ଠାବ ହେଲେ ପୂର୍ବତନ ବିଧାୟକ ନବୀନ ନନ୍ଦ

ଢ଼େଙ୍କାନାଳ: ପୂର୍ବତନ ବିଧାୟକ ନବୀନ ନନ୍ଦ ରବିବାର କୋଲକାତାରୁ ନିଖୋଜ ହେବାର କେଇ ଘଣ୍ଟା ପରେ ସନ୍ଧ୍ୟାରେ ଠାବ ହୋଇଛନ୍ତି। ପୂର୍ବତନ ବିଧାୟକଙ୍କ ପତ୍ତା ମିଳିଥିବା ନେଇ ତାଙ୍କ ପୁଅ ସମ୍ବିତ ନନ୍ଦ ସୂଚନା ଦେଇଛନ୍ତି। ସମ୍ବିତ କହିଛନ୍ତି ବାପା ଆଜି କୋଲକାତାରୁ ଫେରିବେ। ବର୍ତ୍ତମାନ ସେ ହୋଟେଲ ରୁମ୍‌ରେ ଅଛନ୍ତି।

ନିଜର ବ୍ୟକ୍ତିଗତ କାମରେ ବିଧାୟକ ଶ୍ରୀ ନନ୍ଦ ଗତ ଜୁନ ୨୯ରେ କୋଲକାତା ଯାଇଥିଲେ। ସେ କୌଣସି କାମରେ ବ୍ୟସ୍ତ ଥିବାରୁ ତାଙ୍କ ମୋବାଇଲ ଫୋନ ସୁଇଚ ଅଫ୍‌ ରଖିଥିଲେ। ଫଳରେ ତାଙ୍କର ପୁଅ ସମ୍ବିତ ନନ୍ଦ ଯୋଗାଯୋଗ କରି ପାରି ନଥିଲେ। ବାପାଙ୍କ ଫୋନ ସୁଇଚ୍‌ ଅଫ୍‌ ଅଛି ଜାଣିବା ପରେ ସମ୍ବିତ ବ୍ୟସ୍ତ ହୋଇ ପଡ଼ିଥିଲେ। କାରଣ ନବୀନ ନନ୍ଦ କୋଲକାତାରୁ ଆଜି ଘରକୁ ଫେରିବାର ଥିଲା। କିନ୍ତୁ ତାଙ୍କର କୌଣସି ଖୋଜଖବର ନମିଳିବାରୁ ସମ୍ବିତ କୋଲକାତାରେ ଯାଇ ପହଞ୍ଚିଥିଲେ।

ଢ଼େଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ ନିଜ ବ୍ୟକ୍ତିଗତ କାମରେ ଅନେକ ଥର କୋଲକାତା ଏକାକି ଯାଇଛନ୍ତି। ସେହିଭଳି ଗତ ଜୁନ ୨୯ରେ ମଧ୍ୟ ସେ ଏକାକି ଯାଇଛନ୍ତି। ସେ ସେକସ୍ପିିୟର ସାରଣୀସ୍ଥିତ ହୋଟେଲ ‘ଆରିଶ’ର ୪୦୩ ନମ୍ବର ରୁମ ନେଇଛନ୍ତି। ସମ୍ବିତ ଶେଷଥର ପାଇଁ ଜୁନ ୩୦ ସନ୍ଧ୍ୟାରେ ମୋବାଇଲ ଯୋଗେ ବାପାଙ୍କ ସହିତ କଥା ହୋଇଥିଲେ। ମାତ୍ର ସେହି ସମୟରେ ନବୀନ ନନ୍ଦଙ୍କ ଗୋଟିଏ ମୋବାଇଲ ଫୋନ୍‌ ସୁଇଚ ଅଫ୍‌ ଥିଲା। ଆଜି ସକାଳୁ ସବୁ ମୋବାଇଲ ନମ୍ବର ସୁଇଚ ଅଫ ଥିବାରୁ ସମ୍ବିତ ବ୍ୟସ୍ତ ହୋଇ ପଡ଼ିଥିଲେ ଓ କୋଲକାତା ଯାତ୍ରା କରିଛନ୍ତି। ନବୀନ ରହୁଥିବା ହୋଟେଲ ରୁମ୍‌ରେ ସବୁ ଜିନିଷ ପତ୍ର ରହିଛି। ନିଖୋଜ ନେଇ ସମ୍ବିତ ନନ୍ଦ ସେକସ୍ପିିୟର ସାରଣୀ ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର