ହଟିଲେ ବରଗଡ଼ ଜିଲ୍ଲାପାଳ, ଏସ୍‌ପି

ଭୁବନେଶ୍ୱର : ବିଜେପୁର ଉପନିର୍ବାଚନ ପୂର୍ବରୁ ଭାରତର ନିର୍ବାଚନ କମିସନ ବରଗଡ଼ ଜିଲ୍ଲାପାଳ ଖଗେନ୍ଦ୍ର ପାଢୀ ଓ ଏସ୍‌ପି ବି. ଯୁଗଳ କିଶୋରଙ୍କୁ ହଟାଇ ଦେଇଛନ୍ତି। ସେମାନଙ୍କ ସ୍ଥାନରେ ନୂଆ ଏସ୍‌ପି ଓ ଜିଲ୍ଲାପାଳ ନିଯୁକ୍ତି ଦେବା ଲାଗି କମିସନଙ୍କ ପକ୍ଷରୁ ସରକାରଙ୍କୁ ପରାମର୍ଶ ଦିଆଯାଇଛି।

ନିର୍ବାଚନ କମିସନଙ୍କ ନିର୍ଦେଶ ଆଧାରରେ ରାଜ୍ୟ ସରକାର ଉଭୟ ପଦବି ଲାଗି ତିନି ଜଣ ଆଇପିଏସ୍‌ ଓ ତିନି ଆଇଏଏସ୍‌ ଅଫିସରଙ୍କ ନାମ ସୁପାରିସ କରିଛନ୍ତି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଜିଲ୍ଲାପାଳ ପଦବି ପାଇଁ ନିଯୁକ୍ତି ମିସନ ଦାୟିତ୍ୱରେ ଥିବା ପ୍ରଭାକର ପାଟିଲ୍‌, ଜଗତସିଂହପୁର ଜିଲ୍ଲାପାଳ ଯାମିନି ଷ଼଼ଡ଼ଙ୍ଗୀ ଓ ରାୟଗଡା ଜିଲ୍ଲାପାଳ ପୁନମ୍‌ ଗୁହାଙ୍କ ନାମ କମିସନଙ୍କ ପାଇଁ ବିଚାର ପାଇଁ ପଠାଯାଇଛି। ସେହିଭଳି ଏସ୍‌ପି ପଦବି ଲାଗି ଆଇପିଏସ୍‌ ଅଫିସର ଜୟ ନାରାୟଣ ପଙ୍କଜ, କେ ଶିବା ସୁବ୍ରମଣି ଓ ପିନାକ୍‌ ମିଶ୍ରଙ୍କ ନାମ ସରକାର ସୁପାରିସ କରିଥିବା ଜଣାପଡ଼ିଛି।

ତେବେ ଉଭୟ ଶ୍ରୀ ପାଢୀ ଏବଂ ଯୁଗଳ କିଶୋରଙ୍କ ନୂଆ ନିଯୁକ୍ତି ସଂପର୍କରେ ରାଜ୍ୟ ସରକାର କୌଣସି ନିଷ୍ପତ୍ତି ଶୁଣାଇନାହାନ୍ତି। ଉଲ୍ଲେଖଯୋଗ୍ୟ, ବିଜେପୁର ଉପନିର୍ବାଚନକୁ ନେଇ ରାଜନୀତି ତେଜିବାରେ ଲାଗିଲାଣି। ନାମାଙ୍କନ ପତ୍ର ଦାଖଲ ପରେ ମଇଦାନରେ ଏବେ ବିଜେଡି-କଂଗ୍ରେସ-ବିଜେପି ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଛି। ଏପଟେ ପରସ୍ପରକୁ କିଭଳି ମାତ୍‌ ଦେବେ, ସେ ନେଇ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ଏହି କ୍ରମରେ ଗତ ସପ୍ତାହରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଜେପି ନେତାମାନେ ନିର୍ବାଚନ କମିସନଙ୍କ ଦ୍ୱାରସ୍ଥ ହୋଇ ବିଜେପୁର ନିର୍ବାଚନମଣ୍ଡଳୀର ସବୁ ବୁଥ୍‌କୁ ସମ୍ବେଦନଶୀଳ ଘୋଷଣା ଲାଗି ଦାବି କରିଥିଲେ। ସିସିଟିଭି ଲଗାଇବା ପାଇଁ ମଧ୍ୟ ନିବେଦନ କରାଯାଇଥିଲା। ସେହିପରି ଜିଲ୍ଲାପାଳ, ଏସ୍‌ପିଙ୍କ ଠାରୁ ଆରମ୍ଭ କରି ସମସ୍ତ ଥାନାଧିକାରୀଙ୍କ ବଦଳି ପାଇଁ ବି ବିଜେପି ଦାବି କରିଥିଲା। ବିଜେପିର ଏହି ଦାବି ଆଧାରରେ କମିସନ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି।

ଏପଟେ ଏହି ପ୍ରସଙ୍ଗକୁ ନେଇ ବୟାନବାଜି ହୋଇଛି। ବିଜେପି ନିର୍ବାଚନ ଆୟୋଗଙ୍କ ପଦକ୍ଷେପକୁ ସ୍ୱାଗତ କରିଛି। ବିଜେପି ନେତା ଭୃଗୁ ବକ୍ସିପାତ୍ର କହିଛନ୍ତି, ଶାସକ ବିଜେଡିର ସରକାରୀ କଳର ଅପବ୍ୟବହାର ଉପରେ ତୀକ୍ଷଣ ନଜର ରଖିଛୁ। ରାଜ୍ୟରେ ଶାସକ ବିଜେଡି ଉଭୟ ପୋଲିସ ଏବଂ ପ୍ରଶାସନକୁ ଅପବ୍ୟବହାର କରୁଛି। ଜିଲ୍ଲାମାନଙ୍କରେ ଜିଲ୍ଲାପାଳ ଶାସକ ବିଜେଡିର ସଭାପତି ଏବଂ ଏସପି ସାଧାରଣ ସଂପାଦକ ଭାବେ ଦାୟିତ୍ୱ ତୁଲାଉଛନ୍ତି ।

ବିଜେପି ଅଭିଯୋଗ କରିଛି, ମନ୍ତ୍ରୀ, ଶାସକ ବିଧାୟକଙ୍କଠାରୁ ଆରମ୍ଭ କରି ସମସ୍ତ ନେତୃବୃନ୍ଦ ସରକାରୀ କଳର ଅପବ୍ୟବହାର କରି ନିର୍ବାଚନକୁ ପ୍ରଭାବିତ କରିବା ଆରମ୍ଭ କରିଦେଇଛନ୍ତି। ଏସବୁ ଜିଲ୍ଲାପାଳ ଏବଂ ଏସ୍‌ପିଙ୍କ ପ୍ରତ୍ୟକ୍ଷ ପ୍ରରୋଚନାରେ ହେଉଛି । ଏଣୁ ବିଜେପି ନିର୍ବାଚନ କମିସନଙ୍କୁ ଭେଟିଥିଲା। କମିସନ ସତ୍ୟାସତ୍ୟ ଉପଲବ୍ଧି କରି ଏହି ବଦଳି ନିର୍ଦେଶ ଦେଇଛନ୍ତି। ତେବେ କାର୍ଯ୍ୟରତ ସମସ୍ତ ବିଡିଓ, ଥାନାଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା କରୁଛି ବୋଲି ବିଜେପି କହିଛି।

ସମ୍ବନ୍ଧିତ ଖବର