ବିଜୁଳି ଆଲୁଅରୁ ବଞ୍ଚିତ ଓଏମ୍ସିର ପୋଷ୍ୟ ଗ୍ରାମ ହରିଚନ୍ଦନପୁର ବ୍ଲକ ବରେଇଗୋଡ଼ା ପଞ୍ଚାୟତର ଦୁର୍ଗମ ତଥା ବଣପାହାଡ଼ ଘେରା ‘ତାଳପଦା’
ହରିଚନ୍ଦନପୁର : ହରିଚନ୍ଦନପୁର ବ୍ଲକ ବରେଇଗୋଡ଼ା ପଞ୍ଚାୟତର ଦୁର୍ଗମ ତଥା ବଣପାହାଡ଼ ଘେରା ଗ୍ରାମ ତାଳପଦା। ଏବେବି ଗ୍ରାମବାସୀ ବିଜୁଳି ଆଲୁଅରୁ ବଞ୍ଚିତ। ସେହିପରି ଓଏମ୍ସି ଏହାକୁ ପୋଷ୍ୟ ଗ୍ରାମଭାବେ ଗ୍ରହଣ କରି ସୋଲାର ଲାଇଟ ଲଗାଇଥିଲା। ସେଥିରୁ ଏବେ ଅଧିକାଂଶ ଜଳୁନି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଗ୍ରାମରେ ରହିଛି ନୂଆସାହି, ହଟିଂ ସାହି, ପୁରୁଣା ସାହି, ଦୁମାସାହି, ଗଦାବାହାଳି ସାହି, ଗୁମୁଣ୍ଡୁ ସାହି, ଦଲକ ସାହି ଓ ଖଣନ୍ତା ସାହି। ୮ଟି ସାହିରେ ଦେଢ଼ଶହ ପରିବାର ରହୁଥିବା ବେଳେ ଲୋକସଂଖ୍ୟା ହଜାରେରୁ ଊର୍ଦ୍ଧ୍ବ। ପଞ୍ଚାୟତ ମୁଖ୍ୟାଳୟରୁ ୮ କିମି ଦୂରରେ ଥିବା ଏହି ଗ୍ରାମର ଲୋକେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟ ଜଳ, ବିଜୁଳି ଆଲୁଅ ପରି ମୌଳିକ ସୁବିଧାରୁ ବଞ୍ଚିତ ହେଉଥିଲେ। ୪ ବର୍ଷ ତଳେ ଦୈତାରୀ ଓଏମ୍ସି ସଂପ୍ରସାରିତ ହେବା ପରେ ତାଳପଦା ଗ୍ରାମ ନିକଟ ପାହାଡ଼କୁ ନେଇଛି। ତାଳପଦାରେ ରାସ୍ତାଘାଟ, ସ୍କୁଲ ଗୃହ ନିର୍ମାଣ, ସମସ୍ତ ସାହିରେ ନଳକୂପ ସ୍ଥାପନ, ୪୦ଟି ଷ୍ଟାଣ୍ଡବଲ୍ବ ସୋଲାର ଲାଇଟ୍, ଛାତ୍ରଛାତ୍ରୀଙ୍କୁ ଦୈତାରୀ ନେବା ଆଣିବା ପାଇଁ ବସ୍ ସେବା ଯୋଗାଇ ଦିଆଯାଇଛି। ବ୍ଲକର ଅଧିକାଂଶ ଗ୍ରାମରେ ସୌଭାଗ୍ୟ ଯୋଜନାରେ ବିଦ୍ୟୁତ୍କରଣ କାର୍ଯ୍ୟ ଚାଲିଥିବା ବେଳେ ଏହି ଗ୍ରାମରେ ଏପର୍ଯ୍ୟନ୍ତ ବିଦ୍ୟୁତ୍ ଖୁଣ୍ଟଟିଏ ମଧ୍ୟ ପଡ଼ିନାହିଁ। ସେହିପରି ଓଏମ୍ସି ପକ୍ଷରୁ ଦୁଇ ବର୍ଷ ତଳେ ବିଭିନ୍ନ ସାହିରେ ଲଗାଯାଇଥିବା ଅଧିକାଂଶ ସୋଲାର ଲାଇଟ୍ ଅଚଳ ହୋଇଯାଇଛି। ନଳକୂପରୁ ଖରାଦିନେ କମ୍ ପାଣି ବାହାରୁଛି। ତେଣୁ ଓଏମ୍ସିର ପୋଷ୍ୟ ଗ୍ରାମ ତାଳପଦାକୁ ବିଦ୍ୟୁତ୍କରଣ ଓ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇଦେବାକୁ ଗ୍ରାମର ନବ ଦେହୁରୀ, ଭାସ୍କର ଦେହୁରୀ, ଭୀମସେନ ଦେହୁରୀ, ବୁଦ୍ଧଦେବ ଦେହୁରୀ, ସୃଜୁନା ଜୁଆଙ୍ଗ, ହାଡ଼ିଆ ଜୁଆଙ୍ଗ, କୀର୍ତ୍ତନ ଜୁଆଙ୍ଗ ଦାବି କରିଛନ୍ତି।