ୧୦୩ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ଚିହ୍ନଟ ହୋଇଥିବା ୩୧ଜଣଙ୍କ ମଧ୍ୟରୁ କଟକରୁ ୬ଜଣ, ବାଲେଶ୍ୱରରୁ ୮ଜଣ, ଜଗତସିଂହପୁର ଓ ଯାଜପୁରରୁ ୫ଜଣ ଲେଖାଏଁ, ପୁରୀରୁ ୪ଜଣ, ଭଦ୍ରକରୁ ୨ଜଣ ଓ ପୁରୀରୁ ଜଣେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ।

ସେମାନଙ୍କ ଭିତରୁ ୭୫ଜଣ କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ୪ଜଣ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ସେହିପରି କଟକର ଏସ୍‌ସିବି କ୍ୟାମ୍ପସରୁ ଜଣେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ରାଣୀହାଟ, ଲାଲବାଗ, ବାଦାମବାଡି, ଜଗତପୁର ଓ ଟାଙ୍ଗୀରୁ ଜଣେ ଲେଖାଏଁ ରୋଗୀ ଚିହ୍ନଟ ହୋଇଥିଲେ।

ସମ୍ବନ୍ଧିତ ଖବର