ଭୁବନେଶ୍ବର : ଆସନ୍ତା ଅକ୍ଟୋବର ୨୮ତାରିଖରୁ ସମସ୍ତ ସରକାରୀ ଡାକ୍ତର ସରକାରୀ ଛୁଟିରେ କାମ କରିବେ ନାହିଁ। ଅନ୍ୟ ସରକାରୀ କର୍ମଚାରୀଙ୍କ ଭଳି ଡାକ୍ତରମାନେ ବି ଛୁଟିରେ କାର୍ଯ୍ୟ କରିବେନି ବୋଲି ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ୍ (ଓଏମ୍ସା) ନିଷ୍ପତ୍ତି ନେଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଓଏମ୍ସାର ସାଧାରଣ ସମ୍ପାଦକ ଡା. ପୁଣ୍ୟଶ୍ଳୋକ ଦାସ ସ୍ବାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି ଯେ, ଓଏମ୍ସାର ସେପ୍ଟେମ୍ବର ୨ ଏବଂ ୩୦ରେ ବସିଥିବା ସିଇସି ଏବଂ ସାଧାରଣ ପରିଷଦ ବୈଠକର ନିଷ୍ପତ୍ତି ଅନୁଯାୟୀ, ସରକାରୀ ଡାକ୍ତରମାନେ ଏଣିକି ସରକାରୀ ଛୁଟିରେ କାର୍ଯ୍ୟ କରିବେନି। ସରକାର ରୋଗୀ ସେବା ପାଇଁ ବିକଳ୍ପ ବ୍ୟବସ୍ଥା କରନ୍ତୁ।
ଡା. ଦାସ କହିଛନ୍ତି ଯେ, ଡାକ୍ତରମାନଙ୍କ କ୍ଷେତ୍ରରେ ଡାଇନାମିକ୍ ଆସ୍ୟୁର୍ଡ କ୍ୟାରିଅର ପ୍ରୋଗ୍ରେସନ୍ (ଡିଏସିପି) ଯୋଜନା ଲାଗୁ କରିବାକୁ ଷଷ୍ଠ ବେତନ କମିସନ ସୁପାରିସ୍ କରିଛନ୍ତି। ଏହାକୁ ୧୫ଟି ରାଜ୍ୟ ବର୍ତ୍ତମାନ ସୁଦ୍ଧା ଲାଗୁ କରିଥିବାବେଳେ ଓଡ଼ିଶାରେ ଏହା ଲାଗୁ ହୋଇପାରିନି। ଓଡ଼ିଶାରେ ଡିଏସିପି ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀ ୨୦୧୦ରେ ସ୍ବାସ୍ଥ୍ୟ, ଅର୍ଥ ଓ ଆଇନ ବିଭାଗର ମନ୍ତ୍ରୀଙ୍କୁ ନେଇ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଥିଲେ ହେଁ ଗତ ୮ ବର୍ଷ ମଧ୍ୟରେ ଏହି କମିଟି ଥରଟିଏ ବସିନାହିଁ। ବରଂ ଓଏମ୍ସାକୁ ଅନ୍ଧାରରେ ରଖି ନୂଆ କ୍ୟାଡର ରୁଲ୍ ପ୍ରସ୍ତୁତ କରିଛନ୍ତି। ଏଥିରେ ଡାକ୍ତରମାନଙ୍କୁ ତିନି ଭାଗରେ ବିଭକ୍ତ କରାଯାଇଥିବାରୁ ଓଏମ୍ସାର ଡାକ୍ତରମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। କେବଳ ଏତିକି ନୁହେଁ ଡାକ୍ତର ମାନଙ୍କ ଡ୍ୟୁଟି ସମୟ ଧାର୍ଯ୍ୟ ହୋଇନି କି ଚିକିତ୍ସାଳୟରେ ସେମାନଙ୍କ ସୁରକ୍ଷା ପାଇଁ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇନି। ଡାକ୍ତରମାନଙ୍କର ଦୀର୍ଘ ଦିନର ଦାବି ପୂରଣ ହୋଇନଥିବାରୁ ଡାକ୍ତରମାନେ ସରକାରୀ ଛୁଟି ଦିନରେ ଅନ୍ୟ ସରକାରୀ କର୍ମଚାରୀଙ୍କ ଭଳି ଛୁଟିରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଡା. ଦାସ କହିଛନ୍ତି।