ଭୁବନେଶ୍ବର-ଦୁବାଇ ସିଧା ବିମାନ ଚଳାଚଳ ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର
ଭୁବନେଶ୍ବର : ଭୁବନେଶ୍ବରରୁ ଦୁବାଇ ଯାତାୟତ କରୁଥିବା ଓଡ଼ିଶାର ଯାତ୍ରୀଙ୍କ ସୁବିଧା ତଥା ଓଡ଼ିଶାର ବିକାଶରେ ବିମାନ ସେବାର ବଡ଼ ଭୂମିକା ରହିଛି। ଏହି ପୃଷ୍ଠଭୂମିରେ ଭୁବନେଶ୍ବରରୁ ସିଧାସଳଖ ଦୁବାଇ ପର୍ଯ୍ୟନ୍ତ ବିମାନ ସେବା ଆରମ୍ଭ କରାଯାଉ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହର୍ଦୀପ ସିଂହ ପୁରୀଙ୍କୁ କେନ୍ଦ୍ର ମନ୍ତ୍ରୀ ଧେର୍ମନ୍ଦ୍ର ପ୍ରଧାନ ଏ ନେଇ ଚିଠି ଲେଖିଛନ୍ତି। ମନ୍ତ୍ରୀ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ପଦକ୍ଷେପ ନେବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
କେନ୍ଦ୍ର ମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ପୂର୍ବୋଦୟ ଯୋଜନାରେ ପୂର୍ବ ଭାରତରେ ଓଡ଼ିଶା ବିକାଶର ପେଣ୍ଠସ୍ଥଳୀ ଭାବେ ଆଗକୁ ବଢ଼ୁଛି। କେନ୍ଦ୍ର ସରକାର ଉଡ଼ାଣ ଯୋଜନା ମାଧ୍ୟମରେ ଆଞ୍ଚଳିକ ସ୍ତରରେ ବିମାନ ଯୋଗାଯୋଗ କ୍ଷେତ୍ରରେ ନୂଆ ସମ୍ଭାବନାର ସୂତ୍ରପାତ କରିଛି। ରାଜଧାନୀ ଭୁବନେଶ୍ବର ସହ ସିଧାସଳଖ ଆନ୍ତର୍ଜାତିକ ବିମାନ ଯୋଗାଯୋଗ ପୂର୍ବ ଭାରତର ବିକାଶ ସମ୍ଭାବନାକୁ ଆହୁରି ଦୃଢ଼ କରିବ। ବର୍ତ୍ତମାନ ଭୁବନେଶ୍ବରର ସିଧା ବିମାନ ସଂଯୋଗ କେବଳ ଥାଇଲାଣ୍ଡ୍କୁ ରହିଛି। ଭୁବନେଶ୍ବରକୁ ୟୁଏଇର ଦୁବାଇ ସହ ଯୋଡ଼ିବା ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଛି।
ଶ୍ରୀ ପ୍ରଧାନ ଆହୁରି ଦର୍ଶାଇଛନ୍ତି, ୟୁଏଇରେ ବିଭିନ୍ନ ଅଞ୍ଚଳରୁ ପ୍ରାୟ ୧୫ ହଜାରରୁ ଅଧିକ ଓଡ଼ିଆ ବସବାସ କରୁଛନ୍ତି। ଏହି ଲୋକମାନେ ନିଜ ରାଜ୍ୟକୁ ଯାତାୟତ କରିବା ସମୟରେ ଅସୁବିଧା ଭୋଗୁଛନ୍ତି। ଭୁବନେଶ୍ବର ଶିକ୍ଷା, ସ୍ବାସ୍ଥ୍ୟସେବା, ସଂସ୍କୃତି ଓ ପର୍ଯ୍ୟଟନର କେନ୍ଦ୍ର ଭାବେ ବିକଶିତ ହୋଇଛି। ତେଣୁ ଆନ୍ତର୍ଜାତିକ ବିମାନ ଚଳାଚଳ କଲେ ଏହା ସ୍ବାସ୍ଥ୍ୟ ପର୍ଯ୍ୟଟନ, ସାଂସ୍କୃତିକ ପର୍ଯ୍ୟଟନ ଓ ଶିକ୍ଷା କ୍ଷେତ୍ରରେ ସଂଯୋଗ ସ୍ଥାପନ ପାଇଁ ଏକ ପ୍ରମୁଖ କେନ୍ଦ୍ର ହୋଇପାରିବ ବୋଲି କେନ୍ଦ୍ର ମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି।