ଗୁଇନ୍ଦା ବିଭାଗ ଜାଲ ଚିଠି ଘଟଣା: ମୋବାଇଲ ନମ୍ବର ଠାବ, କିନ୍ତୁ ଠିକଣା ମିଳୁନି

ସାଇବର ବିଶେଷଜ୍ଞଙ୍କ ସାହାଯ୍ୟ ନେବ କମିସନରେଟ ପୁଲିସ

ଭୁବନେଶ୍ବର: ନକଲି ଗୁଇନ୍ଦା ଚିଠି ମାମଲାରେ ଖାରବେଳନଗର ଥାନା ପୁଲିସ ମୋବାଇଲ୍‌ ନମ୍ବର ଠାବ କରିଛି ସତ, କିନ୍ତୁ ଆଜି ନମ୍ବରକୁ ଟ୍ରାକ୍‌ କରିବା ବେଳେ ତାହା ସୁଇଚ ଅଫ୍ ଦେଖାଉଛି। ସେହିପରି ମୋବାଇଲରେ ଥିବା ସିମ୍‌କାର୍ଡର ଠିକଣାକୁ ଆଧାର କରି ପୁଲିସ ରାଜଧାନୀର ଦୁଇଟି ସ୍ଥାନରେ ଚଢ଼ଉ କରିଥିଲା। କିନ୍ତୁ ସେହି ଘରେ ରହୁଥିବା ବ୍ୟକ୍ତିବିଶେଷଙ୍କର ସିମ୍‌କାର୍ଡରେ ଥିବା ନାମ ସହ କୌଣସି ତାଳମେଳ ରହୁନାହିଁ। ଫଳରେ ପୁଲିସ ତଦନ୍ତ ଆଗେଇ ପାରୁନାହିଁ। ତେଣୁ ବିଜେପି ନେତାଙ୍କୁ ସିଧାସଳଖ ପଚରାଉଚରା କରାଗଲେ ତାହା ସ୍ପଷ୍ଟ ହୋଇଯିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ଏପରିକି ସେହି ମୋବାଇଲ ନମ୍ବରକୁ ଆସିଥିବା ହ୍ବାଟସଆପ୍ ପ୍ରଥମେ କେଉଁଠୁ ଆସିଥିଲା, ତାହା ଜାଣିବା ଲାଗି ସାଇବର ବିଶେଷଜ୍ଞଙ୍କ ସହଯୋଗ ନେବାକୁ କମିସନରେଟ ପୁଲିସ ଯୋଜନା କରିଛି। ବିଜେପି ନେତାମାନଙ୍କ ପକ୍ଷରୁ ଥାନାରେ ହାଜର ହୋଇ ମତ ରଖିଥିବା ଆଇନଜୀବୀ ପାର୍ଥସାରଥୀ ନାୟକ ଖାରବେଳନଗର ଥାନା ପୁଲିସକୁ ଏକ ମୋବାଇଲ ନମ୍ବର ଦେଇଥିଲେ। ସେହି ମୋବାଇଲ ନମ୍ବରରେ ଥିବା ହ୍ବାଟସଆପ ନମ୍ବରରୁ ଗୁଇନ୍ଦା କାଗଜ ବିଜେପି ନେତାମାନଙ୍କ ପାଖକୁ ଆସିଥିଲା। ବିଜେପି ନେତାମାନେ ସେହି କାଗଜକୁ ଗଣମାଧ୍ୟମ ସମ୍ମୁଖରେ ଉପସ୍ଥାପନ କରିଥିଲେ। ପରେ ଖାରବେଳନଗର ଥାନା ପୁଲିସ ପକ୍ଷରୁ ସେହି ମୋବାଇଲ ନମ୍ବର ଟ୍ରାକ୍‌ କରାଯାଇଥିଲା। ସିମ୍‌ କାର୍ଡଟି ନାସନାଲ ଭିଜନ ଅର୍ଗାନାଇଜେନ ନାମକ ଏକ ସଂସ୍ଥା ନାଁରେ ଥିଲା। ଏହି ସଂସ୍ଥା ଭୁବନେଶ୍ବରର ଏକ ପ୍ଲଟ ନମ୍ବର ୫୭/୩୫ ବୋଲି ଉଲ୍ଲେଖ ରହିଛି। ପୁଲିସ ସେହି ଅଞ୍ଚଳରେ ଥିବା ଉକ୍ତ ପ୍ଲଟ୍‌ ଉପରେ ଚଢ଼ଉ କରିଥିଲା। ପ୍ଲଟ୍‌ ନମ୍ବର ୫୭ରେ ଲୋକ ରହୁଥିବା ବେଳେ ୩୫ରେ କେହି ରହୁନାହନ୍ତି ବୋଲି ପୁଲିସ ଜାଣିବାକୁ ପାଇଛି। ଏଭଳି ପରିସ୍ଥିତିରେ ପୁଲିସ ତଦନ୍ତ ଆଗେଇ ପାରୁନାହିଁ। କାରଣ ଯେଉଁ ନମ୍ବରରୁ ବିଜେପି ନେତାମାନଙ୍କ ପାଖକୁ ସେହି ଗୁଇନ୍ଦା କାଗଜ ଆସିଥିଲା, ସେହି କାଗଜ ସେ ନିଜେ ପଠାଇଥିଲା ନା ତା’ ପାଖକୁ ଆଉ କେହି ପଠାଇଥିଲା, ତାକୁ ସେ କେବଳ ଫରୱାର୍ଡ କରିଥିଲା; ଏହା ଜାଣିବା ପାଇଁ ପୁଲିସ ଉଦ୍ୟମ ଆରମ୍ଭ କରିଛି। ପୁଲିସ ମୋବାଇଲ ଜବତ କରି ପାରିନାହିଁ। କିନ୍ତୁ ସେହି ନମ୍ବର ଆଧାରରେ ଖୋଳତାଡ଼ ଆରମ୍ଭ କରିଛି। ମୂଳରୁ ପ୍ରଥମେ କିଏ ହ୍ବାଟସଆପ ମାଧ୍ୟମରେ ସେହି କାଗଜକୁ ଭାଇରାଲ କରିଥିଲା ତାକୁ ଏବେ ଖୋଜିବା ଆରମ୍ଭ କରିଛି ପୁଲିସ। ତେଣୁ କମିସନରେଟ ପୁଲିସ ସାଇବର ବିଶେଷଜ୍ଞଙ୍କ ସହଯୋଗ ନେବ। ଏପରିକି ତଦନ୍ତକାରୀ ଅଫିସର ରାଜ୍ୟ ବାହାରକୁ ମଧ୍ୟ ଯାଇ ପାରନ୍ତି। ସେହିପରି ବିଜେପି ନେତାମାନେ ଯେଉଁ ଜାଲ କାଗଜପତ୍ର ଦେଖାଇଥି‌ଲେ, ତାର ମଧ୍ୟ ଫୋରେନସକ୍ ଯାଞ୍ଚ କରାଯାଉଛି। ଏସବୁ ରିପୋର୍ଟ ଆସିବା ପରେ ପ୍ରକୃତ ରହସ୍ୟ ଉନ୍ମୋଚନ ହୋଇପାରିବ ବୋଲି କମିସନରେଟ ପୁଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଆଜି ଖାରବେଳନଗର ଥାନାରେ ବିଜେପି ନେତା ଗୋଲକ ମହାପାତ୍ର ହାଜର ହେବାର ଥିଲା। କିନ୍ତୁ ସେ ଆଜି ମଧ୍ୟ ଥାନାକୁ ଆସି ନ ଥିଲେ। ତାଙ୍କ ସ୍ଥାନରେ ତାଙ୍କ ଆଇନଜୀବୀ ଥାନାକୁ ଆସି ସମୟ ମାଗିଥିଲେ। କହିଥିଲେ, ଏବେ ନିର୍ବାଚନ ସମୟ, ତେଣୁ ଗୋଲକ ବ୍ୟସ୍ତ ରହିବେ। ନିର୍ବାଚନ ଶେଷ ପରେ ସେ ହାଜର ହୋଇପାରିବେ। ଆସନ୍ତାକାଲି ବିଜେପି ଯୁବନେତା ଟଙ୍କଧର ତ୍ରିପାଠୀ ଥାନାରେ ହାଜର ହେବାର ଅଛି। ବିଜେପି ପକ୍ଷରୁ ଜାଲ ଓ ମିଥ୍ୟା ଗୁଇନ୍ଦା ଚିଠି ଗଣମାଧ୍ୟମରେ ଉପସ୍ଥାପନ କରାଯିବା ପରେ ଖାର‌ବେଳନଗର ଥାନା ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିଲା। ପରେ ଖାରବେଳନଗର ଥାନା ପୁଲିସ ପକ୍ଷରୁ ବିଜେପି ନେତା ସମୀର ମହାନ୍ତି, ଗୋଲକ ମହାପାତ୍ର ଓ ଟଙ୍କଧର ତ୍ରିପାଠୀଙ୍କୁ ହାଜର ହେବାକୁ କୁହାଯାଇଥିଲା। କିନ୍ତୁ ସେମାନେ ନ ଆସି ଆଇନଜୀବୀଙ୍କ ମାଧ୍ୟମରେ ଥାନାରେ ନିଜ ମତ ରଖିଥିଲେ। ଏଠାରେ ପ୍ରକାଶଥାଉକି ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଗୁଇନ୍ଦା ବିଭାଗର ଏକ ଚିଠି ଦେଖାଯାଇଥିଲା। ଯେଉଁ ଚିଠିକୁ ନେଇ ବିବାଦ ଉପୁଜିଥିଲା। ପରେ ପୁଲିସ ଡିଜି ଟୁଇଟ୍‌ କରି ଏହା ଏକ ଜାଲ୍‌ ଚିଠି ବୋଲି ଜଣାଇଥିଲେ।

ସମ୍ବନ୍ଧିତ ଖବର