ଦୁର୍ଘଟଣା ନା ହତ୍ୟା? ସନ୍ଦେହରେ ବିଏମ୍‌ସି ଇଞ୍ଜିନିୟରଙ୍କ ମୃତ୍ୟୁ

ଭୁବନେଶ୍ୱର: ବିଏମ୍‌ସିର ଡିଭିଜନ-୧ର ସହାୟକ ନିର୍ବାହୀ ଯନ୍ତ୍ରୀ ମନୋଜ ମିଶ୍ରଙ୍କର ଆଜି ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ଯାଁଳା ଫାଣ୍ଡି ପୁଲିସ ଆଜି ଭୋର ୫ଟା ବେଳେ ଜାତୀୟ ରାଜପଥ-୧୬ର ଯାଁଳା ଓଭରବ୍ରିଜ୍‌ ଉପରୁ ଶ୍ରୀ ମିଶ୍ରଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରିବା ପରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା। ସେଠାରେ କିଛି ସମୟର ଚିକିତ୍ସା ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଜଟଣୀ ଥାନା ପୁଲିସ ଏହାକୁ ଏକ ଦୁର୍ଘଟଣା ଦର୍ଶାଇ ଅପମୃତ୍ୟୁ ମାମଲା ରୁଜୁ କରିଥିବାବେଳେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି। ମୃତ ଇଞ୍ଜିନିୟରଙ୍କ ପୁଅ ଅଭିଜିତ ମିଶ୍ର ଜଟଣୀ ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି। ଯାଁଳା ଓଭରବ୍ରିଜ୍‌ ଉପରେ ମନୋଜଙ୍କ କାର୍‌ ଥିବାବେଳେ ଏହାଠାରୁ ପ୍ରାୟ ୧୦ ହାତ ଦୂରରେ ସେ ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ପଡ଼ିଥିଲେ।

ଏପରିକି ତାଙ୍କ ମୁଣ୍ଡ, ମୁହଁ, ହାତ, ଗୋଡ଼, ପିଠିରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି। ଯାହାକୁ ଦେଖି ପରିବାର ଲୋକ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି। ପୁଲିସ ଯଦି ଦୁର୍ଘଟଣା ହୋଇଛି ବୋଲି କହୁଛି ତେବେ କାର୍‌ କାହିଁକି ଭାଙ୍ଗିନି ଏବଂ କାର୍‌ ବାହାରେ କିପରି ରକ୍ତାକ୍ତ ଅବସ୍ଥାରେ ବାପା ପଡ଼ିଲେ ବୋଲି ଅଭିଜିତ ପ୍ରଶ୍ନ କରିଛନ୍ତି। ଯାଁଳା ଫାଣ୍ଡି ସୂଚନା ଅନୁସାରେ ଆଜି ଭୋର୍‌ ପ୍ରାୟ ୫ଟାବେଳେ ସ୍ଥାନୀୟ ଓଭରବ୍ରିଜ୍‌ ଉପରେ ଏକ ଦୁର୍ଘଟଣା ଘଟିଥିବା ଖବର ମିଳିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚିବାବେଳକୁ ଏକ ଅଲ୍‌ଟୋ କାର୍‌(ଓଆର୍‌୧୪ୱାଇ-୪୦୨୨)ର ପଛ ଡୋର୍‌ ପାଖ ଦୁର୍ଘଟଣାରେ ସାମାନ୍ୟ ଭାଙ୍ଗି ଯାଇଥିଲା ଏବଂ ପଛ ଲାଇଟ୍‌ ଭାଙ୍ଗି ଯାଇଥିଲା। କିନ୍ତୁ ମନୋଜ କାର୍‌ଠାରୁ କିଛି ଦୂରରେ ତଳେ ଗୁରତର ହୋଇ ପଡ଼ିଥିଲେ। ତାଙ୍କ ଆଣ୍ଠୁ, ମୁହଁ ଓ ମୁଣ୍ଡରେ ଆଘାତ ଲାଗିଥିଲା। ରକ୍ତସ୍ରାବ ମଧ୍ୟ ହେଉଥିଲା। ଗୁରୁତର ମନୋଜ କଷ୍ଟରେ ଚିତ୍କାର କରୁଥିଲେ। ତୁରନ୍ତ ତାଙ୍କୁ ଜଟଣୀ ଥାନା ପିସିଆର୍‌ ଯୋଗେ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଥିଲା। ସେଠାରେ ଡାକ୍ତର ତାଙ୍କର ଚିକିତ୍ସା କରିଥିଲେ। ଏହାର କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ମନୋଜ ଚନ୍ଦ୍ରଶେଖରପୁର ଅଞ୍ଚଳର କାନନ ବିହାର ଫେଜ୍‌-୨ରେ ରହୁଥିଲେ। ସେ ଦୁଇ ବର୍ଷ ହେଲା ବିଏମ୍‌ସିର ଡିଭିଜନ-୧ରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ ଯୋଗଦେଇଥିଲେ। ପରିବାର ଲୋକଙ୍କ ସୂଚନା ଅନୁଯାୟୀ, ମନୋଜ ରାତି ପ୍ରାୟ ୧୧ଟା ୪୫ରେ ନୂଆପଲ୍ଲୀସ୍ଥିତ ବେହେରା ସାହିରେ ହେଉଥିବା ଏକ ରାସ୍ତା କାମ ନିରୀକ୍ଷଣ କରିବାକୁ ଘରୁ ଆସିଥିଲେ। ବିଳମ୍ବରେ ଫେରିବେ ବୋଲି କହିଥିଲେ। କିନ୍ତୁ ସକାଳ ସୁଦ୍ଧା ନଫେରିବାରୁ ଭୋର୍‌ ପ୍ରାୟ ସାଢ଼େ ୫ଟା ସମୟରେ ପୁଅ ଅଭିଜିତ ମନୋଜଙ୍କ ମୋବାଇଲ୍‌କୁ କଲ୍‌ କରିଥିଲେ। ଜଣେ ପୁଲିସ ଅଧିକାରୀ ଫୋନ୍‌ ଉଠାଇ ମନୋଜ ଗୁରୁତର ଅଛନ୍ତି ବୋଲି କହି ପରିବାର ଲୋକଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ଡାକିଥିଲେ। ସେଠାରେ ପରିବାର ଲୋକ ମନୋଜଙ୍କ ମୃତ ଦେହ ଦେଖିଥିଲେ।

ସମ୍ବନ୍ଧିତ ଖବର