ଇଲେକ୍ଟ୍ରିକାଲ ଲାଇସେନ୍ସ ବାତିଲ ମାମଲା, ସାନି ନିଷ୍ପତ୍ତି ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ଆବେଦନକାରୀଙ୍କୁ ପକ୍ଷ ରଖିବାକୁ ସୁଯୋଗ ନ ଦେଇ ତାଙ୍କ ଇଲେକ୍ଟ୍ରିକାଲ ଲାଇସେନ୍ସ ବାତିଲ କରାଯିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। ଏହି ପ୍ରସଂଗରେ ଅକ୍ଷୀକ୍ଷଣ ଯନ୍ତ୍ରୀ ତଥା ଇଲେକ୍ଟ୍ରିକାଲ ଲାଇସେନ୍ସ ବୋର୍ଡ ସଚିବ ସାନି ଶୁଣାଣି କରି ନିଷ୍ପତ୍ତି ଗ୍ରହଣ କରିବେ। ଆବେଦନକାରୀଙ୍କୁ ବୋର୍ଡ ସମ୍ମୁଖରେ ପକ୍ଷ ରଖିବାକୁ ସୁଯୋଗ ଦିଆଯିବ ଓ ଏହା ପରେ ଏହି ପ୍ରସଂଗରେ ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ। ସମସ୍ତ ପ୍ରକ୍ରିୟା ୩ ସପ୍ତାହ ଭିତରେ ଶେଷ ହେବ। ଜଷ୍ଟିସ ଏସ୍‌.ଏନ୍‌.ପ୍ରସାଦଙ୍କୁ ନେଇ ଗଠିତ ଖଣ୍ଡପୀଠ ଭୁବନେଶ୍ୱର ଖଣ୍ଡଗିରିର ଠିକାଦାର ଜେ.କେ.ସାହୁଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ରମାକାନ୍ତ ଷଡଙ୍ଗୀ ମାମଲା ପରିଚାଳନା କରୁଥିଲେ।

ଭିଜିଲାନ୍ସ ମାମଲାରେ ପୁଲିସ ଅଧିକାରୀଙ୍କ ଆବେଦନ ଖାରଜ

କଟକ : ଭିଜିଲାନ୍ସ ଅଦାଲତ ନିର୍ଦ୍ଦେଶକୁ ଚାଲେଞ୍ଜ କରି ପୁଲିସ ଅଧିକାରୀ ହାଇକୋର୍ଟରେ ଦାୟର କରିଥିବା ଆବେଦନ ଖାରଜ ହୋଇଛି। ଲାଞ୍ଚ ଗ୍ରହଣ ଅଭିଯୋଗ ସଂପର୍କିତ ମାମଲାର ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ଅଦାଲତରେ ହାଜର ହୋଇ ସାକ୍ଷ୍ୟ ପ୍ରଦାନ କରି ସାରିଥିବା ଜଣେ ସାକ୍ଷୀଙ୍କୁ ପୁନର୍ବାର ଜେରା କରିବା ପାଇଁ ସ୍ପେଶାଲ ପବ୍ଲିକ୍‌ ପ୍ରସିକ୍ୟୁଟର ଆବେଦନ କରିଥିଲେ। ଢେଙ୍କନାଳ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ଆବେଦନକୁ ଗ୍ରହଣ କରି ଏଥି ପାଇଁ ୨୦୧୮, ଜୁଲାଇ ୨୮ରେ ଅନୁମତି ଦେଇଥିଲେ। ଭିଜିଲାନ୍ସ ଅଦାଲତଙ୍କ ଏହି ନିର୍ଦ୍ଦେଶକୁ ଚାଲେଞ୍ଜ କରି ମାମଲାର ଅଭିଯୁକ୍ତ ତଥା ପୁଲିସ ଏଏସଆଇ ଗୌରାଙ୍ଗ ଚରଣ ଶତପଥୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜଷ୍ଟିସ ଜେ.ପି.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଶ୍ରୀ ଶତପଥୀଙ୍କ ଆବେଦନ ଖାରଜ କରିଛନ୍ତି।

ସମ୍ବନ୍ଧିତ ଖବର