ବୁଗୁଡ଼ା/ବାଲିପଦର : ସମ୍ଭାବ୍ୟ ବର୍ଷା ପାଇଁ ଧାନ କାଟିବାକୁ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି ହେବା ପରେ ଚାଷୀ ତତ୍ପର ହୋଇ ଉଠିଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ଚାଷୀ ଧାନ କାଟିବାକୁ ତରବର ହେଉଛନ୍ତି। ଏଭଳି ପରିସ୍ଥିତିରେ ଆଜି ଜଣେ ଚାଷୀ ମେସିନ୍ ଧରି ଧାନ ଅମଳ କରିବାକୁ ତରତର ହୋଇ ଯାଉଥିବା ବେଳେ ଦୁର୍ଘଟଣାରେ ତାଙ୍କ ଜୀବନ ଚାଲିଯାଇଛି। ମୃତ ଚାଷୀ ହେଉଛନ୍ତି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା କଳମ୍ବ ପଞ୍ଚାୟତ ଡେହୁକା ଗ୍ରାମର ମହେଶ୍ୱର ସ୍ୱାଇଁ (୫୦)।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ସକାଳୁ ପାଗ ସାମାନ୍ୟ ମେଘୁଆ ଥିଲା। କାଳେ ବର୍ଷା ଆସିଯିବ, ଏଣୁ ମହେଶ୍ୱର ମେସିନ୍ ଧରି ବିଲକୁ ଅମଳ ପାଇଁ ବାହାରି ପଡ଼ିଥିଲେ। ଗୋଟିଏ ବିଲରେ ଧାନ ଅମଳ ସରିବା ପରେ ଅନ୍ୟ ବିଲକୁ ଟ୍ରାକ୍ଟର ଦ୍ୱାରା ଉକ୍ତ ମେସିନ୍କୁ ନିଆଯାଉଥିଲା। ଟ୍ରାକ୍ଟର ସହ ମେସିନ୍କୁ ଯୋଡ଼ା ଯାଇଥିଲା। ତେବେ ସଂଯୋଗ ହୋଇଥିବା ବୋଲ୍ଟଟି ହଠାତ୍ ଛିଣ୍ଡି ପଡ଼ିବାରୁ ଟ୍ରାକ୍ଟରର ଆଗ ଚକା ଉଠି ଯାଇଥିଲା। ଆଉ ମହେଶ୍ୱର ଅମଳ ମେସିନ୍ରେ ଜୋର୍ରେ ପିଟି ହୋଇ ଯାଇଥିଲେ। ମୁଣ୍ଡରେ ଗୁରୁତର ଆଘାତ ଲାଗିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା।