କେନ୍ଦୁଝର ଗ୍ରାମ୍ୟ ଉନ୍ନୟନ ବିଭାଗରେ ଦୁର୍ନୀତି : ଡ୍ରେନ ନ କରି ଟଙ୍କା ଚଳୁ

କେନ୍ଦୁଝର : ଡ୍ରେନ୍‌ ନାହିଁ କି ସୁରକ୍ଷା ବାଡ଼ ନାହିଁ। ଏମିତିକି ନିର୍ମାଣ କାର୍ଯ୍ୟ ପାଇଁ ବାଲି ମୁଠେ ମଧ୍ୟ ପଡ଼ିନି। କିନ୍ତୁ ବିଲ୍‌ ହୋଇଛି। ଠିକାଦାରଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ହଜାର କି ଦୁଇ ହଜାର ନୁହେଁ ପ୍ରାୟ ୧୦ ଲକ୍ଷ ଟଙ୍କା ପଇଠ କରାଯାଇଛି। ଏଭଳି ଅଭିଯୋଗ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକରୁ ଆସିଛି। ଗ୍ରାମ୍ୟ ଉନ୍ନୟନ ବିଭାଗରେ କିଭଳି ଦୁର୍ନୀତି ହେଉଛି ତାହା ଏଥିରୁ ସ୍ପଷ୍ଟ ହୋଇଛି।

କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅନ୍ତର୍ଗତ ମୁରୁସୁଆଁ-ତିରବୋ ରାସ୍ତାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଡିଭିଜନ-୨ ପକ୍ଷରୁ ୨୦୧୫ ମସିହାରେ ଡ୍ରେନ ଓ ସୁରକ୍ଷା ବାଡ଼ ନିର୍ମାଣ କରାଯାଇଛି ବୋଲି ଦର୍ଶାଯାଇଛି। ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏହି କାମ ପାଇଁ ନୀଳମଣି ଠାକୁରଙ୍କ ନାମରେ କାର୍ଯ୍ୟାଦେଶ ଦିଆଯାଇଥିଲା। ଏହି କାମକୁ ସେତେବେଳେ ତଦାରଖ କରୁଥିଲେ କନିଷ୍ଠ ଯନ୍ତ୍ରୀ ରାମଚନ୍ଦ୍ର ଦୁବେ। ନିର୍ବାହୀ ଯନ୍ତ୍ରୀ ଥିଲେ କାର୍ତ୍ତିକ ଚନ୍ଦ୍ର ସାହୁ। ଏଫଡିଆର (ଫ୍ଲଡ ଡ୍ୟାମେଜ ରିପେୟାରିଂ) ଯୋଜନାରେ ନୀଳମଣି ଠାକୁରଙ୍କ ନାମରେ କାମକୁ ୧୦ ଭାଗ କରାଯାଇ କାର୍ଯ୍ୟାଦେଶ ଦିଆଯାଇଥିଲା। ପ୍ରତ୍ୟେକ ଭାଗର ମୂଲ୍ୟ ଥିଲା ୫୦ ହଜାର ଟଙ୍କା। ଏହି ଅର୍ଥରେ ସେଠାରେ ୬୪ ମିଟର ସୁରକ୍ଷା ପାଚେରି ନିର୍ମାଣ କରାଯାଇଛି ବୋଲି ଦର୍ଶାଯାଇଛି। ଏହାର ଉଚ୍ଚତା ୪ ଫୁଟ ହୋଇଥିବା ବେଳେ ଉପର ଭାଗର ଚଉଡା ୧ ଫୁଟ ୪ ଇଞ୍ଚ ଏବଂ ତଳ ଭାଗର ଚଉଡା ଅଢ଼େଇ ଇଞ୍ଚ।

ସେହିପରି ସ୍ପେଶାଲ ରିପେୟାରିଂ (ଏସ୍‌ଆର) ଯୋଜନାରେ ସେହି ସମାନ ଠିକାଦାର ନୀଳମଣି ଠାକୁରଙ୍କୁ ମଧ୍ୟ ୧୦ଟି ଭାଗରେ କାମ ଦିଆଯାଇଛି। ଯେଉଁଥିରେ ୧୮୭ ମିଟର କଂକ୍ରିଟ ଡ୍ରେନ୍‌ ଓ ୭୨ ମିଟର ସୁରକ୍ଷା ବାଡ଼ ରହିଛି। ଏଥିପାଇଁ ପ୍ରତ୍ୟେକ ଭାଗ କାମକୁ ୫୦ ହଜାର ଟଙ୍କା କାର୍ଯ୍ୟାଦେଶ ଦିଆଯାଇଛି। ସଂପୃକ୍ତ ଠିକାଦାରଙ୍କୁ ଅର୍ଥ ମଧ୍ୟ ପଇଠ କରାଯାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ତଥ୍ୟ ଅନୁସାରେ, ଏହି ଡ୍ରେନ ଓ ସୁରକ୍ଷା ବାଡ଼ ନିର୍ମାଣ କାର୍ଯ୍ୟ ୨୦୧୫ ମାର୍ଚ୍ଚ ୯ ତାରିଖରେ ଆରମ୍ଭ ହୋଇଥିବା ବେଳେ ୨୦୧୫ ମାର୍ଚ୍ଚ ୩୧ ତାରିଖରେ ଶେଷ ହୋଇଥିଲା।

ମାତ୍ର ସଂପୃକ୍ତ ରାସ୍ତାରେ ଡ୍ରେନ କିମ୍ବା ସୁରକ୍ଷା ବାଡ଼ ନିର୍ମାଣ ହୋଇନଥିବା ‘ସମ୍ବାଦ’ ଅନୁସନ୍ଧାନରୁ ଜଣାପଡ଼ିଛି। ଡ୍ରେନ ଓ ସୁରକ୍ଷା ବାଡ଼ ତ ଦୂରର କଥା ମୁଠାଏ ବାଲି ଓ ଚିପସ୍‌ ପଡ଼ିନାହିଁ। ଏ ବାବଦରେ ପ୍ରାୟ ୧୦ ଲକ୍ଷ ଟଙ୍କା ସଂପୂର୍ଣ୍ଣ ଚଳୁ କରି ଦିଆଯାଇଛି। ମୁରୁସୁଆଁ-ତିରବୋ ରାସ୍ତାକୁ ଉଦାହରଣ ଭାବେ ନେଲେ ବାଂଶପାଳକୁ ଜିଲ୍ଲାର ଦୁର୍ନୀତିଗ୍ରସ୍ତ ବ୍ଲକ ବୋଲି କାହିଁକି କୁହାଯାଉଛି ତାହା ସ୍ପଷ୍ଟ ହୋଇଯାଉଛି। ଆମେ ଜନ୍ମ ହେବା ପରଠାରୁ ଏହି ରାସ୍ତାରେ କେବେ ଡ୍ରେନ କିମ୍ବା ସୁରକ୍ଷା ବାଡ଼ ନିର୍ମାଣ ହୋଇଥିବା ଦେଖିନୁ ବୋଲି ମୁରୁସୁଆଁ ଗ୍ରାମର ରାଜେନ୍ଦ୍ର ବାରିକ କହିଛନ୍ତି। ଏ ସଂପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ବେଣୁଧର ଲେଙ୍କାଙ୍କୁ ପଚାରିବାରୁ, ଅଭିଯୋଗ ପାଇବା ପରେ ତଦନ୍ତ ହେବ। ତଦନ୍ତ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ଲେଙ୍କା କହିଛନ୍ତି।

ସମ୍ବନ୍ଧିତ ଖବର