ରାଉରକେଲା ସ୍ମାର୍ଟ ସିଟି ବାବଦରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର:ରାଉରକେଲା ସ୍ମାର୍ଟ ସିଟି ପ୍ରକଳ୍ପରେ ମଂଜୁର ହୋଇଥିବା ଗଚ୍ଛିତ ଅର୍ଥ ସହରର ବିକାଶ କାର୍ଯ୍ୟରେ ଖର୍ଚ୍ଚ ନହୋଇ ପଡି ରହିଥିବା ନେଇ ଗଭୀର ଚିନ୍ତାବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ସହରାଂଚଳ ବିକାଶ ଏବଂ ଗୃହ ନିର୍ମାଣ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ନିକଟକୁ ମଧ୍ୟ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେବେ ପଡିରହିଥିବା ସହରର ବହୁ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଉଭୟ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ସହରାଂଚଳ ବିକାଶ ମନ୍ତ୍ରୀ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।


ଚିଠିରେ ଲେଖିଛନ୍ତି ଯେ, ସୂଚନା ଅଧିକାର ନିୟମରେ ମିଳିଥିବା ତଥ୍ୟ ଅନୁସାରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ୨୦୧୫-୧୬ରୁ ୨୦୧୭-୧୮ ଆର୍ଥିକ ବର୍ଷରେ ରାଉରକେଲାର ବିକାଶ ପାଇଁ ୩୭୬ କୋଟି ଟଙ୍କା ଅନୁଦାନ ଦେଇଛନ୍ତି । ହେଲେ ଏହି ମୋଟ ଅର୍ଥରୁ ମାତ୍ର ୨୨.୨୩ କୋଟି ଟଙ୍କା ଖର୍ଚ୍ଚ ହୋଇପାରିଛି । ତେବେ ଏହି ଅର୍ଥରୁ କନସଲଟାନ୍ସ ଓ ଦରମା ବାବଦରେ ୧୬.୩୭କୋଟି ଟଙ୍କା ବ୍ୟୟ ହୋଇଥିବା ମିଳିଥିବା ସୂଚନା ଅଧିକାର ତଥ୍ୟରେ ଉଲ୍ଲେଖ ଥିବା ଦର୍ଶାଇ ଚିନ୍ତାବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ତେବେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ତରଫରୁ ପ୍ରଚୁର ଅର୍ଥ ବ୍ୟୟବରାଦ କରାଯାଇଥିବା ବେଳେ ରାଉରକେଲା ସ୍ମାର୍ଟସିଟି ପ୍ରକଳ୍ପର ଉଦ୍ଦିଷ୍ଟ ଅର୍ଥକୁ ଖର୍ଚ୍ଚ ନକରିବା ମାମଲା ଚିନ୍ତାର ବିଷୟ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ସମ୍ବନ୍ଧିତ ଖବର