ବୈଜୟନ୍ତଙ୍କ ପାଇଁ ବଢୁଛି ଅଡୁଆ, ମେଳି ହେଉଛନ୍ତି ବିଜେପି ଅସନ୍ତୁଷ୍ଟ

ରାଜନଗର : କେନ୍ଦ୍ରାପଡା ଲୋକସଭା ନିର୍ବାଚନମଣ୍ତଳୀର ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ତା ଗୋଟିଏ ପଟେ ଅନୁକୂଳ ପରିସ୍ଥିତି ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା ବେଳେ ଅନ୍ୟପଟେ କିନ୍ତୁ ବିଜେପି ଅସନ୍ତୁଷ୍ଟଙ୍କ ମେଳି ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି। ବିଭିନ୍ନ ସ୍ଥାନରେ ବୈଜୟନ୍ତଙ୍କ କୁଶପୁତ୍ତଳିକା ଦାହ କରାଯାଉଥିବା ବେଳେ ମୂଳ ବିଜେପି କର୍ମୀମାନେ ଏକାଠି ହୋଇ ବୈୟଜନ୍ତଙ୍କୁ ବିରୋଧ କରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି। ମହାକାଳପଡା ନିର୍ବାଚନମଣ୍ତଳୀରୁ ବିଜୟ କୁମାର ପ୍ରଧାନଙ୍କୁ ବିଜେପିର ବିଧାୟକ ପ୍ରାର୍ଥୀ କରାଯିବା ପରେ ବୈଜୟନ୍ତଙ୍କ ବିରୁଦ୍ଧରେ ଦଳ ମଧ୍ୟରେ କର୍ମୀମାନେ ସ୍ବର ଉତ୍ତୋଳନ କରିବା ଆରମ୍ଭ କରିଛନ୍ତି। ବିଜେପି କର୍ମୀମାନେ ରାଜରାସ୍ତାକୁ ଓହ୍ଲାଇ ଏହାର ପ୍ରତିବାଦ କରିଛନ୍ତି। ଗତକାଲି ମହାକାଳପଡା ନିର୍ବାଚନ ମଣ୍ତଳୀର ବିଭିନ୍ନ ସ୍ଥାନରେ ଦଳୀୟ କର୍ମୀ ବୈଜୟନ୍ତଙ୍କ କୁଶପୁତ୍ତଳିକା ଦାହ କରିଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ ବିଜେପି ପକ୍ଷରୁ ମହାକାଳପଡାରେ ଟିକେଟ ଦୌଡରେ ବରିଷ୍ଠ ବିଜେପି ନେତା ଭୂବନ ମୋହନ ଜେନା ଓ ବିଷ୍ଣୁ ଦାସ ଆଗରେ ଥିଲେ। ମାତ୍ର ଦଳର ସଂଗଠନ ସହ ଥିବା ନେତା ଓ ସଂଗଠକଙ୍କ ପରିବର୍ତ୍ତେ ବିଭିନ୍ନ ସମୟରେ ବାରମ୍ବାର ଦଳ ବଦଳ କରିଥିବା ନେତାଙ୍କୁ ଦଳ ପ୍ରାର୍ଥୀ କରିଛି। ଏହାକୁ ନେଇ ମହାକାଳପଡାରେ ଦଳରେ କନ୍ଦଳ ଉଗ୍ରରୂପ ଧାରଣ କରିଛି। ବୈଜୟନ୍ତଙ୍କର ନିର୍ବାଚନମଣ୍ତଳୀରେ ନିଜର ସ୍ବତନ୍ତ୍ର ପତିଆରା ରହିଛି। ବୈଜୟନ୍ତଙ୍କ ବିରୁଦ୍ଧରେ ବିଜେଡି ରାଜ୍ୟସଭା ସାଂସଦ ତଥା ଓଡିଆ ଚଳଚିତ୍ରର ସୁପରଷ୍ଟାର ଅନୁଭବ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି। କଂଗ୍ରେସ ବରିଷ୍ଠ ଆଇନଜୀବି ଧରଣୀଧର ନାୟକଙ୍କୁ ରିପିଟ କରିଛି। ଏଭଳି ସ୍ଥିତିରେ ବିଜେପିରେ ବୈଜୟନ୍ତଙ୍କ ବିରୁଦ୍ଧରେ ଦଳୀୟ କର୍ମୀ ଏକଜୁଟ ହେବା ଘଟଣା ରାଜନୈତିକ ବାତାବରଣକୁ ଉଷ୍ମ କରିଛି। ବୈଜୟନ୍ତ ପ୍ରଥମେ ଦଳ ଭିତରର ବିଦ୍ରୋହକୁ କିଭଳି ମୁକାବିଲା କରିବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର